ଜଟଣୀରେ ଆଇଟିସିର ଆଇସିଏମ୍‌ଏଲ୍‌ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Advertisment
ଜଟଣୀରେ ଆଇଟିସିର ଆଇସିଏମ୍‌ଏଲ୍‌ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଜଟଣୀ : ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବେଲପଡ଼ା ଖୋଲାଦ୍ବାରଠାରେ ଆଇଟିସି କମ୍ପାନିର ଏକ ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ୍‌ ଗ୍ରାହକ ସାମଗ୍ରୀ ଉତ୍ପାଦନ ଏବଂ ଲଜିଷ୍ଟିକ (ଆଇସିଏମ୍‌ଏଲ୍‌) ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କମ୍ପାନି ଅଧ୍ୟକ୍ଷ ସଞ୍ଜୀବ ପୁରୀଙ୍କୁ ପ୍ରସଂଶା କରିବା ସହ ଭବିଷ୍ୟତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ବ୍ୟବସାୟକୁ ସମ୍ପ୍ରସାରିତ କରିବାକୁ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇଥିଲେ। ଆଇଟିସି ଅଧ୍ୟକ୍ଷ ସଞ୍ଜୀବ ପୁରୀ କହିଛନ୍ତି ଯେ ଏଠାରେ ଆଇଟିସିର ବିଶ୍ବସ୍ତରୀୟ ଖାଦ୍ୟ ବ୍ରାଣ୍ଡ ପ୍ରର୍ଯ୍ୟାୟକ୍ରମେ ଉତ୍ପାଦନ କରାଯିବ। ବିଶ୍ବସ୍ତରୀୟ ଖାଦ୍ୟ ପ୍ରକ୍ରିୟାକରଣରେ ଖୋର୍ଦ୍ଧା ଏବେ ଏକ ପରିଚିତ ନାଁ ହେବ। ଆଇଟିସିର ଏହି ନିବେଶ ଦ୍ବାରା ରାଜ୍ୟର ଉତ୍ପାଦନ କ୍ଷେତ୍ର ମଧ୍ୟ ସମୃଦ୍ଧ ହେବ। ଏହି ଅତ୍ୟାଧୁନିକ କାରଖାନା ୧ ମେଗାୱାଟ୍ ସବୁଜ ଶକ୍ତି ଦ୍ବାରା ଚାଳିତ ହେବ ଏବଂ ଏଠାରେ ବୃଷ୍ଟିଜଳ ଅମଳ ପ୍ରକଳ୍ପ (ରେନ୍‌ ୱାଟର୍‌ ହାଭେଷ୍ଟିଙ୍ଗ) ବ୍ୟବସ୍ଥା ମଧ୍ୟ ପ୍ରଦର୍ଶିତ ହେବ। ଏହାଦ୍ବାରା ସର୍ବାଧିକ ଶକ୍ତି ସଂରକ୍ଷଣ ଏବଂ ଭୂତଳ ଜଳ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏଥିସହ କମ୍ପାନିରେ ମହିଳା କର୍ମଚାରୀଙ୍କ ନିଯୁକ୍ତି ସଂଖ୍ୟା ବୃଦ୍ଧି କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପୁରୀ କହିଛନ୍ତି।

ଆଇଟିସି ଦ୍ବାରା ନିକଟରେ ଆରମ୍ଭ ହୋଇଥିବା ୱେଲକମ୍‌ ହୋଟେଲ ସମେତ ଭୁବନେଶ୍ବରର ଦୁଇଟି ସ୍ବତନ୍ତ୍ର ହୋଟେଲ୍‌ ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ସହଯୋଗ କରୁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ହୋଇଥିବା ଏହି ପ୍ରକଳ୍ପ ୩୫ ଏକରରୁ ଅଧିକ ଜମିରେ ଗଢ଼ିଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe