କଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହେଉ: ମୁଖ୍ୟମନ୍ତ୍ରୀ

Advertisment

୭୩ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

୭୩ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

୨୦୩୬ ସୁଦ୍ଧା ସଶକ୍ତ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ସମ୍ବିଧାନ। ଗଣତନ୍ତ୍ରର ଏହା ହେଉଛି ଆତ୍ମା। ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଯୋଗାଇ ଆସିଛି। ଆମ କଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିଲେ ଭାରତ ବିଶ୍ବର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭୩ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ସେ ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ଏହା ପ୍ରକାଶ କରିଛନ୍ତି।

ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ବି ଆର୍‌ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡ. ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ। ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସେମାନଙ୍କର ପରିବାର ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଥିଲେ।

ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ମଧ୍ୟ ଚଳିତ ବର୍ଷର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ସ୍ବାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନ ଥିଲା। ଏହା ଥିଲା ସମତା ଓ ନ୍ୟାୟ ପାଇଁ ଲଢ଼େଇ। ହିଂସା ଓ ଶୋଷଣ ବିରୋଧରେ ଏହା ଏକ ସଂଗ୍ରାମ ଥିଲା। ଏହି ସଂଗ୍ରାମ କେବଳ ଆମ ପାଇଁ ସ୍ବାଧୀନତା ଆଣି ନଥିଲା, ବରଂ ଏହା ସାରା ବିଶ୍ବ ପାଇଁ ମାନବତାର ସବୁଠାରୁ ବଡ଼ ବିଜୟ ଥିଲା। ଆମର ସ୍ବାଧୀନ ମୂଲ୍ୟବୋଧ ହିଁ ସମସ୍ତ ବିବିଧତା ସତ୍ତ୍ବେ ଭାରତକୁ ମଜବୁତ କରି ରଖିଛି। ବିବିଧତା ଏଠାରେ ଏକ ଶକ୍ତି ହୋଇ ଛିଡ଼ା ହୋଇଛି। ଏହାକୁ ଆମେ କେବେ ବି ନଷ୍ଟ ହେବାକୁ ଦେବାନାହିଁ ବୋଲି ସେ ଆହ୍ବାନ ଦେଇଥିଲେ।

ଅନ୍ୟପଟେ କରୋନାର ତୃତୀୟ ଲହରୀ ଏବେ ସାରା ବିଶ୍ବରେ ବ୍ୟାପିଛି। ରାଜ୍ୟବାସୀଙ୍କ ସହଯୋଗରେ ରାଜ୍ୟ ସରକାର ଏହାର ମୁକାବିଲା କରୁଛନ୍ତି। ଏଣୁ କେହି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। କରୋନାର ସମସ୍ତ ଗାଇଡ୍‌ଲାଇନ୍‌କୁ ଠିକ୍‌ ଭାବରେ ପାଳନ କଲେ ଯାଇ କରୋନାକୁ ହରାଇବା ସହଜ ହେବ। ସମସ୍ତଙ୍କ ସହଯୋଗରେ କରୋନା ଶୀଘ୍ର ଦୂର ହେବ ଓ ଜୀବନ ଜୀବିକା ଆଗଭଳି ପୁଣି ସ୍ବାଭାବିକ ହୋଇଯିବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe