ଛତିଶଗଡ଼ ସରକାରଙ୍କ ଓଡ଼ିଶା ଜମି ବଣ୍ଟନ ଘଟଣା : ମିଳୁନି ମାପଖୁଣ୍ଟି

ନୂଆମାଲପଡ଼ାରେ ଜିଲ୍ଲାପାଳଙ୍କ ତଦନ୍ତ, ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ସୀମା ମାପ ଆରମ୍ଭ

ଛତିଶଗଡ଼ ସରକାରଙ୍କ ଓଡ଼ିଶା ଜମି ବଣ୍ଟନ ଘଟଣା : ମିଳୁନି ମାପଖୁଣ୍ଟି

ସିନାପାଲି : ଓଡ଼ିଶା ସୀମାନ୍ତରେ ଥିବା ନୂଆମାଲପଡ଼ା ଗ୍ରାମର ଜମିକୁ ଛତିଶଗଡ଼ ସରକାର ତାଙ୍କ ରାଜ୍ୟର ଭୂମିହୀନଙ୍କୁ ବଣ୍ଟନ କରିଥିବା ପ୍ରସଙ୍ଗରେ ଗୁରୁବାର ଉକ୍ତ ଗାଁରେ ନୂଆପଡ଼ା ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ବୁଧବାର ମଧ୍ୟାହ୍ନରେ ଜିଲ୍ଲାପାଳ ମାଓ ଅଧ୍ୟୁଷିତ ଏହି ନୂଆମାଲପଡ଼ା ଗାଁକୁ ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ବେଳେ ଗ୍ରାମବାସୀ କହିଥିଲେ, ବର୍ତ୍ତମାନ ବିବାଦ ଉପୁଜିଥିବା ଜମିରେ ସେମାନେ ବହୁବର୍ଷ ହେଲା ଚାଷ କରିଆସୁଛନ୍ତି। ହେଲେ ଛତିଶଗଡ଼ ରାଜ୍ୟ ମେନପୁର ତହସିଲର କିଛି କର୍ମଚାରୀ ଆସି ସେହି ଜମି ମାପ କରି ତା’ ଉପରେ ଚିହ୍ନ ଦେବା ସହିତ ସୀମାନ୍ତବର୍ତ୍ତୀ ବୁରଜାବାହାଲ ଗ୍ରାମର ଭୂମିହୀନମାନଙ୍କୁ ବାଣ୍ଟି ଦେଇଛନ୍ତି। ଚାଷୀମାନେ ଜିଲ୍ଲାପାଳଙ୍କୁ ତାଙ୍କ ଚାଷ ଜମିକୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ। ଜମିଗୁଡ଼ିକ ଛତିଶଗଡ଼ ଲୋକଙ୍କ ଅଧୀନକୁ ଚାଲିଗଲେ ସେମାନେ ଜମିହୀନ ହୋଇ ବେସାହାରା ହୋଇଯିବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଥିଲେ।

ଏହାର ଉତ୍ତରରେ ଜିଲ୍ଲାପାଳ ଡା. ଟୁଡୁ ସୀମା ନିର୍ଦ୍ଧାରଣ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ତେବେ ଦୁଇ ରାଜ୍ୟ ମଧ୍ୟରେ ସୀମା ଦର୍ଶାଉଥିବା ମାପ ଖୁଣ୍ଟ ମିଳୁ ନଥିବାରୁ ମାପଚୁପ କାମ ଆଗେଇ ପାରିନଥିବା ଜଣାପଡ଼ିଛି।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ନୂଆପଡ଼ା ଉପ-ଜିଲ୍ଲାପାଳ ତରଣୀସେନ ନାଏକ, ତହସିଲଦାର ନୀଳାମ୍ବର ସୁନାଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ। ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ତପସ୍ୱିନୀ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ପ୍ରମୁଖ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସୀମା ନିର୍ଦ୍ଧାରଣ କରିବା ପାଇଁ ସମ୍ବଲପୁରରୁ ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ତିନିଜଣିଆ ସ୍ୱତନ୍ତ୍ର ଟିମ୍‌ ଉକ୍ତ ଗ୍ରାମକୁ ପହଞ୍ଚିଛନ୍ତି। ଗୁରୁବାର ଦିନ ତମାମ ସୀମାନ୍ତରେ ସୀମା ନିର୍ଦ୍ଧାରଣ କାଯ୍ୟର୍ ତ୍ୱରାନ୍ଵିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe