ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖସେପାଖ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖସେପାଖ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ରାଉରକେଲା ଗସ୍ତରେ ଆସି ୪,୯୧୫ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ତେବେ ଏଥିରେ ସାମିଲ ଥିଲା ପ୍ରାୟ ୧୨୦ କୋଟି ବ୍ୟୟ ଅଟକଳରେ ହେବାକୁ ଥିବା ବୀର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ। ଏହି ଗସ୍ତକୁ ସଫଳ କରିବାକୁ ବେଶ୍‌ କିଛି ଦିନ ହେଲା ଜିଲ୍ଲାରେ ୧୭ ଜଣ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧ‌ାୟକ ଡେରା ପକାଇଥିଲେ। ବିପିୟୁଟି ପରିସରରେ ମଧ୍ୟ ଆଜି ବେଶ୍‌ ଜାକଜମକରେ ଶିଳାନ୍ୟାସ ଓ ଲୋର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକମେର ଏଭଳି ଅନେକ ଦୃଶ୍ୟ ପରିଲକ୍ଷିତ ହୋଇଥିଲା, ଯାହାକି ‘ସମ୍ବାଦ’ ଲେନ୍‌ସରେ କଏଦ୍‌ ହୋଇଯାଇଛି। ଏନେଇ ଏକ ସ୍ବତନ୍ତ୍ର ପ୍ରତିବେଦନ...

କଳା ଟି’ସାର୍ଟ ପାଇଁ ବାହାରେ ଛିଡ଼ାହୋଇ ରହିଲେ ନାବାଳିକା
ପୂର୍ବଭଳି ଏଥର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସଭାରେ କଳାରଙ୍ଗକୁ ବାରଣ କରାଯାଇଥିଲା ଏଣୁ କଳା ରଙ୍ଗର ସାର୍ଟ, ଓଢ଼ଣା, ଶାଢ଼ି ପିନ୍ଧିଥିବା ପୁରୁଷ/ମହିଳାଙ୍କୁ ଭିତରକୁ ଛଡ଼ଯାଇନଥିଲା। ଏମିତିକି କଳାରଙ୍ଗର ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କୁ ମାସ୍କକୁ ଖୋଲିବାକୁ ନିର୍ଦ୍ଦେଶ ଦେବାସହ ସୁରକ୍ଷା କର୍ମୀ ନିଜେ ମାସ୍କ ବାଣ୍ଟିଥିଲେ। ତେବେ ଏହି ଅଲିଖିତ ନିର୍ଦ୍ଦେଶ ପାଇଁ ଅସ୍ବସ୍ତିକର ପରିସ୍ଥିତିକୁ ସାମନା କରିବାକୁ ପଡ଼ିଥିଲା ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଥିବା ସେକ୍ଟର-୪ ଆଖଣ୍ଡଳମଣୀ ବସ୍ତିର ଜଣେ ନାବାଳିକା(୧୭)ଙ୍କୁ। ନାବାଳିକାଙ୍କ ସୂଚନା ଅନୁସାରେ, ଆଜି ସକାଳେ ଶାସକ ଦଳର ଜଣେ ଆଗଧାଡ଼ିର ନାରୀ ନେତ୍ରୀ ଉକ୍ତ ବସ୍ତିକୁ ଏକ ଅଟୋ ପଠାଇଥିଲେ। ଉକ୍ତ ଅଟୋରେ ନାବାଳିକା ଓ କିଛି ବସ୍ତି ଲୋକ ସଭାସ୍ଥଳକୁ ପହଞ୍ଚିଥିଲେ। ନାବାଳିକା ଜଣକ ଜିନ୍ସ ପ୍ୟାଣ୍ଟ୍‌ ସହ ଏକ କଳାରଙ୍ଗର ଟି’ସାର୍ଟ ପିନ୍ଧିଥିଲେ। ଏଇ କଳା ଟି’ସାର୍ଟଟି ତାଙ୍କ ପାଇଁ ଅସୁବିଧାର କାରଣ ହେବ ବୋଲି ସେ ବା କାହିଁକି ଭାବନ୍ତେ! ସମସ୍ତକୁ ସଭାସ୍ଥଳକୁ ଛଡ଼ାଯାଇଥିଲା, ମାତ୍ର ନାବାଳିକାକୁ ଭିତରକୁ ପଶିବାକୁ ଦେଇନଥିଲେ ସୁରକ୍ଷା କର୍ମୀ। ଫଳରେ ପ୍ରାୟ ସାଢ଼େ ୧୦ଟାରୁ ଦେଢ଼ଟା ପର୍ଯ୍ୟନ୍ତ; ଅର୍ଥାତ୍‌ ୩ ଘଣ୍ଟାଧରି ନାବାଳିକା ସଭାସ୍ଥଳ ସମ୍ମୁଖରେ ଛିଡ଼ା ହୋଇରହିଥିବା ଦେଖିବାକୁ ମିଳିଥିଲା।

publive-image

ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲେନି ଆର୍‌ଏସ୍‌ପି ସିଇଓ
ରାଉରକେଲା ଗସ୍ତରେ ଆସୁଥିବା ଭିଭିଆଇପିଙ୍କୁ ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥାଏ। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଆର୍‌ଏସ୍‌ପି ସିଇଓ ଦୀପକ ଚଟ୍ଟରାଜ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ସଭାସ୍ଥଳକୁ ଯିବାପୂର୍ବରୁ ଏୟାରଷ୍ଟ୍ରିପ୍‌ ରେଷ୍ଟରୁମ୍‌ରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୫/୨୦ ମିନିଟ୍‌ ରହିଥିଲେ। ଏତିକିବେଳେ ସୌଜନ୍ୟମୂଳକ ସାକ୍ଷାତକାର ପାଇଁ ଶ୍ରୀ ଚଟ୍ଟରାଜ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାବେଳକୁ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ବାରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତତା ଯୋଗୁଁ ସାକ୍ଷାତ ପାଇଁ ସମୟ ନ ଥିବା କହିବାରୁ ସିଇଓ ହାତରେ ଧରିଥିବା ପୁଷ୍ପଗୁଚ୍ଛ ନେଇ ଫେରିଆସିଥିଲେ। ଏନେଇ କିନ୍ତୁ ଏବେ ଭିନ୍ନ ଚର୍ଚ୍ଚା ଚାଲିଛି। ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ବିଶ୍ବକପ୍‌ ଆୟୋଜନରୁ ସେଲ୍‌ କର୍ତୃପକ୍ଷ ଓହରିଯିବା ଘଟଣାକୁ କେନ୍ଦ୍ର କରି ଏହି ସାକ୍ଷାତକୁ ପ୍ରଶାସନ ପକ୍ଷରୁ ଏଡ଼ାଇ ଦିଆଯାଇଥିବା ଆଲୋଚନା ହେଉଛି।

ତିନି ମନ୍ତ୍ରୀଙ୍କ ନାମରେ ପୋଷ୍ଟର
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୧୪ ତାରିଖରୁ ସୁନ୍ଦରଗଡ଼ରେ ଡେରା ପକାଇଥିଲେ ୧୭ ଜଣ ମନ୍ତ୍ରୀ। ତେବେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ସୁନ୍ଦରଗଡ଼, ଟାଙ୍ଗରପାଲି ଓ ହେମଗିର ବ୍ଲକ୍‌ର କିଛି ପଞ୍ଚାୟତ ଅଞ୍ଚଳରେ ପୋଷ୍ଟର ଲଗାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋର୍ଷ୍ଟରେ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଚର୍ଚ୍ଚିତ ମାମଲା ସହ ମନ୍ତ୍ରୀମାନଙ୍କୁ ଯୋଡ଼ି ଅଞ୍ଚଳବାସୀଙ୍କୁ ଏମାନଙ୍କ ଠାରୁ ସତର୍କ ରହିବାକୁ କୁହାଯାଇଛି। ତେବେ ପୋଷ୍ଟର କିଏ ଓ କେବେ ଲଗାଇଲା ଜଣା ପଡ଼ି ନଥିବା ବେଳେ ବେଳେ ତାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏଗୁଡ଼ିକ କିଏ ଲଗାଇଲା ତାକୁ ନେଇ ପୁଲିସ ତନାଘନା କଲେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe