ଭୁବନେଶ୍ବରରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ଯଶସ୍ବୀ ସାଧକ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ।

ଗତ ୨୮ ତାରିଖ ଦିନ ନିଖିଳ ଓଡ଼ିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ବଭାବ କବିଙ୍କ ସ୍ମୃତିରେ ଭବନ ନିର୍ମାଣ ଓ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ବିଷୟରେ ଆଲୋଚନା କରିଥିଲେ।

ଭୁବନେଶ୍ୱର ଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ସକାଶେ ଅଧ ଏକଡ଼ ଜାଗା ସହ ତିନି କୋଟି ଟଙ୍କା ମଞ୍ଜୁର କରିଥିବାରୁ ନିଖିଳ ଓଡ଼ିଶା ମେହେର (ଭୁଲିଆ) ସମାଜର ସଭାପତି ବୈଶମ୍ପାୟନ ମେହେର, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର, କବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ତଥା ବରପାଲି ଭୁଲିଆ ସମାଜର ସଭାପତି ମହେନ୍ଦ୍ର କୁମାର ମେହେର, ସୁବାସ ମେହେର, ରମାକାନ୍ତ ମେହେର ପ୍ରମୁଖଙ୍କ ସହ ମେହେର ଭୁଲିଆ ସମାଜ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। 

ଏହାଦ୍ବାରା ଦୂରଦୂରାନ୍ତରରୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଠ ପଢିବା ପାଇଁ ତଥା ଚିକିତ୍ସା ପାଇଁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସେବା ଏହି ଭବନରେ ଯୋଗାଇ ଦିଆଯିବ ବୋଲି ମେହେର ସମାଜ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସୂଚନାଯୋଗ୍ୟ,  ମେହେର ସମାଜର ଅନୁରୋଧ ରକ୍ଷା କରି ଜମି ଯୋଗାଇ ଦେବାପାଇଁ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ସ୍ବଭାବ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe