ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ: ଘଟଗାଁକୁ ମିଳିବ ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତା

Advertisment

ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି, ସୁନାର କେନ୍ଦୁଝର ଗଠନ ହେବ

ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି, ସୁନାର କେନ୍ଦୁଝର ଗଠନ ହେବ

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ: ଘଟଗାଁକୁ ମିଳିବ ସ୍ବତନ୍ତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତା

ଘଟଗାଁ: ରାଜ୍ୟର ଶାସନ ଭାର ଗ୍ରହଣ କରିବାପରେ ଆଜି ପ୍ରଥମଥର ପାଇଁ ନିଜ ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲାବାସୀ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମା’ ତାରିଣୀ ମନ୍ଦିରର ଉନ୍ନତୀକରଣ ପାଇଁ ଆଉ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି। ପୂର୍ବ ସରକାର ୫୦ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ଟଙ୍କାରେ ବିଭିନ୍ନ ବିକାଶମୂଳକ କାମ ଚାଲିଛି। ଏହା ପର୍ଯ୍ୟାପ୍ତ ନୁହେଁ। ମା’ଙ୍କ ମନ୍ଦିର ପାଇଁ ଆଉ ୫୦ କୋଟି ଅନୁଦାନ ଘୋଷଣା କରିବା ସହ ୧୦୦ କୋଟି ଟଙ୍କାରେ ମନ୍ଦିରର ଉନ୍ନତୀକରଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହିତ, ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଗାଁକୁ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳ ମାନ୍ୟତା ଦିଆଯିବ।

ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ମାଝୀ ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ ଆସି ପୂର୍ବାହ୍ନ ୧୧ଟାବେଳେ ଘଟଗାଁ ମିନି ଷ୍ଟାଡିୟମରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ଉତ୍ତରାଞ୍ଚଳ ଆର୍‌ଡିସି ଶ୍ରୀକାନ୍ତ ପୃଷ୍ଟି, ଜିଲ୍ଲାପାଳ ବିଶାଳ ସିଂହ, ଏସ୍‌ପି ନୀତିନ କୁଶଲକର ଓ ବିଜେପି ନେତା ପୃଥ୍ବୀରାଜ କୁଅଁର ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ଘଟଗାଁ ତାରିଣୀ ମନ୍ଦିର ଅଭିମୁଖେ ବାହାରିଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଆଦିବାସୀ ନୃ୍ତ୍ୟଗୀତରେ ତାଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ମନ୍ଦିର ବାହାରେ ନଡ଼ିଆକୋରା, ମା’ଙ୍କ ଫଟୋ ଓ ଭୋଗ ସାମଗ୍ରୀ କିଣି ସେ ନିଜେ ପଇସା ଦେଇଥିଲେ। ଦୋକାନୀ ଅଧୀର ଦାସଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ତାଙ୍କ ଦୋକାନକୁ ମୁଖ୍ୟମନ୍ତ୍ରୀ ଆସିବେ, ଏହା ସେ କେବେ କଳ୍ପନା କରିନଥିଲେ ବୋଲି ଅଧୀର କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଖଣିଖାଦାନ, ବୈତରଣୀ ନଦୀ ଓ ମା’ ତାରିଣୀଙ୍କ ଆଶୀର୍ବାଦ କେନ୍ଦୁଝରକୁ ସମୃଦ୍ଧ କରିଛି। ଆଗାମୀଦିନରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସୁନାର କେନ୍ଦୁଝର ଗଠନ ହେବ। ଆହୁରି ମଧ୍ୟ କହିଛନ୍ତି ଯେ ସେ ଏକ ସାଧାରଣ ଗରିବ ଘରୁ ଆସିଛନ୍ତି। ସରପଞ୍ଚ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ଗରିବଙ୍କୁ ଚିହ୍ନିବା ଓ ଗରିବର ସମସ୍ୟା ଜାଣିବାରେ ଅସୁବିଧା ନାହିଁ। ପରେ ଶ୍ରୀ ମାଝୀ ମନ୍ଦିର ବେଢ଼ାରେ ଥିବା ଭୀମସେନ ରାଉତ ଓ ରାଜା ଗୋବିନ୍ଦ ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ମା’ ତାରିଣୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପୂଜକ ପ୍ରଦୀପ ଦେହୁରୀ, ନାରାୟଣ ଦେହୁରୀ, ଶ୍ୟାମସୁନ୍ଦର ଦେହୁରୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭୋଗ ଲାଗି କରିଥିଲେ। ମା’ଙ୍କ ଦର୍ଶନ ପରେ ସେ ବେଢ଼ା ପରିକ୍ରମା କରି ଘଟଗାଁ ଡାକବଙ୍ଗଳାକୁ ଯାଇଥିଲେ। ସେଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe