ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ କହିଛନ୍ତି, ବାତ୍ୟା ‘ମୋନ୍ଥା’ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ସଚେତନ ଅଛନ୍ତି। ଆମର ବଡ଼ ଲକ୍ଷ୍ୟ ଶୂନ୍ୟ ମୃତାହତ। ଏହାକୁ ଆମେ ଗୁରୁତ୍ବ ଦେଉଛେ। ଆମେ ବିଭିନ୍ନ ବିଭାଗକୁ କହିଛୁ କୌଣସି ପ୍ରକାରରେ ଆମେ ଯେପରି ଅସୁବିଧାର ସାମ୍ନା କରିବୁ ନାହିଁ ସେହି ଦିଗରେ କାମ କରିବୁ। ରାଜ୍ୟ ସରକାର ସମାଜର ସବୁ ବର୍ଗର ଲୋକଙ୍କର ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି। କେବଳ ୮ଟି ଜିଲ୍ଲାରୁ ୨୦୯୮ ଜଣ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦରକାର ପଡ଼ିଲେ ଆହୁରି ୬୫୧ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯିବ।
ମୁଖ୍ୟମନ୍ତ୍ରୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରି ବାତ୍ୟା ‘ମୋନ୍ଥା’ ପାଇଁ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବାତ୍ୟା, ବନ୍ୟା ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଆମର ଅଭିଜ୍ଞତା ରହିଛି। ଅତୀତରେ ଏଥି ପାଇଁ ଓଡ଼ିଶାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି। ବାତ୍ୟା ଲ୍ୟାଣ୍ଡଫଲ୍ ହେବାର ଯେଉଁ ସମୟ ଥିଲା, ସେହି ଆଧାରରେ ଆଜି ପୂର୍ବାହ୍ଣ ସାଢ଼େ ୧୦ଟାରେ ସମୀକ୍ଷା କରିଥିଲୁ। ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଏସ୍ଆରସି, ଅନ୍ୟ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତି ଥିଲେ। ସେହିପରି ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ଏବଂ ୮ଟି ଜିଲ୍ଲା (ଗଜପତି, ଗଂଜାମ, କେରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, କଳାହାଣ୍ଡି ଓ କନ୍ଧମାଳ)ର ଜିଲ୍ଲାପାଳମାନେ ବୈଠକରେ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Cyclone Montha Updates: ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ଲାଗି ଆସନ୍ତାକାଲି ଶିମିଳିପାଳ ଓ ନନ୍ଦନକାନନ ବନ୍ଦ
କାକିନାଡା ନିକଟରେ ଲ୍ୟାଣ୍ଡଫଲ୍
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆନ୍ଧ୍ରପ୍ରଦେଶର କାକିନାଡା ଠାରୁ ଦକ୍ଷିଣ ଦିଗରେ ଅବସ୍ଥିତ କାମଲାପୁର ପାଖରେ ବାତ୍ୟା ଲ୍ୟାଣ୍ହଫଲ କରିଛି। ଆଜି ସନ୍ଧ୍ୟା ୭ଟାରୁ ତିନି ଘଣ୍ଟା ହେଲା ଜାରି ରହିଛି। ଆହୁରି ୨ ଘଣ୍ଟା ଏହାର ପ୍ରକ୍ରିୟା ଚାଲିବ। ପବନର ବେଗ ୯୦ରୁ ୧୦୦ କିମି ରହିଛି। ତୃଣମୂଳସ୍ତରରେ ସ୍ଥିତି କ’ଣ ରହିଛି, ତାର ସରଜମିନ ସ୍ଥିତି ଉପରେ ଓସଡମା ନିୟନ୍ତ୍ରଣ କକ୍ଷ ନଜର ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏପର୍ଯ୍ୟନ୍ତ ବଡ଼ଧରଣର କ୍ଷତି ହୋଇନାହିଁ
ଆଜି ସନ୍ଧ୍ୟାରେ ଆମେ ଆଇଏମ୍ଡି ଗ୍ରାଫିକ ଚିତ୍ର ଉପରେ ନଜର ପକାଇଛୁ। ଯାହା ଆଶା କରାଯାଉଥିଲା, ସେହିଭଳି ପ୍ରଭାବ ଆମର ୮ଟି ଜିଲ୍ଲାରେ ଦେଖାଯାଇ ନାହିଁ। ଗଜପତି ଗୋଟିଏ ଏବଂ ଗଂଜାମର ଗୋଟିଏ ସ୍ଥାନରେ ୧୧୫ମିମି ବର୍ଷା ହୋଇଛି। ଅନ୍ୟସ୍ତାନରେ ବଡ଼ଧରଣର ବର୍ଷା ହୋଇନାହିଁ। ଲ୍ୟାଣ୍ଡଫଳ ପ୍ରକ୍ରିୟା ମଧ୍ୟରେ ମାଲକାନଗିରିରେ ନାହିଁ। ବଣ୍ଡାଘାଟି ସମେତ ମାଲକାନଗିରି ଜିଲ୍ଲାର ସବୁ ଅଞ୍ଚଳର ରିପୋର୍ଟ ନିଆଯାଉଥିଲା। ରିପୋର୍ଟରୁ ଜଣାପଡ଼ିଛି କୌଣସି ବଡ଼ଧରଣର ଘଟଣା ଘଟି ନାହିଁ। କିଛି ସ୍ଥାନରେ ପଥର ପଡ଼ିଛି। ଗଜପତିର କାଶୀନଗରରେ ପଥର ଓ ଗଛ ପଡ଼ିଥିଲା।
୧୭,୮୧୭ ଜଣ ସ୍ଥାନାନ୍ତର
ସେ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ୍ରାଫ ଓ ଏନ୍ଡିଆରଏଫ ଟିମ୍ ମୁତୟନ ଅଛନ୍ତି। ଖାଦ୍ୟ, ସ୍ବାସ୍ଥ୍ୟ, ବାତ୍ୟା ଆଶ୍ରୟ ସ୍ଥଳୀ ବ୍ୟବସ୍ଥା କରାଯାଇଛି। ୧୭,୮୧୭ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଆବଶ୍ୟକ ହେଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବାର ଯୋଜନା ଥିଲା। ଲ୍ୟାଣ୍ଡଫଲ ସମୟରେ ସ୍ଥିତି ଅନୁଯାୟୀ ଆମେ ପଦକ୍ଷେପ ନେବୁ।
ରେଳମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଦ୍ୟୁତ, ଆରଡି, କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ନେଇ ତୁରନ୍ତ ରିପୋର୍ଟ ପ୍ରଦାନ କରିବେ। ଏବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କିଛି ସମୟ ପୂର୍ବରୁ ସ୍ଥିତି ସଂପର୍କରେ ପଚାରିଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ରେଳମନ୍ତ୍ରୀ କଥା ହୋଇଥିଲେ। ବଡ଼ଧରଣର କ୍ଷୟକ୍ଷତି ନହେଲେ ବାତିଲ କରାଯାଇଥିବା ଟ୍ରେନ୍ଗୁଡ଼ିକର ପରିଚାଳନା ପାଇଁ ବିଚାର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/28/mohan-majhi1-2025-10-28-22-42-10.jpg)