ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଏବେ ସପ୍ତାହକୁ ୫ଦିନ ଉଡ଼ିବ

ଆଜିଠାରୁ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ବିମାନ ସେବା ଆରମ୍ଭ ହୋଇଛି। ଷ୍ଟାର୍‌ ଏୟାର ପକ୍ଷରୁ ଏହି ରୁଟ୍‌ରେ ଏକ ୭୬ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ। ଓଡ଼ିଶା ନୂଆ ଗନ୍ତବ୍ୟସ୍ଥଳ ନୀତିରେ ରାଜ୍ୟ ସରକାର ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଭିଜିଏଫ୍ ଦେବେ।

airport

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ବିମାନ ସେବା ଆରମ୍ଭ ହୋଇଛି। ଷ୍ଟାର୍‌ ଏୟାର ପକ୍ଷରୁ ଏହି ରୁଟ୍‌ରେ ଏକ ୭୬ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବ। ଓଡ଼ିଶା ନୂଆ ଗନ୍ତବ୍ୟସ୍ଥଳ ନୀତିରେ ରାଜ୍ୟ ସରକାର ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଭିଜିଏଫ୍ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ବିମାନ ଉଡ଼ାଣର ଶୁଭାରମ୍ଭ କରିବା ସହ ପ୍ରଥମ ଯାତ୍ରୀଙ୍କୁ ବୋର୍ଡିଂ ପାସ୍ ପ୍ରଦାନ କରିଛନ୍ତି। ଏହି ବିମାନଟି ଏବେ ସପ୍ତାହକୁ ୫ଦିନ ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଚଳାଚଳ କରିବ। ମାତ୍ର ୪୫ ମିନିଟରେ ବିମାନଟି ଭୁବନେଶ୍ବରରୁ ବାହାରି ଝାରସୁଗୁଡ଼ାରେ ପହଞ୍ଚିବ। ଖୁବଶୀଘ୍ର ଏହାକୁ ଦୈନିକ ବିମାନ ସେବାରେ ପରିଣତ କରିବାକୁ ଯୋଜନା ଅଛି।

ଏହି ବିମାନ ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ଐତିହାସିକ ପଦକ୍ଷେପ କେବଳ ପଶ୍ଚିମ ଓଡ଼ିଶାକୁ ଭୁବନେଶ୍ବର ସହ ନିକଟତର କରିବନି, ବରଂ ଶିଳ୍ପୋନ୍ନତି, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନ-ପ୍ରଦାନକୁ ମଧ୍ୟ ଦ୍ରୁତ ଗତି ଦେବ। ଭୁବନେଶ୍ବରରୁ ଏବେ ୪ଟି ଅନ୍ତର୍ଜାତୀୟ ବିମାନ ସିଙ୍ଗାପୁର, ବ୍ୟାଙ୍କକ, ଦୁବାଇ ଓ ଆବୁଧାବିକୁ ଚଳାଚଳ କରୁଛି। ଭୁବନେଶ୍ବର ଓ ଝାରସୁଗୁଡ଼ାରୁ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ରୁଟ୍‌କୁ ମିଶାଇ ମୋଟ୍ ୩୯ଟି ରୁଟ୍‌ରେ ବିମାନ ଚଳାଚଳ କରୁଛି। ଓଡ଼ିଶା ଭିତରେ ଭୁବନେଶ୍ବରରୁ ଜୟପୁର, ରାଉରକେଲା ଓ ଉତ୍‌କେଲାକୁ ବିମାନ ଚଳାଚଳ କରୁଥିଲା। ଆଜି ଝାରସୁଗୁଡ଼ା ସହିତ ଭୁବନେଶ୍ବର ଆକାଶପଥରେ ଯୋଡ଼ି ହେଲା। ଆଗାମୀ ଦିନରେ  ଆହୁରି ଅଧିକ ଘରୋଇ ଓ  ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି। ସେହିପରି ଭୁବନେଶ୍ବର ବିମାନ ବନ୍ଦରରେ ବିମାନର ମରାମତି, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଏମ୍‌ଆର୍‌ଓ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ବିଶ୍ବସ୍ତରୀୟ ବିମାନ ଚଳାଚଳ ବ୍ୟବସ୍ଥା ପାଇଁ ଆମର ସମସ୍ତ ପଦକ୍ଷେପ ଜାରି ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବ।

ଏହି ବିମାନ ଶୁଭାରମ୍ଭ ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ, ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବଡ଼ଚଣା ବିଧାୟକ  ଅମର ନାୟକ, ନିଆଳି ବିଧାୟକ ଛବି ମଲ୍ଲିକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏବଂ ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe