‘ମୁଖ୍ୟମନ୍ତ୍ରୀ ୧ନମ୍ବର, ହେଲେ ୮ ଜିଲ୍ଲା ପଛୁଆ’

‘ମୁଖ୍ୟମନ୍ତ୍ରୀ ୧ନମ୍ବର, ହେଲେ ୮ ଜିଲ୍ଲା ପଛୁଆ’

ଭୁବନେଶ୍ବର : ଦେଶର ସବୁଠାରୁ ୫୦ଟି ଅତ୍ୟନ୍ତ ପଛୁଆ ଜିଲ୍ଲା ଭିତରୁ ଓଡ଼ିଶାର ୮ଟି ଜିଲ୍ଲା ରହିଥିବା କେନ୍ଦ୍ର ସରକାରଙ୍କ ମିଳିତ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ମାଲକାନଗିରି, ବୌଦ୍ଧ, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ଗଜପତି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା ଏହି ତାଲିକାରେ ରହିଛି। ଏସବୁ ଜିଲ୍ଲା ଗୁଡ଼ିକରେ ଅପପୁଷ୍ଟି ହାର ମଧ୍ୟ ସର୍ବାଧିକ। ଦେଶର ସବୁଠାରୁ ବିକଶିତ ୧ହଜାର ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ। ତେଣୁ ରାଜ୍ୟର ଦାୟନୀୟ ସ୍ଥିତି ଏଥିରୁ ସ୍ପଷ୍ଟ ହେଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଶନିବାର କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ରାଜ୍ୟର ୨୨.୮୫ ପ୍ରତିଶତ କେବଳ ଆଦିବାସୀ ବର୍ଗର। ୨୦୧୧ ମସିହା ଜନଗଣନା ଅନୁସାରେ ଏହି ଜନସଂଖ୍ୟା ୯୫ଲକ୍ଷ ଥିବା ବେଳେ ୨୦୨୧ ବେଳକୁ ଏହା ୧କୋଟି ୮ଲକ୍ଷରୁ ଅଧିକ ହେବାକୁ ବସିଲାଣି। ହେଲେ ମୁଖ୍ୟମନ୍ତ୍ରୀ ୧ ନମ୍ବର ହୋଇଥିବା ବେଳେ ରାଜ୍ୟର ୮ଟି ଜିଲ୍ଲା ଦେଶର ସବୁଠାରୁ ପଛଆ ଜିଲ୍ଲା ଭାବେ କାହିଁକି ପରିଗଣିତ ହେଉଛି। ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶା ତାଙ୍କ ପରିବାର ବୋଲି କହୁଥିବା ବେଳେ ଏସବୁ ଜିଲ୍ଲାର ବିକଟାଳ ଚିତ୍ର ଦୀର୍ଘ ୨୧ବର୍ଷର ନିରନ୍ତର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।

ଏହି ୮ଟି ଅତ୍ୟନ୍ତ ପଛୁଆ ଜିଲ୍ଲାରେ ଶିଶୁ ମୃତ୍ୟୁର ୪୦ ପ୍ରତିଶତ। ଯାହାକି ଦେଶରେ ସବୁଠାରୁ ଅଧିକ। ଆଦିବାସୀମାନଙ୍କ ଦ୍ବାରା ରାଜ୍ୟର ଅର୍ଥନୈତିକ ଓ ସାମାଜିକ ସଂପଦ ବିକାଶ ସୃଷ୍ଟି ହୋଇଥାଏ। ମାତ୍ର ଏହି ବର୍ଗ ସବୁଠାରୁ ପଛରେ ରହିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମ‌ନୋରଂଜନ ଦାସ ଓ ମନୋଜ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe