ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: କଟକ ଚଣ୍ଡୀ ମନ୍ଦିର ପାଇଁ ୭୦ କୋଟି

Advertisment
ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: କଟକ ଚଣ୍ଡୀ ମନ୍ଦିର ପାଇଁ ୭୦ କୋଟି

ଗୋଟିଏ ବର୍ଷରେ କାମ ସରିବ
ସଫଳ ରୂପାୟନ ପାଇଁ କଟକବାସୀଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ। ହଜାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ। ଏହି ପୀଠର ବିକାଶ ପାଇଁ ସରକାର ବଡ଼ ଯୋଜନା କରିଛନ୍ତି। ଏଠାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। ଏଥି ନିମନ୍ତେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। କଟକ ସହରର ସାମଗ୍ରିକ ବିକାଶରେ ଚଣ୍ଡୀ ମନ୍ଦିରର କାୟାକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏ ଦିଗରେ କଟକବାସୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି।

ଏହି ପ୍ରସ୍ତାବିତ ପ୍ରକଳ୍ପକୁ ୫-ଟି ଅଧୀନ‌ରେ ‘ଐତିହ୍ୟ, କୀର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀର ସମନ୍ବିତ ବିକାଶ’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରକଳ୍ପର କାମକୁ ଏକ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଯୋଜନା ବିଷୟରେ ଏକ ଉପସ୍ଥାପନା କରାଯାଇଥିଲା। ଓବିସିସି ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ। ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରିଟି ଦ୍ବାର ନିର୍ମାଣ କରାଯିବ। ଏହା ସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପରିସରରେ ଖଣ୍ଡାଲାଇଟସ୍ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ ସିସିଟିଭି ମଧ୍ୟ ଲଗାଯିବ। ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ। ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା'ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୁଲିସ କଣ୍ଟ୍ରୋଲ ରୁମ୍, କ୍ଲୋକ୍‌ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଓ ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ।

publive-image

ପ୍ରସ୍ତାବିତ ପ୍ରକଳ୍ପରେ ଯାତ୍ରୀ ନିବାସର ବ୍ୟବସ୍ଥା କରାଯାଇଛି। ବିସ୍ଥାପିତ ଦୋକାନୀମାନଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ। ପାର୍କିଂ ସହିତ ଖୋଲାସ୍ଥାନ ଓ ଲ୍ୟାଣ୍ଡସ୍କେପିଂ ମଧ୍ୟ ବିକାଶ କରାଯିବ। ଓବିସିସି ଜରିଆରେ ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ସହ ମନ୍ଦିର ନିକଟରେ ଭାରୀଯାନ ନିୟନ୍ତ୍ରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା, ଜଳ ନିଷ୍କାସନ ଆଦି ସମସ୍ୟାର ସମାଧାନ ସହ କଟକ ଚଣ୍ଡୀ ମନ୍ଦିରକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ଗୁରୁତ୍ବାରୋପ କରାଯାଇଛି। ଚଣ୍ଡୀ ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀ ମାନଙ୍କ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି। ତେଣୁ ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତାକୁ ଡାଇଭର୍ଟ କରାଯିବ। ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କଟକ ଚଣ୍ଡୀ ମନ୍ଦିର ରାଜ୍ୟର ଏକ ପ୍ରାଚୀନ ଶକ୍ତିପୀଠ। ବର୍ଷ ସାରା ହଜାର ହଜାର ଭକ୍ତ ମାଆଙ୍କ ଦର୍ଶନ ପାଇଁ ପ୍ରତିଦନ ଏଠାକୁ ଆସିଥା’ନ୍ତି। ଦୁର୍ଗାପୂଜା ସମୟରେ ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜାରେ ବିଭିନ୍ନ ବେଶ ଦେଖିବା ପାଇଁ ଏଠାରେ ପ୍ରବଳ ଜନସମାବେଶ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ ମା’ଙ୍କ ପୀଠକୁ ଯାଇ ବିକାଶ ସଂପର୍କରେ ସ୍ଥାନୀୟ ଜନସାଧାରଣ ଓ ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମତେ ବରିଷ୍ଠ ଅଧିକାରୀ ଗଣ, କେନ୍ଦ୍ରାଞ୍ଚଳ ଆର୍‌ଡିସି, କଟକ ଜିଲ୍ଲାପାଳ, ସିଡିଏ ଉପାଧ୍ୟକ୍ଷ, ସିଏମ୍‌ସି କମିସନର୍ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ସେବାୟତଙ୍କ ପ୍ରତିନିଧିମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe