ଛତିଶଗଡ଼ ସୀମା ଜଗିଛନ୍ତି ଗୃହରକ୍ଷୀ, ଝାଡ଼ଖଣ୍ଡ ସୀମା ମେଲା

Advertisment

ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଦୁଇ ରାଜ୍ୟ ପୁଲିସର କଡ଼ା ଯାଞ୍ଚ

ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଦୁଇ ରାଜ୍ୟ ପୁଲିସର କଡ଼ା ଯାଞ୍ଚ

ଛତିଶଗଡ଼ ସୀମା ଜଗିଛନ୍ତି ଗୃହରକ୍ଷୀ, ଝାଡ଼ଖଣ୍ଡ ସୀମା ମେଲା

Dainik Bhaskar

ସୁନ୍ଦରଗଡ଼ : କରୋନା ଲଢ଼େଇକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ସୀମାରେ ସିଲ୍ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। କଡ଼ା ଯାଞ୍ଚ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତୀତ ସମସ୍ତ ପ୍ରକାର ଯାନବାହାନ ଯାତାୟତ, ଏପରିକି ସାଧାରଣ ଲୋକଙ୍କ ଯିବାଆସିବା ଉପରେ ମଧ୍ୟ କଟକଣା ରଖିବାକୁ କୁହାଯାଇଥିଲା। ଏହାପରେ ସୁନ୍ଦରଗଡ଼ର ଜିଲ୍ଲା ସଦର ମହକୁମା ପଟରେ ଥିବା ବାଲିଶଙ୍କରା ବ୍ଲକ୍‌କୁ ଲାଗି ରହିଥିବା ଛତିଶଗଡ଼ ଓ ଝାରଖଣ୍ଡ ରାଜ୍ୟ ସୀମାକୁ ବନ୍ଦ କରି ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଗଲା। କିନ୍ତୁ ଗ୍ରାଉଣ୍ଡ ଜିରୋର ପ୍ରକୃତ ଚିତ୍ର କିନ୍ତୁ ଭିନ୍ନ। ପଡ଼ୋଶୀ ରାଜ୍ୟ ପୁଲିସ ତାଙ୍କ ସୀମାରେ ନାକାବନ୍ଦୀ ଓ ଯାଞ୍ଚ କଡ଼ାକଡ଼ି କରିଥିବା ବେଳେ ସୁନ୍ଦରଗଡ଼, ଅର୍ଥାତ୍ ଓଡ଼ିଶା ସୀମାରେ କିନ୍ତୁ ଢିଲାମେଲା ପରିଲକ୍ଷିତ ହୋଇଛି।

ବାଲିଶଙ୍କରା-ତେଲିଯୋର ରାସ୍ତାଟି ଛତିଶଗଡ଼ ରାଜ୍ୟ ଲୁହାକେରାରୁ ଟପକରା, ଅମ୍ବିକାପୁର ପର୍ଯ୍ୟନ୍ତ ଲମ୍ବିଛି। ଆଜି ଆମ ପ୍ରତିନିଧି ସେହି ଇଲାକା ଦେଇ ଯିବା ସମୟରେ ସେ ରାସ୍ତାରେ ମାତ୍ର ୨ ଜଣ ଗୃହରକ୍ଷୀ ବାଡ଼ି ଧରି ଜଗି ଥିବାର ଦେଖିଥିଲେ। ସେହିପରି ଲୁଲୁକିଡିହିରୁ ଝାରଖଣ୍ଡ ସୀମା କୁରଡେ, ସିମଡେଗାକୁ ଯାଉଥିବା ରାସ୍ତାରେ ୪ ଜଣ ପୁଲିସ କର୍ମଚାରୀ ଜଗିଥିବାର ଦେଖିବାକୁ ମିଳିଥିଲା। ତେବେ ଶାଗବାହାଲରୁ ଝାଡ଼ଖଣ୍ଡର ଲୁଡେକ ସହର ଦେଇ ସିମଡେଗା ଯାଇଥିବା ରାସ୍ତା ମେଲା ପଡ଼ିଥିଲା। କେବଳ ଏହି ଗୋଟିଏ ରାସ୍ତା ନୁହେଁ, ବନଡେଗାରୁ ମଧ୍ୟ ଝାଡ଼ଖଣ୍ଡକୁ ସିଧା ରାସ୍ତା ଅଛି, ଯାହାକୁ ଓଡ଼ିଶା ପୁଲିସ ଖୋଲାମେଲା ଛାଡ଼ି ଦେଇଥିବା ଦେଖାଯାଇଛି। ଅନ୍ୟପଟେ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ସେହି ରାଜ୍ୟର ପୁଲିସ କଡ଼ା ଯାଞ୍ଚ କରୁଛନ୍ତି। ସୀମା ଫାଟକ ନିକଟରେ ଏକ ଡାକ୍ତରୀ ଦଳ ସଦା ପ୍ରସ୍ତୁତ ରହି ଓଡ଼ିଶାରୁ ଯାଉଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ପୁଲିସ ଦଳ କାଗଜପତ୍ର ଯାଞ୍ଚ କରି ଛାଡ଼ୁଥିବା ଦେଖିବାକୁ ମିଳିଛି। ଏହା ଛଡ଼ା ସୀମାରେ ଏକ ପୃଥକୀକକ୍ଷ ବା ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତ କରି ଓଡ଼ିଶାରୁ ଯାଉଥିବା ଛତିଶଗଡ଼ ଶ୍ରମିକଙ୍କୁ ସେଠାରେ ଆଶ୍ରୟ ଦେଇ ସ୍କ୍ରିନିଂ କରାଯାଉଥିବା ବେଳେ ସମସ୍ତ ପ୍ରକାର ଯାଞ୍ଚ କରି ସେମାନେ ସୁସ୍ଥ ଥିବା ଜାଣିବା ପରେ ହିଁ ଛତିଶଗଡ଼ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି। ସେହିପରି ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ଲୋକଙ୍କୁ ମଧ୍ୟ ସମାନ ପ୍ରକ୍ରିୟାରେ ଯାଞ୍ଚ କରାଯାଉଛି। ଗାଡ଼ିର କାଗଜପତ୍ର, ଗସ୍ତର କାରଣ ସମ୍ପର୍କିତ କାଗଜପତ୍ର ଦେଖାଇବା ପରେ ଛଡ଼ାଯାଉଛି। ଏପରିକି ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସୀମାରେ ଛତିଶଗଡ଼ ପୁଲିସର କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି।

ଉଲ୍ଲେଖନୀୟ ଯେ କିଛି ଦିନ ତଳେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବାଲିଶଙ୍କରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଶାଗବାହାଲରୁ ଝାରଖଣ୍ଡ ସୀମା ମାତ୍ର ୩ କିଲୋମିଟର ଓ ଲୁଡ଼େକ ସହର ମାତ୍ର ୪୦ କିଲୋମିଟର ଦୂରରେ ଥିବାରୁ ଦୁଇ ରାଜ୍ୟର ଲୋକଙ୍କ ମିଳାମିଶା, ଯାତାୟାତ ବାଧାରହିତ ରହିଛି। ତେବେ କରୋନା ମହାମାରୀର ଆତଙ୍କ ବେଳାରେ ସୀମାକୁ ସିଲ୍‌ କରିବା ଅତି ଜରୁରୀ ହୋଇଥିବା ବେଳେ ଓଡ଼ିଶା ପୁଲିସ ସୀମାକୁ ଏମିତି ମେଲା ଛାଡ଼ିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଆମ ପ୍ରତିନିଧି ତଳସରା ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, ଦିନବେଳା ଗୃହରକ୍ଷୀ ଜଗୁଥିବା ଓ ରାତିରେ କଡ଼ା ପୁଲିସ ପହରା ଦିଆଯାଉଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe