ବିଶ୍ଵ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କର

ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧିଙ୍କୁ ସୁରଜ୍ ପୁରସ୍କାର

ବିଶ୍ଵ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କର

odisha bytes

ଭୁବନେଶ୍ୱର/ଛତ୍ରପୁର: ଅଙ୍ଗଦାନ ଦ୍ବାରା ଅନେକଙ୍କ ଜୀବନ ରକ୍ଷା କରାଯାଇପାରୁଛି। ସମାଜ ଉପରେ ଏହାର ଭଲ ପ୍ରଭାବ ପଡୁଛି। ସବୁବେଳେ ଏଭଳି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରିବାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସି ଜରିଆରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି।

ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମର ଜଗନ୍ନାଥପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ କନିଷି ନିକଟ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରାଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୁଶିଲଙ୍କ ପତ୍ନୀ ପିଙ୍କି ସାହୁ ଓ ସିଦ୍ଧିଙ୍କ ପିତା ସପନ୍ କୁମାର ବିନ୍ଧାଣୀ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗଦାନ ପାଇଁ ୨୦୨୦ରୁ ଏହି ପୁରସ୍କାର ଦିଆଯାଉଛି। ଚଳିତ ବର୍ଷ ଏହା ତୃତୀୟ ସୁରଜ୍ ପୁରସ୍କାର। ୨୦୨୦ରେ ଗଞ୍ଜାମର ମସ୍ତିଷ୍କାଘାତରେ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ୬ଟି ଗୁରୁତବପୂର୍ଣ୍ଣ ଅଙ୍ଗ ଦାନ କରି ୬ଜଣଙ୍କ ଜୀବନ ରକ୍ଷା କରିଥିଲେ। ସେହିଦିନଠାରୁ ତାଙ୍କ ନାମରେ ମୁଖ୍ୟମନ୍ତ୍ରୀ ଏହି ସୁରଜ ପୁରସ୍କାର ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତାମାତାଙ୍କ ନିକଟରେ ସମାଜ ଋଣୀ। ଏହା ଦ୍ବାରା ସମାଜ ଉପରେ ଭଲ ପ୍ରଭାବ ପଡୁଛି। ଏଭଳି କାମ କରି ସୁନ୍ଦର ସମାଜ ଗଠନ କରିବାକୁ ସେ କହିଥିଲେ।

ଉଭୟଙ୍କ  ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ

ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ସମାଜ ଉପରେ ଭଲ ପ୍ରଭାବ ପଡୁଛି

ସେମାନଙ୍କ ପରିବାର ନିକଟରେ ସମାଜ  ୠଣୀ

ମୁଖ୍ୟମନ୍ତ୍ରୀ କହିଲେ ଯେ ଅଙ୍ଗ ଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରି ପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ। ଅଙ୍ଗ ଦାନ ଏକ ସାହସିକ ନିଷ୍ପତ୍ତି। ଅଙ୍ଗ ଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ ବୋଲି ସେ କହିଥିଲେ।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖି ସୁଶୀଲ ଓ ସିଦ୍ଧୀଙ୍କ ପରିବାରର ତ୍ୟାଗର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ଏହି ମହାନ କାର୍ଯ୍ୟ ସମାଜ ପାଇଁ ଆଦର୍ଶ ବୋଲି କହିଥିଲେ। ୫-ଟି ସଚିବ ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏନଏଚଏମର ନିର୍ଦ୍ଦେଶକ ଶାଲିନି ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ। ଡିଏମଇଟି ପ୍ରଫେସର ରାଧାରମଣ ମହାନ୍ତି, ମୁଖ୍ୟ ଶାସନ  ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସହ ଉନ୍ନୟନ କମିଶନର  ଓ ବରିଷ୍ଠ ଅଧିକାରୀ  ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe