କଟକ : ଓଡ଼ିଶା କ୍ରିକେଟ ସଂଘ(ଓସିଏ) ପକ୍ଷରୁ ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ପାଖାପାଖି ୧୫ହଜାର ପାସ୍ ବଣ୍ଟାଯିବ। ବାରବାଟୀ ଷ୍ଟାଡିୟମ୍ରେ ଦର୍ଶକ ବସିବା କ୍ଷମତା ୪୪ ହଜାର। ଯେଉଁଥିରୁ ପାସ୍କୁ ଛାଡ଼ିଦେଲେ ପାଖାପାଖି ୩୦ହଜାର ଟିକେଟ ବିକ୍ରି ପାଇଁ ରଖାଯାଇଛି। ଟିକେଟ ବିକ୍ରିରୁ ୪କୋଟି ଟଙ୍କା ଆୟ କରିବାକୁ ଓସିଏ ଲକ୍ଷ୍ୟ ରଖିଛି।
ହେଲେ ଯେତିକି ପାସ୍ ବଣ୍ଟାଯାଉଛି, ଯଦି ତାହାକୁ ଟିକେଟ ଆକାରରେ ବିକ୍ରି କରାଯାଏ, ତାହେଲେ ଓସିଏର ଆୟ ଆହୁରି ବଢିପାରନ୍ତା ବୋଲି କୁହାଯାଉଛି। ଏହି ପ୍ରସଙ୍ଗଟି ଉଠିବା ପଛରେ ଯେଉଁ କାରଣଟି ରହିଛି, ତାହାହେଲା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଟିକେଟ କିଣିଛନ୍ତି। ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି ଯେ ଯଦି ମୁଖ୍ୟମନ୍ତ୍ରୀ ପଇସା ଦେଇ ଟିକଟ କିଣିବେ, ତାହେଲେ ଭିଆଇପିମାନେ କାହିଁକି ମାଗଣା ପାସ୍ ନେବେ?
ଓସିଏ ରାଜ୍ୟ ସରକାରଙ୍କ ଠାରୁ କୌଣସି ଅନୁଦାନ ପାଇବାର ବ୍ୟବସ୍ଥା ନାହିଁ। ଏହା ଏକ ଲାଭଜନକ ସଂସ୍ଥା। ଓସିଏର ଆୟକୁ ରାଜ୍ୟ କ୍ରିକେଟ ଓ ଅନୁବନ୍ଧିତ ଜିଲ୍ଲାମାନଙ୍କରେ କ୍ରିକେଟ୍ର ବିକାଶ ଦିଗରେ ଖର୍ଚ୍ଚ କରାଯାଉଛି। ଭିଆଇପିମାନେ ପାସ୍ ନନେଇ ଟିକେଟ କିଣିଲେ ଓସିଏର ଆୟ ଆହୁରି ବଢିପାରନ୍ତା ଏବଂ ରାଜ୍ୟରେ କ୍ରିକେଟର ବିକାଶରେ ସହାୟତା ହୁଅନ୍ତା। ତେଣୁ ଭିଆଇପିମାନେ ଟିକେଟ କିଣିବା ଲାଗି ଦାବି ଉଠିଲାଣି।
 Sambad Englishବାରବାଟୀ ଷ୍ଟାଡିୟମ୍ର ବିଭିନ୍ନ ଗ୍ୟାଲେରିକୁ ବାଦ୍ ଦେଲେ କ୍ଲବ୍ ହାଉସ୍ର ତିନି ମହଲା, ଓଲ୍ଡ ପାଭିଲିଅନ୍ର ୩ମହଲା, ବିସିସିଆଇ ବକ୍ସ, ଓସିଏ ବକ୍ସ, ପ୍ରେସ୍ ବକ୍ସ ଓ ଅପର୍ ପ୍ରେସ୍ ବକ୍ସକୁ ପାସ୍ଧାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏଗୁଡ଼ିକ ବ୍ୟତୀତ ଗ୍ୟାଲେରି ଓ ସ୍ପେସାଲ୍ ଏନ୍କ୍ଲୋଜରରେ ମଧ୍ୟ କିଛି ଟିକେଟ ପାସ୍ ମାଧ୍ୟମରେ ବଣ୍ଟାଯାଏ। ଭିଭିଆଇପି, ଭିଆଇପି, ବିସିସିଆଇ ଓ ଓସିଏର ଅତିଥି, ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତ୍ୟେକ ମ୍ୟାଚ୍ ସମୟରେ ପାସ୍ ଦିଆଯାଇଥାଏ। ତେବେ ଏଗୁଡ଼ିକ ଭିତରୁ ଅତିଥି ଓ ଗଣମାଧ୍ୟମକୁ ଛାଡ଼ିଦେଲେ ଅନ୍ୟ ଗ୍ୟାଲେରି ଓ ପାଭିଲିଅନ୍ ପାସ୍କୁ ଯଦି ଟିକେଟକୁ ପରିବର୍ତ୍ତନ କରାଯାଇପାରନ୍ତା, ତାହେଲେ ଓସିଏର ଆୟରେ ବୃଦ୍ଧି ହେବ ଏଥିରେ ସନ୍ଦେହ ନାହିଁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁକରଣ କଲେ ଯାଇ ଏହା ସମ୍ଭବ ହୋଇପାରିବ। ସୂଚନାଯୋଗ୍ୟ ଯେ ସୋମବାର ମୁଖ୍ୟମନ୍ତ୍ରୀ ପ୍ରଥମ ବ୍ୟକ୍ତି ଭାବେ ଅଫଲାଇନ୍ ଟିକେଟ କିଣି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ଯଦିଓ ମୁଖ୍ୟମନ୍ତ୍ରୀଙ୍କ ହାତରେ ଟିକେଟ ବିକ୍ରିର ଶୁଭାରମ୍ଭ କରିବାକୁ ଏକ ଡମି ଟିକଟ ନିଆଯାଇଥିଲା। ପରେ ୧ ନମ୍ବର ଗ୍ୟାଲେରି ଟିକେଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।
ପ୍ରତିବଦଳରେ ମୁଖ୍ୟମନ୍ତ୍ରୀ ଟିକେଟର ମୂଲ୍ୟକୁ ଓସିଏ ସମ୍ପାଦକ ଓ ସଭାପତିଙ୍କୁ ହସ୍ତାନ୍ତର କରିଥିଲେ। ଏହିପରି ଭାବେ ଯଦି ଭିଆଇପି ଓ ଭିଭିଆଇପିମାନେ ଖଣ୍ଡେ ଖଣ୍ଡେ ଟିକେଟ କିଣନ୍ତେ, ତାହେଲେ ଓସିଏ ଆୟ ବୃଦ୍ଧି ସହ ଟିକସ ଯୋଗୁଁ ସରକାରଙ୍କ ଆୟ ମଧ୍ୟ ବଢିପାରନ୍ତା ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2017/12/barabati-300x225.jpg)
ବାରବାଟୀ ମ୍ୟାଚ୍ ପାଇଁ ଦର୍ଶକଙ୍କ ମୋଟ କ୍ଷମତା ୪୪୨୩୪। ଏଥିରୁ ୨୯୧୫୪ ଟିକେଟକୁ ବିକ୍ରି ପାଇଁ ରଖାଯାଇଥିଲା। ଅନ୍ଲାଇନ୍ରେ ୫ହଜାର ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ୮ହଜାର ଟିକେଟ ବିକ୍ରି ପାଇଁ ରଖାଯାଇଥିଲା। ଫଳରେ ୧୬୧୫୪ ଟିକେଟ କାଉଣ୍ଟରରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ କର୍ପୋରେଟ ସେକ୍ଟରରେ ଦାମୀ ଟିକେଟର ଚାହିଦା ବୃଦ୍ଧି ପାଇବାରୁ ଏସି ବକ୍ସ ଓ କର୍ପୋରେଟ ବକ୍ସର ପାଖାପାଖି ୪ ହଜାର ଟିକେଟକୁ ଅଗ୍ରୀମ ବିକ୍ରି କରି ଦିଆଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ୯ ତାରିଖରୁ ଆରମ୍ଭ ହେବାକୁ ଥିବା କାଉଣ୍ଟର ବିକ୍ରିରେ ପ୍ରାୟ ୧୨ ହଜାର ଟିକେଟ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।
  
 Follow Us