ଅନ୍ୟ ଜାତିରେ ବାହା ହେଲେ ମୁଖ୍ୟମନ୍ତ୍ରୀ ସରକାରୀ ଚାକିରି ଦିଅନ୍ତୁ: ଅଠାୱଲେ

Advertisment
ଅନ୍ୟ ଜାତିରେ ବାହା ହେଲେ ମୁଖ୍ୟମନ୍ତ୍ରୀ ସରକାରୀ ଚାକିରି ଦିଅନ୍ତୁ: ଅଠାୱଲେ

ଭୁବନେଶ୍ବର : ଓଡ଼ିଶାରେ ଯିଏ ଆନ୍ତଃଜାତି ବିବାହ କରିବ ତାଙ୍କ ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରନ୍ତୁ। ସ୍ବାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ସରକାରୀ ଚାକିରି ଦିଅନ୍ତୁ। ଏହାଦ୍ବାରା ଆନ୍ତଃଜାତି ବିବାହ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବ। ଲୋକ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜାତିର ପୁଅ/ଝିଅଙ୍କ ଘରକୁ ଯିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେବାକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରାମଦାସ ଅଠାୱଲେ ଅନୁରୋଧ କରିଛନ୍ତି।

ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ଅଠାୱଲେ ରାଜ୍ୟ ଅତିଥି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସାରା ଦେଶରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯାଉଛି। ‌ଆନ୍ତଃଜାତି ବିବାହ କଲେ କେନ୍ଦ୍ର ସରକାର ଡ. ଆମ୍ବେଦକର ଯୋଜନାରେ ଅଢ଼େଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି। ଓଡ଼ିଶାରେ ବି ଏହିଭଳି ଯୋଜନା କରି ଆନ୍ତଃଜାତି ବିବାହ କରୁଥିବା ଲୋକଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦିଆଯାଉଛି। କିନ୍ତୁ ଏହାକୁ ଅଧିକ ପ୍ରୋତ୍ସାହିତ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ବଡ଼ ପଦକ୍ଷେପ ନେବାକୁ ହେବ। ଯଦି ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ସରକାରୀ ଚାକିରି ମିଳିବ ତେବେ ସମାଜରେ ବଡ଼ ପରିବର୍ତ୍ତନ ଆସିବ। ଯେଉଁଦିନ ଗୋଟିଏ ଜାତିର ଲୋକ ଅନ୍ୟ ଜାତିର ଘରକୁ ବିବାହ ପ୍ରସ୍ତାବ ନେଇକି ଯିବେ ସେଦିନ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବ।

ଏହି ଅବସରରେ ଶ୍ରୀ ଅଠାୱଲେ କହିଥିଲେ ଯେ ଓଡ଼ିଶାରେ ଦଳିତ, ଆଦିବାସୀଙ୍କ ଉପରେ ଅତ୍ୟାଚାର ପୂରା ବନ୍ଦ ହେବା ଦରକାର। ସେହିପରି ଓଡ଼ିଶାରେ ପ୍ରାୟ ୨୦ଲକ୍ଷ ଲୋକଙ୍କୁ ୫୦୦ଟଙ୍କା ହିସାବରେ ସାମାଜିକ ଭତ୍ତା ମିଳୁଥିବାବେଳେ ଏହାକୁ ବଢ଼ାଇବାକୁ ବହୁତ ଦାବି ହେଉଛି। ଭତ୍ତା ବଢ଼ାଇବା ନେଇ ଆମେ ବିଚାର କରୁଛୁ ବୋଲି ଅଠାୱଲେ କହିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାରା ଦେଶରେ କେତେ ଉପକୃତ ହୋଇଛନ୍ତି ଓ ଓଡ଼ିଶାରେ କେତେ ଉପକୃତ ହୋଇଛନ୍ତି ତାହାର ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe