କେନ୍ଦୁପତ୍ର ସହ ବଞ୍ଚୁଥିବା ଲୋକଙ୍କ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ:ପାଣ୍ଡିଆନ

କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଐତିହାସିକ ଘୋଷଣା

କେନ୍ଦୁପତ୍ର ସହ ବଞ୍ଚୁଥିବା ଲୋକଙ୍କ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ:ପାଣ୍ଡିଆନ

ଭୁବନେଶ୍ବର/ସମ୍ବଲପୁର: କେନ୍ଦୁପତ୍ରରୁ ରାଜସ୍ବ ଆଦାୟ ବା ସେଥିରୁ ଲାଭ କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ। ବରଂ କେନ୍ଦୁପତ୍ର ତୋଳାଳି ଓ କେନ୍ଦୁପତ୍ରକୁ ଜୀବନ ଜୀବିକା ଭାବେ ଗ୍ରହଣ କରିଥିବା ଲୋକଙ୍କ କଲ୍ୟାଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା। ସମ୍ବଲପୁର ଚାରମାଳରେ କେନ୍ଦୁପତ୍ର ତୋଳାଳି ବନ୍ଧାଳି ଓ କର୍ମଚାରୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବା ପରେ ସରକାରଙ୍କ ଆଭିମୁଖ୍ୟକୁ ଏହିଭଳି ସ୍ପଷ୍ଟ କରିଛନ୍ତି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ପୂର୍ବ ସରକାରମାନେ କେନ୍ଦୁପତ୍ରରୁ ମିଳୁଥିବା ଲାଭକୁ ସରକାରଙ୍କ ରାଜସ୍ବ ଭାବି ଯୋଜନା କରୁଥିଲେ। ନିର୍ବାଚନ ଆସିଲେ କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଖାଲି ପ୍ରତିଶ୍ରୁତି ଦେଉଥିଲେ ସିନା କେବେ କାର୍ଯ୍ୟକାରୀ କରୁନଥିଲେ। କିନ୍ତୁ ନବୀନ ସରକାର କେନ୍ଦୁପତ୍ରକୁ କେବେ ଲାଭ ବୋଲି ବିଚାର କରିନାହାନ୍ତି। ଉଦାହରଣ ହେଉଛି କେନ୍ଦୁପତ୍ରରୁ ଯେତିକି ଲାଭ ମିଳୁଛି ବା ଆୟ ହେଉଛି ତା’ଠୁ କାହିଁ କେତେଗୁଣା ଅଧିକ ଅର୍ଥ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ଲୋକଙ୍କ କଲ୍ୟାଣ ଲାଗି ବଜେଟ୍‌ରେ ବରାଦ କରାଯାଉଛି।

ରାଜସ୍ବକୁ ଗରିବ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ଅଛି। ସେମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ। ଜଙ୍ଗଲକୁ ଯାଇ ଖଟି, ପରିଶ୍ରମ କରୁଥିବା କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ସମସ୍ତ ଲାଭ। କେନ୍ଦୁପତ୍ର ତୋଳାଳି ୨୦୧୩-୧୪ ଆର୍ଥିକ ବର୍ଷରୁ ବୋନସ୍ ପାଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ କେନ୍ଦୁପତ୍ର ତୋଳାଳିଙ୍କ ଯତ୍ନ ନେଇ ଆସିଛନ୍ତି। ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପୂରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କଥା କମ୍‌ କାମ ବେଶି କରନ୍ତି। ପଦମପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଦୁଇଟି କଥା କହିଥିଲେ। ତାହା ଆଜି ପୂରଣ କରିଛନ୍ତି। କେନ୍ଦୁପତ୍ର ଉପରେ ଥିବା ଜିଏସ୍‌ଟିରୁ ରାଜ୍ୟଭାଗ ଉଚ୍ଛେଦ କରିଛନ୍ତି ଏବଂ କେନ୍ଦୁପତ୍ର ତୋଳାଳିଙ୍କ ଝିଅଙ୍କ ବିବାହ ଲାଗି ମଧ୍ୟ ସହାୟତା ଯୋଜନା ଜାରି ରଖିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କହିଥିଲେ କରିକି ଦେଖାଇଲେ ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ। ଆଜି ଫାଇଭ-ଟି ଅଧ୍ୟକ୍ଷଙ୍କ ସମ୍ବଲପୁରର ଚାରମାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଘୋଷଣା କରିବା ପରେ ଶ୍ରୀ ପାଣ୍ଡିଆନ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳିଙ୍କୁ ଦିଆଯାଉଥିବା ସୁବିଧା ନେଇ ଗୋଟି ଗୋଟି କରି ସୂଚନା ଦେଇଥିଲେ। ସରକାରଙ୍କ ଘୋଷଣାକୁ ଐତିହାସିକ କହିବା ସହ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରିକି ଦେଖାଇଛନ୍ତି ବୋଲି କହିଥିଲେ।

୫୦% ବୋନସ୍‌, ଉପକୃତ
ହେବେ ୯ ଲକ୍ଷ ତୋଳାଳି
ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ବି ଲାଭ ପାଇବେ
ପଦମପୁର ଉପ-ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ରଖିଲେ ନବୀନ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଏବେ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଦୁଇ ଗୁଣା ବୋନସ୍‌। ପୂର୍ବରୁ ମିଳୁଥିବା ୨୫% ବୋନସ୍‌କୁ ୫୦%କୁ ବୃଦ୍ଧି କରାଯାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ଏଥିପାଇଁ ସରକାର ୯୮ କୋଟି ଖର୍ଚ୍ଚ କରିବେ। ସେହିପରି କେନ୍ଦୁପତ୍ର ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଇନସେଣ୍ଟିଭ ଦୁଇଗୁଣା ଅର୍ଥାତ ୫ରୁ ୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥିଲାଗି ସରକାର ୧୧ କୋଟି ଖର୍ଚ୍ଚ କରିବେ। ଏହାଦ୍ବାରା ରାଜ୍ୟର ୪୦ ହଜାର ବନ୍ଧାଳି ଓ ସିଜନାଲ ଷ୍ଟାଫ୍ ଉପକୃତ ହେବେ। ସେହିପରି ଋତୁକାଳୀନ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କର ବହୁଦିନର ଦରମା ବୃଦ୍ଧି ଦାବି ପୂରଣ ହୋଇଛି। ହେଡ୍‌ ଚେକର୍‌ଙ୍କ ମାସିକ ଦରମା ୨୨,୬୩୧ରୁ ୨୪,୪୨୦ଟଙ୍କାକୁ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା ୪୦୦ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସର୍କଲ ଚେକର୍‌ଙ୍କ ଦରମା ୧୭୭୪୦ ଟଙ୍କାରୁ ୨୧ ହଜାରରୁ ଅଧିକ ହୋଇଛି। ଡିଏ ୩୦୦ ରୁ ୪୫୦ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ବନ୍ଧାଳୀ ଚେକର୍‌ଙ୍କ ଦରମା ୧୪,୮୦୦ ଟଙ୍କାରୁ ୧୭,୬୮୦ଟଙ୍କାକୁ ବୃଦ୍ଧି ପାଇଛି। ଡିଏ ୨୦୦ରୁ ୩୦୦ ଟଙ୍କାକୁ ବୃଦ୍ଧି ପାଇଛି। ମୁନ୍‌ସିଙ୍କ ଦରମା ୧୨,୪୨୦ ଟଙ୍କାରୁ ୧୫,୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ମୁନ୍‌ସି-୨ଙ୍କ ଦରମା ୯୮୫୦ ଟଙ୍କାରୁ ୧୨,୩୮୫ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି କେନ୍ଦୁପତ୍ର କେରି ଦର ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପଦମପୁର ଉପନିର୍ବାଚନରେ ସରକାର କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଦେଇଥିବା ପ୍ରତଶ୍ରୁତି ପୂରଣ କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଝିଅଙ୍କ ବିବାହ ଲାଗି ୨୫ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଲାଗି ମୋଟ ୨୦୦ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ସେହିପରି କେନ୍ଦୁପତ୍ର ଦର ମଧ୍ୟ ବୃଦ୍ଧି କରାଯାଇଛି। ୨୦ ପତ୍ର କେରି ୧ ଟଙ୍କା ୪୦ ପଇସାରୁ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି ହୋଇଛି। ୪୦ ପତ୍ର କେରି ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି ହୋଇଛି। କେନ୍ଦୁପତ୍ର କର୍ମଚାରୀଙ୍କ ସର୍ବାଧିକ ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କ କଲେଜେର ପାଠ ପଢ଼ିବା ଲାଗି ଛାତ୍ରବୃଦ୍ଧି ଆବେଦନ ଅବଧି ଆଉ ଗୋଟିଏ ମାସକୁ ବୃଦ୍ଧି ପାଇଛି ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। ସିଜନାଲ ଷ୍ଟାଫଙ୍କ ପାଇଁ ଅଧିକ ଶ୍ରମଦିବସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତିନି ମାସ ପାଇଁ କାମ ଆଉ ଗୋଟିଏ ମାସ ଅଧିକା କାମ ସୁଯୋଗ ବୃଦ୍ଧି ହୋଇଛି। ସେହିପରି ୬ ମାସ କାମ କଲେ ଆଉ ଗୋଟିଏ ମାସ ଅଧିକା ୭ ମାସ କାମ ପାଇବେ। ୮ ମାସ କରିଥିଲେ ଆଉ ଗୋଟିଏ ଅଧିକା ମାସ ମିଶାଇ ୯ ମାସ କାମ ପାଇବେ। ରାଜ୍ୟ ବଜେଟରୁ ସରକାର ଏଥିପାଇଁ ଶହେ କୋଟି ଅଧିକ ଅର୍ଥ ଦେଉଛନ୍ତି। ଯାହାବି ପ୍ୟାକେଜ ଲାଗୁ ହୋଇଛି ୧୦ ଦିନ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି। ଏହାସହ ସମ୍ବଲପୁର ଚାରମାଳ ଗସ୍ତ ଅବସରରେ ଧର୍ମାନୁଷ୍ଠାନ ଏବଂ କମ୍ୟୁନିଟି ସେଣ୍ଟର ଦାବି ନେଇ ଆସନ୍ତା ୧୦ ଦିନରେ ଖୁସି ଖବର ମିଳିବ ବୋଲି ପାଣ୍ଡିଆନ କହିଥିଲେ। ସେ ଘୋଷଣା କରିଛନ୍ତି ଯେ ଖୁବଶୀଘ୍ର ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ମା’ମାନଙ୍କ ସହ ଛାତ୍ରଛାତ୍ରୀ ଏହି ବସ୍‌ରେ ୫ଟଙ୍କା ଦେଇ ବ୍ଲକ ମୁଖ୍ୟାଳୟ ସହ ନିଜ ଶିକ୍ଷାନୁଷ୍ଠାନକୁ ଯାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe