କେନ୍ଦୁଝର: ନିଜ ଗାଁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ରାଇକଳାରେ ଗ୍ରାମବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀପାବଳି ପାଳନ କରିଛନ୍ତି। ସେ ଅପରାହ୍ଣରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ ଆସି ରାଇକଳାସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଥିଲେ। କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ସାଧାରଣ ସଂପାଦକ ଅନୁବ୍ରତ ବେହେରା ଓ ଗ୍ରାମବାସୀ ତାଙ୍କୁ ସ୍ବାଗତ କରିବା ସହ ଗାଁକୁ ପାଛୋଟି ନେଇଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୋଳ, ମାଦଳ ବଜାଇ ଗ୍ରାମବାସୀଙ୍କ ସହ ଦୀପାବଳି ପାଳନ କରିଥିଲେ।
ପରେ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ଗୋଠାଣି ପୂଜାରେ ସାମିଲ ହୋଇଥିଲେ। ଏହି ଅବସରରେ ଝୁମ୍ପୁରା ଦୁର୍ଗାପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଗିଫ୍ଟ କୁପନ୍ ପ୍ରଦାନ କରାଯାଇଥିଲା। ଏହି କୁପନ୍ରେ ମୁଖ୍ୟମନ୍ତ୍ରୀ ଏକ ସାଇକଲ ଜିତିଥିଲେ। ପୂଜାକମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ସାଇକଲ ପ୍ରଦାନ କରାଯିବା ପରେ ସେ ତାହାକୁ ନିଜ ଗାଁ ରାଇକଳାର ବାପଛେଉଣ୍ଡ ନାବାଳକ ଯୋଗେଶ୍ବର ନାଏକଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ସାଇକଲ ପାଇ ଯୋଗେଶ୍ୱର ଖୁସି ବ୍ୟକ୍ତ କରିବା ସହ ସାଇକଲରେ ସେ ସ୍କୁଲ ଯାଇ ପାଠ ପଢ଼ିବେ ବୋଲି କହିଥିଲେ।
Follow Us