୧୪ରେ ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ପୁଣି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖରେ ସୁନ୍ଦରଗଡ଼ ଗସ୍ତରେ ଯିବେ। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ମୁଖ୍ୟମନ୍ତ୍ରୀଙ୍କର ଏହା ସରକାରୀ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତ ଚାଲିଛି। ତେବେ ଏହି ଗସ୍ତକୁ ପ୍ରଭାବୀ କରିବା ପାଇଁ ବିଜେଡି ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ଚାଲିଛି। ୧୨ରୁ ଅଧିକ ମନ୍ତ୍ରୀ ଆଗୁଆ ସେଠାକୁ ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ। ବ୍ଲକ୍‌ ୱାରି ମନ୍ତ୍ରୀମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି। ୧୨ ତାରିଖ ଠାରୁ ମନ୍ତ୍ରୀମାନେ ସେଠାରେ ଡେରା ପକାଇବେ। କିଛି ବିଧାୟକଙ୍କ ସମେତ ପାଖାପାଖି ୫୦ ଜଣ ରାଜ୍ୟସ୍ତରୀୟ ନେତାଙ୍କୁ ମଧ୍ୟ ପଠାଯିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି। କୋଭିଡ୍‌ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅଧିକ ଲୋକଙ୍କୁ ଏକାଠି କରା ନ ଯାଇ ବିଭିନ୍ନ ବ୍ଲକ୍‌ରେ ବଡ଼ ବଡ଼ ସ୍କ୍ରିନ୍ ଲଗାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ମନ୍ତ୍ରୀ, ବିଧାୟକମାନେ ଏହି କାର୍ଯ୍ୟକ୍ରମର ତଦାରଖ କରିବେ। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ ଆରମ୍ଭ କଲା ପରେ ଦୁଇ ତିନି ଦିନ ଭିତରେ ବ୍ଲକ୍‌‌ ସ୍ତରରେ ହିତାଧିକାରୀଙ୍କୁ ମନ୍ତ୍ରୀ, ବିଧାୟକମାନେ କାର୍ଡ ବାଣ୍ଟିବେ।

କୋଭିଡ୍‌ର ଦ୍ବିତୀୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ରାଜଧାନୀ ବାହାରେ ଦ୍ବିତୀୟ କାର୍ଯ୍ୟକ୍ରମ। ଗତ ୨୦ ତାରିଖରେ ଶ୍ରୀ ପଟ୍ଟନାୟକ ମାଲକାନଗିରି ଯାଇ ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ମଧ୍ୟ ଗସ୍ତ କରିବେ। ଖୁବ୍‌ଶୀଘ୍ର ମୟୂରଭଞ୍ଜ ଓ ବଲାଙ୍ଗୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe