ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ନାରୀ ସୁରକ୍ଷା କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି

ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି। ଏହି ନୀତିକୁ ଆଧାର କରି ପୁଲିସ ସବୁ ସମୟରେ ଆକ୍ସନ ମୋଡ୍‌ରେ ରହୁ। ଏହାକୁ ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ଏହାର ନିୟମିତ ତଦାରଖ କରନ୍ତୁ।

mohan majhi
ଭୁବନେଶ୍ବର: ନାରୀ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି। ଏହି ନୀତିକୁ ଆଧାର କରି ପୁଲିସ ସବୁ ସମୟରେ ଆକ୍ସନ ମୋଡ୍‌ରେ ରହୁ। ଏହାକୁ ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ଏହାର ନିୟମିତ ତଦାରଖ କରନ୍ତୁ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରି ପୁଲିସକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ ଅବଲମ୍ୱନ କରିବାକୁ ସେ ପରାମର୍ଶ ଦେଇଛନ୍ତି। 
ବୈଠକରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ଜୋର୍‌ଦାର କରିବା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ ଓ କଲେଜ ଅଞ୍ଚଳରେ ନିୟମିତ ଭାବେ ପାଟ୍ରୋଲିଂ କରିବାକୁ 
ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥି ସହିତ ପଡ଼ୋଶୀ ରାଜ୍ୟ ସୀମାରୁ ଓଡ଼ିଶାକୁ ବ୍ରାଉନସୁଗାର ଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଏବଂ କଡ଼ାକଡ଼ି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଡ୍ରଗ୍ସ ଓ ବେଆଇନ ଗଞ୍ଜେଇ ଚାଷ ରୋକିବା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ। ପୁଲିସ ବିଭାଗରେ ଖାଲି ରହୁଥିବା ପଦବି ଯଥାଶୀଘ୍ର ପୂରଣ କରିବା ପାଇଁ ଏକ ସ୍ୱତନ୍ତ୍ର ‘ପୁଲିସ ନିଯୁକ୍ତି ବୋର୍ଡ’ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 
ପୁଲିସକୁ ଆକ୍ସନ ମୋଡ୍‌ରେ ରହିବାକୁ ନିର୍ଦ୍ଦେଶ
ବରିଷ୍ଠ ଅଧିକାରୀ ନିୟମିତ ତଦାରଖ କରିବେ
ପଦ ପୂରଣ ପାଇଁ ଗଠନ ହେବ ‘ପୁଲିସ ନିଯୁକ୍ତି ବୋର୍ଡ’
ବୈଠକରେ ସୂଚନା ଦିଆଯାଇଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଖୋଜ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି। ବିଗତ ଏକ ବର୍ଷ ମଧ୍ୟରେ ୮,୦୩୫ ମହିଳା ଓ ୩,୩୦୬ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟରେ ପୁଲିସ ବିଭାଗର ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମୋଟାମୋଟି ଭାବେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ୧୫ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼ିଛି ଯେ, ବିଗତ ଏକ ବର୍ଷ ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ଅପରାଧ ହ୍ରାସ ପାଇଛି। ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ବାଲି ଚୋରା ଚାଲାଣ ଓ ଜାମିନ୍‍ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ପୁଲିସର କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଆଡଭୋକେଟ୍‌ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ବରିଷ୍ଠ ପୁଲିସ ଅଧିକାରୀଗଣ ଯୋଗ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe