ଛତିଶଗଡ଼ି ମାଫିଆଙ୍କ ଉତ୍ପାତ : ଶୀତୁଆ ରାତିରେ ବଢ଼ୁଛି ବାଲି ଚାଲାଣ

Advertisment
ଛତିଶଗଡ଼ି ମାଫିଆଙ୍କ ଉତ୍ପାତ : ଶୀତୁଆ ରାତିରେ ବଢ଼ୁଛି ବାଲି ଚାଲାଣ

ଜଂଗଲ କାଟି ଗୁପ୍ତ ରାସ୍ତା
ସୁକଲିପାହାଡ଼ ଛାଡ଼ି ସମ୍ବଲପୁରୀରେ କ୍ୟାମ୍ପ

ବରଗଡ଼ : ବରଗଡ଼ ଜିଲ୍ଲାରେ ଘଟୁଥିବା ବଡ଼ ଧରଣର ଅପରାଧରେ ଛତିଶଗଡ଼ର ଅପରାଧୀଙ୍କ ହାତ ରହୁଛି। ଅପରାଧ ଘଟାଇବା ପରେ ଦୁର୍ବୃତ୍ତମାନେ ଓଡ଼ିଶା ସୀମା ଡେଇଁ ସୁରକ୍ଷିତ ରହୁଛନ୍ତି। କେବଳ ଅପରାଧ ନୁହେଁ ମାଫିଆଗିରିରେ ମଧ୍ୟ ଛତିଶଗଡ଼ର ଅପରାଧୀଙ୍କ ପ୍ରତ୍ୟକ୍ଷ ହାତ ରହୁଛି। ଡେବ୍ରିଗଡ଼ ଅଭୟାରଣ୍ୟ ଗୋଟିଏ ହିସାବରେ ଛତିଶଗଡ଼ି ମାଫିଆଙ୍କ ନିୟନ୍ତ୍ରଣରେ। ଏଠାରୁ ନିୟମିତ ଶିକାର ଏବଂ ଅବାଧ ଭାବେ ଜୀବଜନ୍ତୁଙ୍କ ଅଂଗପ୍ରତ୍ୟଙ୍ଗ ଚାଲାଣ ହେଉଛି। ଅନ୍ୟପକ୍ଷରେ ଝାରବନ୍ଧ, ପଦ୍ମପୁର ଅଂଚଳ କ୍ରମଶଃ ଛତିଶଗଡ଼ି ମାଫିଆଙ୍କ ଗଡ଼ ପାଲଟିଛି। ପଦ୍ମପୁର ସଂଲଗ୍ନ ଅଂଗ ନଦୀକୁ ଛତିଶଗଡ଼ର ମାଫିଆମାନେ ନିୟନ୍ତ୍ରଣ କରୁଛନ୍ତି। ବର୍ଷବର୍ଷ ଧରି ଅଂଗନଦୀରୁ ଦୈନିକ ଶହଶହ ଟନ୍‌ ବାଲି ଚୋରା ଚାଲାଣ ହେଉଛି।

ପ୍ରଥମେ ପଦ୍ମପୁରରୁ ପ୍ରାୟ ୨୦ କିଲୋମିଟର ତଥା ଜଗଦଲପୁରରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ସୁକଲିପାହାଡ଼ରୁ ବାଲି ଚାଲାଣ ଜୋରସୋର୍‌ରେ ଚାଲିଥିଲା। ସୀମା ଅତିକ୍ରମ କରିବା ପାଇଁ ବାଲି ମାଫିଆମାନେ ନଦୀ ଭିତରେ ହିଁ ଛୋଟ ପଥର (ବଜରି) ପକାଇ ୫ଶହ ମିଟର ଲମ୍ବର ରାସ୍ତା କରିଥିଲେ। ନଦୀ ଗର୍ଭରେ ଅବରୋଧ ଥିବାରୁ ତଳମୁଣ୍ଡକୁ ପାଣି ନିଅଣ୍ଟ ହେଉଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସୁକଲିପାହାଡ଼ ଅଂଚଳରୁ ବାଲି ଚୋରା ଚାଲାଣ ବନ୍ଦ ହୋଇଯାଇଛି। ମାଫିଆମାନେ ଏଠାରୁ କ୍ୟାମ୍ପ କାଢ଼ି ନେଇଛନ୍ତି। ହେଲେ ଅଂଗ ନଦୀ ସଂଲଗ୍ନ ସମ୍ବଲପୁରୀ ଅଂଚଳରୁ ଏବେ ବାଲି ଚାଲାଣ ବଢ଼ି ଯାଇଛି। ଶୀତୁଆ ରାତିରେ ଏହି କାରବାର ଜୋରସୋର ଚାଲିଛି।

ଶୀତ ଯୋଗୁଁ ପୁଲିସ୍‌ ପାଟ୍ରୋଲିଂକୁ ଖାତିର ନକରି ମାଫିଆମାନେ ବେଧଡ଼କ୍‌ ବାଲି ଚାଲାଣ କରୁଛନ୍ତି। ସ୍ୱଚ୍ଛନ୍ଦରେ ବାଲି ଚାଲାଣ ପାଇଁ ମାଫିଆମାନେ ଚଟାପାଲିକୁ ଜଂଗଲ କାଟି ଭିତିରିଆ ରାସ୍ତା ତିଆରି କରିଦେଲେଣି। ଏହି ରାସ୍ତା ଯାଇ ସରେଇପାଲିକୁ ସଂଯୋଗ କରୁଛି। ପ୍ରାୟ ୪କିଲୋମିଟର ଧରି ଜଂଗଲ ଭିତରେ ରାସ୍ତା ତିଆରି ହୋଇଛି। ଜଂଗଲିଆ ରାସ୍ତା ଏବଂ ଶୀତୁଆ ରାତି ବାଲି ଚାଲାଣ ପାଇଁ ସୁଯୋଗ ସୃଷ୍ଟି କରିଛି। ସ୍ଥାନୀୟ ଲୋକେ ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍‌ର ଦୃଷ୍ଟି ଆକର୍ଷଣ କରିବା ପରେ ବି କିଛି ଫଳ ମିଳୁନଥିବା ଅଭିଯୋଗ ହୋଇଛି। ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ବି ବାଲି ଚାଲାଣ ଘଟଣାକୁ ସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe