ସୀମାନ୍ତରେ ରାସ୍ତା ନିର୍ମାଣକୁ ବିରୋଧ କଲା ଛତିଶଗଡ଼, ରାସ୍ତାଟି କାହାର ?

Advertisment
ସୀମାନ୍ତରେ ରାସ୍ତା ନିର୍ମାଣକୁ ବିରୋଧ କଲା ଛତିଶଗଡ଼, ରାସ୍ତାଟି କାହାର ?

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଂଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଛତିଶଗଡ଼ ପ୍ରଶାସନ ଉକ୍ତ ରାସ୍ତା ନିର୍ମାଣକୁ ବନ୍ଦ କରିବା ପରେ ବିବାଦ ମୁଣ୍ଡ ଟେକିଛି।

ସିନାପାଲି ସଦର ମହକୁମାରୁ ପ୍ରାୟ ୧୨ କିଲୋମିଟର ଦୂର କୁସୁମଯୋର ପଂଚାୟତରୁ ମାତ୍ର ଅଧା କିଲୋମିଟର ଦୂରରେ ଛତିଶଗଡ଼ ରାଜ୍ୟ ସୀମାନ୍ତ ଅବସ୍ଥିତ। ସୀମାନ୍ତ ଜାମପଡ଼ା ରାସ୍ତା ଉପରେ ଓଡ଼ିଶା ପ୍ରଶାସନ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାକୁ ଛତିଶଗଡ଼ ପ୍ରଶାସନ ନିଜର ରାସ୍ତା ବୋଲି ଦାବି କରି ରାସ୍ତା ନିର୍ମାଣକୁ ବିରୋଧ କରିଛି। କୁସୁମଯୋର ପଂଚାୟତ ଅଧୀନ କସେଇପାଣି ଗ୍ରାମର ଅଣରାଜସ୍ଵ ଗ୍ରାମ ଜାମପଡ଼ା ଦେଇ ସିନାପାଲି ପ୍ରଶାସନ ତରଫରୁ ୬ ଲକ୍ଷ ବ୍ୟୟ ଅଟକଳରେ ମନରେଗା ଯୋଜନାରେ ରାସ୍ତା କାମ ଆରମ୍ଭ କରାଯାଇଛି। ହେଲେ ଏହି ରାସ୍ତାକୁ ଛତିଶଗଡ଼ ପ୍ରଶାସନ ନିଜ ରାସ୍ତା କହି ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛି। ବର୍ତ୍ତମାନ ଏହି ରାସ୍ତାଟି ଛତିଶଗଡ଼ ନା’ ଓଡ଼ିଶାର ସେନେଇ ଦ୍ୱନ୍ଦ୍ବ ସୃଷ୍ଟି କରୁଛି।

ଏ ସମ୍ପର୍କରେ ଛତିଶଗଡ଼ ରାଜ୍ୟ କଇଟପଦର ପଂଚାୟତ ସରପଞ୍ଚ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଛତିଶଗଡ଼ ଦେଭୋଗ ତହସିଲଦାର ସରଜମିନ ତଦନ୍ତ କରିବାକୁ ଆସି ତାହା ନିଜର ଜାଗା ବୋଲି ପ୍ରକାଶ କରିଥିଲେ। ତେବେ ଉକ୍ତ ରାସ୍ତା ନେଇ ବର୍ତ୍ତମାନ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ରାସ୍ତାଟି ଛତିଶଗଡ଼ ନା ଓଡ଼ିଶାର ତାହା ତୁରନ୍ତ ଚିହ୍ନଟ କରିବା ପାଇଁ ଉଭୟ ରାଜ୍ୟର ରାଥୋରାମ ନାଗେଶ, ଜୟରାମ ନାଗେଶ, କୁମଲାଲ ସାଗର, ଗୋପନାଥ ନାଗେଶ, ଗୁଣଧର ମାଝୀ, ରୁକ୍ମଣି ନାଗେଶ, ମୋତିଲାଲ ନାଗେଶ, ଲାଲସିଂ ମାଝୀ, ଦିଲୀପ, ଭୋଳାରାମ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ସିନାପାଲି ତହସିଲଦାର ଉପାଂଜଳି ମାଝୀଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ଆବଶ୍ୟକ ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe