୨୨ରେ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ, ଉଦ୍‌ଘାଟିତ ହେବ ବସ୍‌ ଟର୍ମିନାଲ!

Advertisment

ଅର୍କେଶଙ୍କ ନେତୃତ୍ୱରେ ପରିବହନ ନିଗମ ଏମ୍‌ଡିଙ୍କୁ ଭେଟିଲା ବସ୍‌ ମାଲିକ ସଂଘ

ଅର୍କେଶଙ୍କ ନେତୃତ୍ୱରେ ପରିବହନ ନିଗମ ଏମ୍‌ଡିଙ୍କୁ ଭେଟିଲା ବସ୍‌ ମାଲିକ ସଂଘ

୨୨ରେ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ, ଉଦ୍‌ଘାଟିତ ହେବ ବସ୍‌ ଟର୍ମିନାଲ!

ବଲାଙ୍ଗୀର : ଆସନ୍ତା ୨୨ ତାରିଖରେ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ବିଧିବଦ୍ଧ ସରକାରୀ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇନଥିଲେ ବି ଦଳୀୟ ଶିବିରରେ ୨୨ରେ ମୁଖ୍ୟମନ୍ତ୍ରୀ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ବିଜେଡି ଶିବିର ଚଳଚଞ୍ଚଳ ହୋଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ବଲାଙ୍ଗୀରଠାରେ ନବନିର୍ମିତ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି। ବସ୍‌ ଟର୍ମିନାଲ ଉଦ୍‌ଘାଟନ ପୂର୍ବରୁ ବଲାଙ୍ଗୀର ଘରୋଇ ବସ୍‌ ମାଲିକ ସଂଘର ପ୍ରତିନିଧି ଦଳ ବିଜେଡିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଭୁବନେରଶ୍ୱରରେ ରାଜ୍ୟ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ ପଟ୍ଟନାୟକଙ୍କୁ ଭେଟିଛନ୍ତି। ୧୦ ଦଫା ଦାବି ସଂଘ ଉପସ୍ଥାପନ କରିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଶାସନ ସହିତ ଘରୋଇ ବସ୍‌ ମାଲିକ ସଂଘ ଅନେକ ଥର ଆଲୋଚନା କରିଛି। ପୂର୍ବରୁ କେତେକ ଦାବି ନେଇ ଘରୋଇ ବସ୍‌ ମାଲିକ ସଂଘ ପରିବହନ ମନ୍ତ୍ରୀଙ୍କୁ ଭେଟିଥିଲା। ଏବେ ପୁଣିଥରେ ୧୦ଦଫାର ଦାବିପତ୍ର ନେଇ ପରିବହନ ନିଗମର ପରିଚାଳନା ନିର୍ଦେଶକଙ୍କୁ ଭେଟିଛି ସଂଘ। ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି। ଘରୋଇ ବସ୍‌ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା, ସାଧାରଣ ସଂପାଦକ ପ୍ରଦ୍ୟୁତ ମିଶ୍ର, ଶିବଶଙ୍କର ପଟେଲ, ଦେବଦତ୍ତ ବେହେରା, ଡମ୍ବରୁଧର ଆଚାର୍ଯ୍ୟ ପ୍ରମୁଖ ଏହି ଆଲୋଚନାରେ ସାମିଲ ହୋଇଥିଲେ।

ଦାବିଗୁଡ଼ିକ ମଧ୍ୟରେ ଉଭୟ ସରକାରୀ ଓ ବେସରକାରୀ ବସ୍‌ ସବୁ ନୂଆ ବସ୍‌ ଟର୍ମିନାଲରେ ରଖାଯିବା, ସରକାରୀ ବସ୍‌ଷ୍ଟାଣ୍ଡକୁ ସିଟି ବସ୍‌ଷ୍ଟାଣ୍ଡ କରାଯାଇ ବରଗଡ଼, ସୋନପୁର ଯିବାକୁ ଥିବା ବସ୍‌ଗୁଡ଼ିକର ଷ୍ଟପେଜ କରାଯିବା, ଘରୋଇ ବସ୍‌ଷ୍ଟାଣ୍ଡରେ ଥିବା ଦୋକାନୀଙ୍କୁ ନୂଆ ବସ୍‌ଷ୍ଟାଣ୍ଡରେ ନୂତନ ଦୋକାନ ଗୃହ ଯୋଗାଇଦେଇ ଥଇଥାନ କରାଯିବା, ସଂଘର ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଦିଆଯିବା, ବର୍ତ୍ତମାନ ଥିବା ୧୦୦କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମରକୁ ୫୦୦ କେଭିକୁ ଉନ୍ନିତ କରାଯିବା, ୪ ହଜାର ଲିଟର କ୍ଷମତାର ପାଣିଟାଙ୍କିକୁ ୧୦ ହଜାର ଲିଟରକୁ ବୃଦ୍ଧି କରାଯିବା, ନୂତନ ବସ୍‌ଷ୍ଟାଣ୍ଡର ସବୁ ଅଞ୍ଚଳକୁ କଂକ୍ରିଟକରଣ କରାଯିବା ଓ ଏକ ନଳକୂଅ କରାଯିବାକୁ ଦାବି କରାଯାଇଛି। ଦାବିଗୁଡ଼ିକ ଯଥାର୍ଥ ଓ ଖୁବ୍‌ଶୀଘ୍ର ପରିବହନନିଗମ ଏନେଇ ପ୍ରଶାସନ ସାଙ୍ଗରେ ଆଲୋଚନା କରି ସମାଧାନ କରାଯିବ ବୋଲି ଏମ୍‌ଡି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଗତ ୨୦୧୬ ମସିହାରେ ଅର୍କେଶଙ୍କ ନେତୃତ୍ୱରେ ଏକ ଟିମ୍‌ ତତ୍କାଳୀନ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରି ବସ୍‌ ଟର୍ମିନାଲ ପାଇଁ ଦାବି କରିଥିଲେ। ପରେ ତତ୍କାଳୀନ ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂହଦେଓ ଓ ତତ୍କାଳୀନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଅନୁଦାନ ଆସିବା ପରେ କାମ ଆରମ୍ଭ ହୋଇଥିଲା। ଏହା ଆସନ୍ତା ୨୨ରେ ଲୋକାର୍ପିତ ହେବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe