ମା’ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ: ରାଜ୍ୟବାସୀଙ୍କ ମଙ୍ଗଳକାମନା କଲେ

Advertisment
ମା’ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ: ରାଜ୍ୟବାସୀଙ୍କ ମଙ୍ଗଳକାମନା କଲେ

କହିଲେ, ଓଡ଼ିଶାରେ ଶକ୍ତିପୂଜା ପରମ୍ପରା ବହୁ ପ୍ରାଚୀନ
ଭକ୍ତ, ପର୍ଯ୍ୟଟକଙ୍କ ପାଇଁ ନୂତନ ପ୍ରକଳ୍ପ ଲୋକାର୍ପିତ ଓ ଶିଳାନ୍ୟାସ

ବ୍ରହ୍ମପୁର/ପୁରୁଷୋତ୍ତମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ଙ୍କ ଆଶୀର୍ବାଦ ଲାଭ କରିବା ପରେ ଏକ ସାଧାରଣ ସଭାରେ ଯୋଗଦାନ କରି ଋଷିକୁଲ୍ୟା ନଦୀ ପାର୍ଶ୍ବର ଉନ୍ନତୀକରଣ ନିମନ୍ତେ ୨୮କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁଥିବା ଉଦ୍ୟାନ ଏବଂ ସୌନ୍ଦର୍ଯ୍ୟୀକରଣ, ମନ୍ଦିର ଚତୁଃପାର୍ଶ୍ବରେ ୧୫କୋଟି ଟଙ୍କା ବିନିମୟରେ ହେବାକୁ ଥିବା ରାସ୍ତା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

publive-image

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାରେ କହିଥିଲେ, ଆଜି ସାରାଓଡ଼ିଶା, ବିଶେଷକରି ଗଞ୍ଜାମ ଜିଲ୍ଲା ପାଇଁ ଏକ ପବିତ୍ର ଦିନ। ଓଡ଼ିଶା ହେଉଛି ଦେବଭୂମି। ଓଡ଼ିଶାରେ ଶକ୍ତିପୂଜା ପରମ୍ପରା ବହୁ ପ୍ରାଚୀନ। ଓଡ଼ିଶାର ଗାଁ ଗାଁରେ ମା’ଙ୍କ ପୂଜା ଅନାଦିକାଳରୁ ଚାଲିଆସିଛି। ମା’ ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟଦେବୀ। ଗଞ୍ଜାମବାସୀ ସବୁ ସୁଖଦୁଃଖରେ ମା’ଙ୍କ ଶରଣ ନେଇଥା’ନ୍ତି। ମା’ଙ୍କ ଅପାର କରୁଣା, ଆଶୀର୍ବାଦ ଓ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ମନ୍ଦିରର ଉନ୍ନତୀକରଣ କରାଯାଇ ଏକ ନୂଆରୂପ ଦିଆଯାଇଛି। ଏଥିପାଇଁ ଯେଉଁ ଶିଳ୍ପୀ ଓ କାରିଗରମାନଙ୍କ ପରିଶ୍ରମ ରହିଛି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ଏହି ପର୍ଯ୍ୟଟନସ୍ଥଳୀର ବିକାଶ ସହିତ ମା’ଙ୍କ ନିକଟକୁ ଆସୁଥିବା ଭକ୍ତମାନଙ୍କର ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

publive-image

ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ମନ୍ଦିରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକଗୁଡ଼ିଏ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିରର ଉନ୍ନତି ଦିଗରେ ଯେଉଁଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି, ଠିକ୍ ସେହିଭଳି ମା’ ତାରାତାରିଣୀଙ୍କ ପୀଠର ସୁରକ୍ଷା ଓ ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଯାଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ରୂପାନ୍ତରୀକରଣ କାର୍ଯ୍ୟଦ୍ବାରା ରାଜ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇପାରୁଛି। ଏଥିସହିତ, ଶହଶହ ବର୍ଷ ଧରି ଓଡ଼ିଶାରେ ରହିଥିବା ଧର୍ମପୀଠମାନଙ୍କର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇ ଉନ୍ନତୀକରଣ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ମନ୍ଦିରର ମୁଖ୍ୟଶିଳ୍ପୀ ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଧର୍ମପତ୍ନୀ ରଜନୀ ମହାପାତ୍ର, ମନ୍ଦିର ଆର୍କିଟେକ୍ଟ୍‌ ନାରାୟଣ ତ୍ରିପାଠୀ, ବିନା ପାରିଶ୍ରମିକରେ ମନ୍ଦିର କାର୍ଯ୍ୟରେ ଶ୍ରମଦାନ କରିଥିବା କୁମାରୀ ଦାଶ, ରାସ୍ତା ଓ କୋଠାବାଡ଼ି ବିଭାଗର ସହକାରୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ରଙ୍କୁ ସମ୍ମାନିତ କରିଥିଲେ। ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ମଧ୍ୟ ମନ୍ଦିର ପରିଦର୍ଶନ କରି ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟର ମନ୍ତ୍ରୀ, ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ, ସମସ୍ତ ଗ୍ରାମ ପଞ୍ଚାୟତର ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ କମିସନର୍ ଡ. ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ ସାମିଲ୍‌ ହୋଇଥିଲେ।

ପ୍ରକାଶଥାଉକି, ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ୧୦୫.୫ କୋଟି ଟଙ୍କା ବିନିମୟରେ ମନ୍ଦିରର ଚତୁଃପାର୍ଶ୍ବ ବିକାଶ, ସୌନ୍ଦର୍ଯ୍ୟୀକରଣ, ଗର୍ଭ ଗୃହ ନିର୍ମାଣ, ପାର୍ଶ୍ବ ଦେବତା ମନ୍ଦିର ନିର୍ମାଣ, ପ୍ରସାଦ ଗୃହ, ମୁଣ୍ଡନ ଗୃହ ପ୍ରଭୃତି ନୂତନ ଭାବେ ତିଆରି କରାଯାଇଛି। ୨୦୨୦ ମସିହାରେ ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ୫-ଟି ଅଧୀନରେ ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ସମାପନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe