ଭୁବନେଶ୍ୱର: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ଚାଷୀମାନେ ଫସଲ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକ କରିବା ସହିତ ନୟାଗଡ, ଗଜପତିଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଅନ୍ୟ ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି।

Advertisment

ଉଭୟ ବୀମା କରି ନ ଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସହାୟତା ଦିଆଯିବ । ବୀମା କରିଥିବା ଚାଷୀମାନଙ୍କ ପାଇଁ ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ସମୟସୀମା ଡିସେମ୍ବର ୨୯ ଶେଷ ତାରିଖ  ଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରାଳୟକୁ ଏହି ଅବଧି ବଢାଇବାକୁ ଅନୁରୋଧ କରାଯାଇଥିଲା । ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ଆଉ ତିନି ଦିନ ପାଇଁ ବୃଦ୍ଧି କରିଛନ୍ତି । ତେଣୁ, ଚାଷୀମାନେ ବର୍ତ୍ତମାନ ୨୦୨୫ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନିମାନଙ୍କୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ।

ଓଡିଶାର ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ସହାନୁଭୂତିଶୀଳ ମନୋଭାବ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ନୂଆବର୍ଷରେ ଥରାଇବ ଶୀତଲହର: ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ରାଜ୍ୟର କୃଷକ ଭାଇ ଓ ଭଉଣୀ ମାନଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ବୀମାଭୁକ୍ତ ଚାଷୀମାନଙ୍କ ପାଇଁ ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାର ସମୟ ସୀମାକୁ କେନ୍ଦ୍ର ସରକାରଙ୍କ ତରଫରୁ ଆଉ ତିନି ଦିନ ଅର୍ଥାତ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ବାରା ଚାଷୀମାନେ ସଠିକ ଭାବରେ ନିଜର ଫସଲ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇପାରିବେ। 

ଓଡ଼ିଶାର ଚାଷୀମାନଙ୍କ ହିତ ପାଇଁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ  ଶିବରାଜ ସିଂ ଚୌହ୍ୱାନଙ୍କୁ ଧନ୍ୟବାଦ ଜଣାଉଛି।

ଅଧିକ ପଢ଼ନ୍ତୁ: କ୍ୟାମେରା ମ୍ୟାନଙ୍କ ସାମ୍ନାରେ ପୋଷା କୁକୁରକୁ ଧରି ମୁହଁ ଲୁଚାଇଲେ ଶାହରୁଖ