ଭୁବନେଶ୍ୱର: ଅକ୍ଟୋବର ଶେଷ ସୁଦ୍ଧା କେଉଁ ବିଭାଗ ବଜେଟ୍ର କେତେ ଅର୍ଥ ଖର୍ଚ୍ଚ କରିଛନ୍ତି, କାହିଁକି ଅଧିକ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସେ ନେଇ ମୁଖ୍ୟ ସଚିବ ମନୋଜ ଆହୁଜା ଆଜି ସଚିବସ୍ତରୀୟ େବୖଠକରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାପଡ଼ିଛି ଯେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମୋଟ୍ ବଜେଟ୍ ବ୍ୟୟ ଅଟକଳର ୩୮% ଖର୍ଚ୍ଚ କରିଛନ୍ତି। ଯାହା ଗତବର୍ଷ ତୁଳନାରେ ୧୩% ଅଧିକ। କିନ୍ତୁ ଗତବର୍ଷ ସାଧାରଣ ନିର୍ବାଚନ ପାଇଁ ବଜେଟ୍ ଖର୍ଚ୍ଚରେ ବିଭିନ୍ନ ପ୍ରତିବନ୍ଧକ ଥିବାବେଳେ ଚଳିତବର୍ଷ କାହିଁକି ଏହା ଅଧିକ ବଢ଼ିଲାନି ବୋଲି ମୁଖ୍ୟ ସଚିବ ବିଭିନ୍ନ ବିଭାଗର ସଚିବଙ୍କୁ ପ୍ରଶ୍ନ କରିଛନ୍ତି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସଚିବସ୍ତରୀୟ ବୈଠକରେ ବଜେଟରେ ଅଧିକ ଅର୍ଥ ବରାଦ ହୋଇଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତୀକରଣ, ଜଳ ସଂପଦ, ପୂର୍ତ୍ତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଆଦି ୧୦ଟି ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗର ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷରେ ଅକ୍ଟୋବର ମାସ ସୁଦ୍ଧା ଖର୍ଚ୍ଚ ପ୍ରତିଶତ ତୁଳନାତ୍ମକ ସମୀକ୍ଷା କରାଯାଇଥିଲା। ଅଧିକାଂଶ ବିଭାଗ ଗତ ବର୍ଷ ତୁଳନାରେ ଏ ବର୍ଷ ଭଲ ପ୍ରଦର୍ଶନ କରିଥିଲେ ବି ସନ୍ତୋଷଜନକ ନଥିବାରୁ ବିଭାଗଗୁଡ଼ିକ ଆର୍ଥିକ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି।
ସେହିପରି ମୋଟ ରାଜସ୍ୱ ଆଦାୟ କ୍ଷେତ୍ରରେ ଗତ ୨୦୨୪ ଅକ୍ଟୋବର ତୁଳନାରେ ଏ ବର୍ଷ ୭.୨% ବୃଦ୍ଧି ଘଟିଛି। ନିଜସ୍ୱ କର ଆଦାୟ, ନିଜସ୍ୱ ଅଣ କର ରାଜସ୍ୱ ଆଦାୟ, କେନ୍ଦ୍ରୀୟ କର ବାବଦକୁ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ଅନୁଦାନ ଆଦିକୁ ମିଶାଇ ମୋଟ ରାଜସ୍ୱ ଆଦାୟ ୪୭.୬% ହାସଲ ହୋଇଛି। ନଭେମ୍ବରରୁ ଆଗାମୀ ମାର୍ଚ୍ଚ ୨୦୨୬ ସୁଦ୍ଧା ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ରହିଛି। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକ ପାଇଁ କେନ୍ଦ୍ରର ଅଂଶଧନ ବାବଦକୁ ରାଜ୍ୟକୁ ସର୍ବାଧିକ ଆର୍ଥିକ ରାଶି ପ୍ରଦାନ ସଂପର୍କରେ ସଂପୃକ୍ତ ବିଭାଗମାନଙ୍କୁ ନିୟମିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ୫ମ ମୁଖ୍ୟ ସଚିବମାନଙ୍କ ସମ୍ମିଳନୀ ପରିପ୍ରେକ୍ଷୀରେ ଆଲୋଚନା ହେବାକୁ ଥିବା ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଏବଂ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୨୩ଟି ପ୍ରମୁଖ କ୍ଷେତ୍ର ଉପରେ ଆଲୋକପାତ କରାଯାଇଥିଲା। ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ ସଂପର୍କରେ ସଂପୃକ୍ତ ବିଭାଗମାନଙ୍କର ସହଯୋଗ କାମନା କରାଯାଇଥିଲା। ‘ଆତ୍ମ ନିର୍ଭରତା’ କ୍ଷେତ୍ରରେ ଓଡ଼ିଶାର ଭୂମିକା ସଂପର୍କରେ ଆଲୋକପାତ କରି ଦୃଷ୍ଟିକୈନ୍ଦ୍ରିକ ଅଭିବୃଦ୍ଧି ପାଇଁ ନୂତନ ମାନସିକତାର ଆବଶ୍ୟକତା, ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ନିୟାମକରେ ସଂସ୍କାର, ସରକାରଙ୍କ ସମସ୍ତ ବିଭାଗ, ମନ୍ତ୍ରଣାଳୟ ଓ ସଂସ୍ଥାଗୁଡ଼ିକର ସମନ୍ୱିତ କାର୍ଯ୍ୟାନୁଷ୍ଠାନରେ ଲକ୍ଷ୍ୟଭିତ୍ତିକ ଶାସନ ପରିଚାଳନା, ବୃହତ୍ ଶିଳ୍ପ କ୍ଲଷ୍ଟର ସ୍ଥାପନ ଏବଂ ଏଥିପାଇଁ ଇକୋସିଷ୍ଟମର ବିକାଶ ସଂପର୍କରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ।
ଉନ୍ନୟନ କମିସନର ଅନୁ ଗର୍ଗ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଭିଜନ୍ ଡକୁମେଣ୍ଟରେ ଥିବା ଲକ୍ଷ୍ୟ ଓ କାର୍ଯ୍ୟସୂଚୀକୁ ଭଲଭାବେ ଅନୁଧ୍ୟାନ କରିବା, ଏହାକୁ କାର୍ଯ୍ୟକାରୀ କରିବା ସଂପର୍କିତ ପ୍ରଶିକ୍ଷଣ ଆୟୋଜନ, ସଂସ୍ଥାଗତ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଇଥିଲେ। ସଚିବମାନଙ୍କର ବିଭିନ୍ନ ଜିଲ୍ଲା ପରିଦର୍ଶନ ଓ ସେସବୁର ବିବରଣୀ ପରିଦର୍ଶନ ପୋର୍ଟାଲ୍ରେ ଉଲ୍ଲେଖ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ମହିଳା କ୍ରିକେଟ୍ ଟିମ୍ ବିଶ୍ବକପ୍ ଜିତିଥିବାରୁ ବୈଠକରେ ଭାରତୀୟ ଦଳକୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟ ସଚିବ କହିଥିଲେ, ଏବେ ଝିଅ ଏବଂ ମହିଳାମାନେ ସବୁ କ୍ଷେତ୍ରରେ ଦକ୍ଷତା ଓ ସାହସର ସହିତ ଆଗକୁ ବଢ଼ୁଛନ୍ତି। ସବୁ ବିଭାଗର ସଚିବମାନେ ସେମାନଙ୍କୁ ସୁଯୋଗ ଦେବା ଓ ପ୍ରୋତ୍ସାହିତ କରିବାକୁ ପଦକ୍ଷେପ ନିଅନ୍ତୁ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଦେଓରଞ୍ଜନ କୁମାର ସିଂହ, ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।
Follow Us