କୃଷ୍ଣପ୍ରସାଦରେ କୁକୁଡ଼ା ମଡ଼କ: ଦିନକରେ ମଲେଣି ୩ ହଜାର କୁକୁଡ଼ା

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ସିଆଣ୍ଡି, ଶିଆଳି, ମାଲୁଦ, ବୁଦ୍ଧିବର ଏବଂ ବଜ୍ରକୋଟ ପଞ୍ଚାୟତରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଆଜି ଦିନକରେ ପ୍ରାୟ ୩ହଜାର କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା କୁକୁଡ଼ା ଚାଷୀମାନେ ଅଭିଯୋଗ କରିଛନ୍ତି।

ddgdgdg

ପୁରୀ/କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ସିଆଣ୍ଡି, ଶିଆଳି, ମାଲୁଦ, ବୁଦ୍ଧିବର ଏବଂ ବଜ୍ରକୋଟ ପଞ୍ଚାୟତରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଆଜି ଦିନକରେ ପ୍ରାୟ ୩ହଜାର କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା କୁକୁଡ଼ା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ କୁକୁଡ଼ା ଫାର୍ମରେ ୧୫ରୁ ୨୦ ଦିନର ଏହି କୁକୁଡ଼ା ଛୁଆଙ୍କ ହଠାତ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ନିକଟରେ ବାର୍ଡଫ୍ଲୁ ପୁରୀ ଜିଲ୍ଲାର ବିଭିନ୍ନ ଫାର୍ମକୁ ସଂକ୍ରମିତ କରିଥିଲା। ଏଣୁ କୁକୁଡ଼ା ଚାଷୀମାନେ ଏହା ବାର୍ଡଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା କରୁଛନ୍ତି। ସେପଟେ ଶୀତଋତୁରେ ସୁଦୂର ସାଇବେରିଆ, ଆଫଗାନିସ୍ଥାନ, କାଜାକିସ୍ଥାନ, ମାଲେସିଆ ଓ ହିମାଚଳପ୍ରଦେଶ ଆଦି ଦେଶବିଦେଶରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳୁଛି।

ଚିଲିକାର ବିଦେଶାଗତ ପକ୍ଷୀଙ୍କୁ ବାର୍ଡଫ୍ଲୁ ବିପଦ ଆଶଙ୍କା

 ଏଭଳି ସମୟରେ କୁକୁଡ଼ା ଛୁଆଙ୍କ ମୃତ୍ୟୁ ବିଦେଶାଗତ ପକ୍ଷୀଙ୍କୁ ବି ସଂକ୍ରମିତ କରିବା ଆଶଙ୍କା ରହିଛି। ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶରତ କୁମାର ବେହେରା କହିଛନ୍ତି, ଆମ ପାଖରେ ବାର୍ଡଫ୍ଲୁ ସଂପର୍କିତ କୌଣସି ସୂଚନା ନାହିଁ। କିନ୍ତୁ କୁକୁଡ଼ା ମରିବା ଖବର ରହିଛି। ମଙ୍ଗଳବାର ସେହି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ସେପଟେ କୃଷ୍ଣପ୍ରସାଦ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଦୀପ୍ତା ପଟ୍ଟନାୟକ ସେଭଳି କିଛି ଅଭିଯୋଗ ତାଙ୍କ ପାଖରେ ପହଞ୍ଚିନଥିବା କହିଛନ୍ତି। ଅନ୍ୟପଟେ କୁକୁଡ଼ା ମଡ଼କ ପରେ ଯେଉଁ କମ୍ପାନିମାନେ କୁକୁଡ଼ା ଛୁଆ (ଚିଆଁ)ଯୋଗାଣ କରୁଛନ୍ତି, ସେମାନେ ଚାଷୀଙ୍କୁ ନାଲିଆଖି ଦେଖାଇବା ଆରମ୍ଭ କରିଛନ୍ତି। କାହିଁକି ଏହି ଘଟଣା ଗଣମାଧ୍ୟମ ଜରିଆରେ ପ୍ରଘଟ କଲ ବୋଲି ଧମକାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହାରେ ଶେଷଥର କୃଷ୍ଣପ୍ରସାଦରେ କୁକୁଡ଼ାଙ୍କଠାରେ ବାର୍ଡଫ୍ଲୁ ଦେଖିବାକୁ ମିଳିଥିଲା। ଏଥିପାଇଁ ପ୍ରାଣୀ ସଂପଦ ବିଭାଗର ଟିମ୍‌ ଏଠାରେ ଡେରା ପକାଇଥିଲେ। ପ୍ରାୟ ୧୬ହଜାର କୁକୁଡ଼ାଙ୍କୁ ଏହି ସମୟରେ ମରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe