ଭୁବନେଶ୍ୱର: ଜଳସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍ମାର୍ଟ କରାଯିବା ସହିତ ୨୦୨୯-୩୦ ମସିହା ସୁଦ୍ଧା ରାଜ୍ୟରେ ୧୫ଲକ୍ଷ ହେକ୍ଟର୍ ଚାଷଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ରହିଛି। ଯେପରିକି କେନାଲ୍ର ଶେଷମୁଣ୍ଡରେ ଜଳ ପହଞ୍ଚିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଜୀବ ଭବନସ୍ଥିତ ଜଳସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ଅଧିକାରୀମାନଙ୍କ ସହିତ ସବିସ୍ତୃତ କାର୍ଯ୍ୟାବଳୀ ସମ୍ପର୍କରେ ପଚାରି ବୁଝିବା ସହିତ ସ୍ଥିତି ସମୀକ୍ଷା କରି ଉନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗରେ ଆଜି ପହଞ୍ଚି ପ୍ରଥମେ ଅଷ୍ଟମ ମହଲାସ୍ଥିତ ରାଜ୍ୟ ଜଳବିଜ୍ଞାନ ତଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରାଜ୍ୟରେ ବିଭିନ୍ନ ଜଳଭଣ୍ଡାର ଓ ନଦୀଗୁଡ଼ିକରେ ଜଳ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବୁଝିଥିଲେ। ରାଜ୍ୟ ଜଳବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଠିକ୍ ସମୟ ଭିତ୍ତିରେ ରାଜ୍ୟରେ ଜଳ ପରିଚାଳନା କରାଯାଇଥାଏ।
ଏହା ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉପବିଭାଗ ପରିଦର୍ଶନ କରି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଆହୁରି ପ୍ରତିବଦ୍ଧତାର ସହ କାମ କରିବା ଆବଶ୍ୟକ। ପରିଦର୍ଶନ ପରେ ଗଣମାଧ୍ୟମକୁ ବିବୃତି ରଖି କୃଷିର ବିକାଶ ପାଇଁ ଜଳସେଚନ ସମୃଦ୍ଧି ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଚାଷୀମାନଙ୍କର ଜଳସେଚନ ସମସ୍ୟା ସମାଧାନ ପାଇଁ କେନାଲର ଶେଷମୁଣ୍ଡ ପର୍ଯ୍ୟନ୍ତ ଯେପରି ଜଳ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବିଭାଗକୁ ଆହୁରି ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଉନ୍ନୟନ କମିସନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଏବଂ ବିଭାଗୀୟ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜଳସେଚନର ସମୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ।
Follow Us