ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଲବ୍ ହାଉସ୍‌: କଂଗ୍ରେସ

Advertisment
ବିଏମ୍‌ସି ନିର୍ବାଚନ: କିପରି ଲଢ଼ିବ କଂଗ୍ରେସ, ୱାର୍ଡସ୍ତରରେ ନେତା ନାହାନ୍ତି

The Economic Times

ଭୁବନେଶ୍ବର: ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବର୍ତମାନ କେତେକ ଅବସରପ୍ରାପ୍ତ ଓ ପ୍ରଶାସନିକ ସ୍ତରରେ ଅନଫିଟ୍‌ ଅଧିକାରୀଙ୍କ କ୍ଲବ୍ ହାଉସ୍ ଓ କଫି ସେଣ୍ଟରରେ ପରିଣତ ହୋଇଛି। ଅତୀତରେ ଯେଉଁ ସରକାରୀ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଧସ୍ତନ ହୋଇ କାମ କରୁଥିଲେ, ଅବସର ନେଲା ପରେ ସେହି ଅଧିକାରୀମାନେ ଏବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା। ଅଧସ୍ତନ ଅଧିକାରୀ ଉପରିସ୍ଥ ହୋଇ ଉପଦେଶ ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ବାସ୍ତବ ସ୍ଥିତି ଅପପ୍ରଚାର ଭଳି ଲାଗିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ଅବସରପ୍ରାପ୍ତ ଅଧିକାରୀଙ୍କ ମଉଜମଜଲିସ୍ ପାଇଁ ସରକାରୀ ତହବିଲ୍‌ରୁ ବ୍ୟାପକ ଅର୍ଥ ଖର୍ଚ କରାଯାଉଛି। ଏମାନଙ୍କ ଜରିଆରେ ବିଭିନ୍ନ କଣ୍ଟ୍ରାକ୍ଟର, କମ୍ପାନିମାନଙ୍କଠାରୁ ଅର୍ଥ ଆଦାୟ କରାଯାଉଛି। ପ୍ରଶାସନିକ ଉତ୍ତରଦାୟିତ୍ବ ନ ଥିବା ଅସିତ ତ୍ରିପାଠୀ କିଛିଦିନ ତଳେ ଢେଙ୍କାନାଳର ନାଲ୍‌କୋ ଗେଷ୍ଟହାଉସରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବା ଏହାର ଜ୍ବଳନ୍ତ ପ୍ରମାଣ। ସେହିପରି ପୂର୍ତ ବିଭାଗର ସଚିବ ଥିବା ନଳିନୀ ପ୍ରଧାନଙ୍କ କାର୍ଯ୍ୟକାଳ ସମୟରେ ଗୁରୁପ୍ରିୟା ସେତୁ, ଭୁବନେଶ୍ବରରେ ବ୍ରିଜ୍ ଭୁଶୁଡ଼ିବା ଭଳି ଘଟଣା ଘଟିଥିଲା। ପରେ ବିଜେଡି ପକ୍ଷରୁ ତାଙ୍କୁ ସମ୍ବଲପୁର ଲୋକସଭା ଟିକେଟ୍ ଦିଆଯାଇଥିଲା।

ସେ ଆହୁରିମଧ୍ୟ କହିଛନ୍ତି ଯେ ରାଜ୍ୟରେ ୬୩ଲକ୍ଷ ଯୁବକ/ଯୁବତୀ ବେକାର ଅଛନ୍ତି। ପ୍ରତିବର୍ଷ ୨ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ସଂପୂର୍ଣ୍ଣ ଧୂଆଁବାଣରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ଗୁଜୁରାଟକୁ ଦାଦନ ଖଟିବାକୁ ଯାଉଛନ୍ତି। ନୀଳାଚଳ ଇସ୍ପାତ ନିଗମ, ଚୌଦ୍ବାର ଟେକ୍ସଟାଇନ ମିଲ ବନ୍ଦ ହୋଇଯାଇଛି। ରାଜ୍ୟ ସମସ୍ତ ପୂରାତନ ଶିଳ୍ପ ଏବେ ଅଚଳ। ଅଥଚ ଜିନ୍ଦଲ କାରଖାନା ପ୍ରତିଷ୍ଠା ପାଇଁ ପୁଲିସ ଲଗାଇ ଢିଙ୍କିଆବାସୀଙ୍କ ଜୀବନ ଓ ଜୀବିକାକୁ ଅପହରଣ ପାଇଁ ସରକାର ବ୍ୟସ୍ତ ଅଛନ୍ତି। ସରକାରଙ୍କ ଯଦି ସତ୍‌ସାହସ ଅଛି ତାହାଲେ ଦୋଷୀ ପୁଲିସ ଅଫିସରଙ୍କୁ ଗିରଫ କରାଯାଉ। ନବୀନ ନିବାସର ଅଳ୍ପ ଦୂରରେ ଶ୍ରୀଲିଙ୍ଗରାଜଙ୍କ ଜମିକୁ ଜଣେ ତାମିଲ ଖଣି ମାଫିଆ ଚଞ୍ଚକତା କରି ହଡ଼ପ କରୁଥିବା ଅଭିଯୋଗ ହୋଇଛି। ସଂପୃକ୍ତ ମାଫିଆଙ୍କୁ ପୁଲିସ କେବେ ବାନ୍ଧିବ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ମନୋରଂଜନ ଦାଶ, ଶାନ୍ତନୁ ସାହୁ, ସନ୍ତୋଷ କୁମ୍ଭାର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe