ପଦ୍ମପୁରରେ ମୁଖ୍ୟମନ୍ତ୍ରୀ

Advertisment
ପଦ୍ମପୁରରେ ମୁଖ୍ୟମନ୍ତ୍ରୀ

ଝାରବନ୍ଧ/ପାଇକମାଳ/ପଦ୍ମପୁର: ଗତ ଡିସେମ୍ବରରେ ଉପନିର୍ବାଚନ ବେଳେ ଆସିଥିଲି। ପ୍ରତିଶ୍ରୁତି ଦେଇଥିଲି, ଶୀଘ୍ର ଆସିବି। ମୋ’ ପ୍ରତିଶ୍ରୁତି ରକ୍ଷା କଲି। ମୁଁ କଥାରେ ନୁହେଁ, କାମରେ ବିଶ୍ବାସ କରେ। ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ତିନୋଟି ଜନସଭାକୁ ସମ୍ବୋଧନ କରିଥିଲେ। ପଦ୍ମପୁରରେ ବୃହତ୍‌ ବିଜୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ ତିନି ବ୍ଲକ୍‌ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରଠାରେ ସମାବେଶରେ ଜନତାଙ୍କୁ ଉଦ୍‌ବୋଧନ ଦେବା ସହ ଧନ୍ୟବାଦ ଜଣାଇଥିଲେ। ତିନୋଟି ଯାକ ସଭାରେ ମୁଖ୍ୟମନ୍ତ୍ରୀ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ। କହିଲେ, ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଏଠାକୁ ଆସିଥିଲେ। ବରଗଡ଼-ନୂଆପଡ଼ା ରେଳଲାଇନ୍‌, ଫସଲ ବୀମା, କେନ୍ଦୁପତ୍ରରୁ ଜିଏସ୍‌ଟି ହ୍ରାସ ଭଳି ପ୍ରତିଶ୍ରୁତି ଦେଇଥିଲେ।

ସେମାନଙ୍କ (କେନ୍ଦ୍ରମନ୍ତ୍ରୀମାନଙ୍କ) ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ ପଲଟା ପ୍ରଶ୍ନ କରିଥିଲେ। ପ୍ରଭୁ ନୃସିଂହନାଥ କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି କଥା ମନେପକାଇ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ପଦ୍ମପୁର ଉପଖଣ୍ଡକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିଶ୍ଚିତ ଜିଲ୍ଲା ମାନ୍ୟତା ମିଳିବ ବୋଲି ସେ ପ୍ରକାଶ କରିଥିଲେ। ଏହାବାଦ୍‌, ଉକ୍ତ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ପାଇଁ ୧ କୋଟି ଟଙ୍କା ଲେଖାଏଁ ସ୍ବତନ୍ତ୍ର ଅନୁଦାନ ମଂଜୁର ହୋଇଛି। ପାଇକମାଳ ପିଏଚ୍‌ସିକୁ ସିଏଚ୍‌ସିରେ ଉନ୍ନୀତ କରାଯାଇଛି। ଝାରବନ୍ଧରେ ୧୩୩/୩୨ କେଭି କ୍ଷମତା ବିଶିଷ୍ଟ ଏକ ଗ୍ରିଡ୍‌ ନିର୍ମାଣ ସାଙ୍ଗକୁ ଚାକଧରା ଡ୍ୟାମ୍‌ କାର୍ଯ୍ୟ ତାଙ୍କ ପ୍ରତିଶ୍ରୁତି ମୁତାବକ ଆରମ୍ଭ ହୋଇଥିବା କହିଥିଲେ।

ଝାରବନ୍ଧଠାରେ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୁଶାନ୍ତ ସିଂହ, ବିଧାୟିକା ବର୍ଷା ସିଂହ ବରିହା, ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇ ମଞ୍ଚାସୀନ ଥିଲେ। ଗୁନ୍‌ଗୁନ୍‌ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ପାଇକମାଳଠାରେ ବିଧାୟକ ଆକାଶ ଦାସ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ମନ୍ତ୍ରୀ ପ୍ରତାପ ଦେବ, ରୀତା ସାହୁ, ଟୁକୁନୀ ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଂଚାସୀନ ଥିଲେ। ସେହିପରି ପଦ୍ମପୁରଠାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ସୁଶାନ୍ତ ସିଂହ, ବିଧାୟିକା ବର୍ଷା ସିଂହ ବରିହା, ବିଧାୟକ ଦେବେଶ ଆଚାର୍ଯ୍ୟ ମଂଚାସୀନ ଥିଲେ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସଭା ‌ସଂଯୋଜନା କରିଥିଲେ। ନିଜ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରାୟ ୧୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe