ରାଜ୍ୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଅଦୃଶ୍ୟ: ମନମୋହନ

Advertisment

ଚାଲିଛି ସଚିବଙ୍କ ରାଜ, ଏଥର ସରକାର ବଦଳିବ

ଚାଲିଛି ସଚିବଙ୍କ ରାଜ, ଏଥର ସରକାର ବଦଳିବ

ରାଜ୍ୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଅଦୃଶ୍ୟ: ମନମୋହନ

ରାୟଗଡ଼ା: ରାଜ୍ୟରେ ଅପାରଗ ସରକାର ଚାଲିଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦେଖିବାକୁ ମିଳୁନି। ଏଠାରେ ସଚିବଙ୍କ ରାଜ ଚାଲୁଛି। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବ ବୁଲିବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ଦୁଇଦିନିଆ ରାୟଗଡ଼ା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି। ଆଜି ସକାଳେ ରାୟଗଡ଼ାର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ସାମଲ ଏଭଳି ମତବ୍ୟକ୍ତ କରିଛନ୍ତି।

ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ଦୃଷ୍ଟି ଦେଉଛନ୍ତି। କିନ୍ତୁ କେନ୍ଦ୍ର ଦେଉଥିବା ଅନୁଦାନକୁ ରାଜ୍ୟ ସରକାର ବିନିଯୋଗ କରିନପାରି ବାହୁସ୍ଫୋଟ ମାରୁଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଫେଲ ମାରିଥିବା ବେଳେ କେନ୍ଦ୍ର ସରକାର ଦେଉଥିବା ଟଙ୍କା ଖର୍ଚ୍ଚ ହୋଇପାରୁନି। ରାଜ୍ୟରେ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କଥା ଚଳୁନି। ଏଠାରେ ସଚିବଙ୍କ କଥା ଚଳେ। ସଚିବ ୩୦ଟି ଜିଲ୍ଲା ବୁଲିବା ପାଇଁ କେତେ ଟଙ୍କା ଖର୍ଚ୍ଚ କଲେ। ସେସବୁ କାହାର ଟଙ୍କା। ଲୋକଙ୍କ ଟଙ୍କାରେ ସେ ବୁଲିଲେ। ରାଜ୍ୟରେ ମନ୍ତ୍ରୀମାନଙ୍କ ଦେଖା ମିଳୁନି। ଲୋକେ କାହାକୁ ଗୁହାରି କରିବେ।

୨୪ ବର୍ଷର ବିଜେଡି ସରକାର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ପାରିଲାନି। ଲୋକେ ଏହି ସରକାର ଉପରେ ଅତିଷ୍ଠ ହୋଇପଡ଼ିଲେଣି। ଏଥର ସରକାର ବଦଳିବ। ବିଜେପି ସାରା ରାଜ୍ୟରେ ଭଲ ପ୍ରଦର୍ଶନ କରିବ। ଓଡ଼ିଶାକୁ କେନ୍ଦ୍ର ସରକାର ୧୮ ଲକ୍ଷ କୋଟି ଟଙ୍କା ଦେଇସାରିଲେଣି। କିନ୍ତୁ ଓଡ଼ିଶା ସରକାର ଏହାକୁ କେତେ ବିନିଯୋଗ କରିଛନ୍ତି। ତାହାର ହିସାବ ମଗାଯିବ। ସବୁ ସରକାରୀ ଯୋଜନାରେ ଦୁର୍ନୀତି ଭରି ରହିଛି। ଓଡ଼ିଶାର ବିକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସହଯୋଗ କରୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ତେଣୁ ବିଜେପି ସରକାର ଗଠନ କଲେ ରାଜ୍ୟର ଉନ୍ନତି ଓ ବିକାଶ ହୋଇପାରିବ ବୋଲି ଶ୍ରୀ ସାମଲ କହିଥିଲେ। ଏଥିସହ ରାୟଗଡ଼ା ନିର୍ବାଚନୀ ମଣ୍ଡଳର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ରୁଦ୍ଧଦ୍ବାର ବୈଠକ ମଧ୍ୟ କରିଥିଲେ। ଏଥିରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ରାୟଗଡ଼ା ଜିଲ୍ଲାର ୩ଟି ଯାକ ଆସନକୁ ହାତେଇବ ବୋଲି ଶ୍ରୀ ସାମଲ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ କିଶୋର ପଣ୍ଡା, ଜାତୀୟ ଜନଜାତି ମୋର୍ଚ୍ଚାର ସାଧାରଣ ସଂପାଦକ କାଳୀରାମ ମାଝି, ବସନ୍ତ ଉଲ୍ଲାକା, ଉପସଭାପତି ପଦ୍ମନାଭ ଦାସ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ଅଶ୍ବିନୀ ଖଚଡ଼ା ପ୍ରମୁଖ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe