ତାଳଚେର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ

ତାଳଚେର ମେଡିକାଲ କଲେଜ: ପରିଚାଳନା କରିବେ ରାଜ୍ୟ ସରକାର, ଖର୍ଚ୍ଚ ଦେବ ଏମସିଏଲ

Photo: Odisha Bytes

ଭୁବନେଶ୍ବର/ଅନୁଗୁଳ: ଶେଷରେ ତାଳଚେର ମେଡ଼ିକାଲ କଲେଜ ଚାଲିବା ନେଇ ଆଶା ସଂଚାର ହୋଇଛି। ଏହି ମେଡ଼ିକାଲ କଲେଜ ପରିଚାଳନା ଭାର ରାଜ୍ୟ ସରକାର ନେବେ ବୋଲି ଲିଖିତ ଭାବେ ଏମସିଏଲକୁ ଜଣାଇଛନ୍ତି। ତେବେ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ଏମସିଏଲ ପ୍ରଦାନ କରିବ। ଫଳରେ ମେଡ଼ିକାଲ କଲେଜ ପରିଚାଳନା ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦର ଅନ୍ତ ହେବାକୁ ଯାଉଛି।

ଅନୁଗୁଳ ତଥା ଆଖାପାଖ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ସହ ମେଡ଼ିକାଲ ଶିକ୍ଷା ପାଇଁ ଅନୁଗୁଳରେ ୨୦୧୫ରେ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଭିତ୍ତିଭୂମି ଦିଆଯାଇଥିଲା। ଏମସିଏଲ ଉପରେ ରାଜ୍ୟ ସରକାର ଚାପ ପକାଇ ଏହି ମେଡ଼ିକାଲ କଲେଜ ନିର୍ମାଣ କରିଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜରେ ନୂତନ କୋଠା ବି ଲୋକାର୍ପିତ ହୋଇସାରିଛି। କିନ୍ତୁ ଉଦଘାଟନ ପରଠାରୁ ଏହା ଭୂତକୋଠି ହୋଇ ପଡ଼ିଥିଲା। ଏହାକୁ ଚଳାଇବା ପାଇଁ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ତାଳମେଳ ଅଭାବରୁ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଂଚିତ ହେଉଥିଲେ।
publive-image

ହେଲେ ଶେଷରେ ମେଡ଼ିକାଲ କଲେଜ ପରିଚାଳନା ନେଇ ଉଭୟ ପକ୍ଷ ଭିତରେ ଏକପ୍ରକାର ସହମତି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏଥିନେଇ ଏମସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ହେଲେ ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ଏମସିଏଲ ବହନ କରିବାକୁ ଏଥିରେ କୁହାଯାଇଛି। ଏଥିନେଇ ଏକ ଖର୍ଚ୍ଚ ଅଟକଳ ମଧ୍ୟ ପ୍ରଦାନ କରାଯାଇଛି। ଏମସିଏଲ ଏହାକୁ ଗ୍ରହଣ କଲେ ମେଡ଼ିକାଲ କଲେଜ ପରିଚାଳନା ରାଜ୍ୟ ସରକାର କରିବାକୁ ରାଜି ଅଛନ୍ତି। ଏହି ମେଡ଼ିକାଲ କଲେଜରେ ୧୦୦ଟି ଏମବିବିଏସ୍ ଆସନରେ ପାଠପଢା ହେବ। ଏହାସହିତ ୫ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe