Deccan Herald
ଭୁବନେଶ୍ବର/ବାଲିପାଟଣା : ସକାଳେ ଘର ପାଖରେ ଖେଲୁଥିଲା। କ’ଣ ହେଲା କେଜାଣି କିଛି ସମୟ ପରେ ଜୋରରେ ଚିତ୍କାର ଶୁଭିଲା। ପୁଅ ପୋଡ଼ି ଯାଇଥିବା ଦେଖି ପରିବାର ଲୋକ ତୁରନ୍ତ ୧୦୮କୁ ଫୋନ୍ କଲେ। ଆମ୍ବୁଲାନ୍ସ ପହଞ୍ଚି ସଂକଟାପନ୍ନ ଅବସ୍ଥାରେ ୯ ବର୍ଷର ଏକ ବାଳକକୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ୧୦ଟା ବେଳେ ତା’ର ମୃତ୍ୟୁ ହୋଇଛି।
ଏଭଳି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଘାଷି ଅନ୍ଧୋଟି ଗ୍ରାମରେ। ମୃତକ ହେଲା ନରେନ୍ଦ୍ର ଭୋଇଙ୍କ ପୁଅ ହରୀଶ(୯)। ହରୀଶ ସ୍ଥାନୀୟ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ର।
ମିଳିଥିବା ସୂଚନା ଅନୁସାରେ, ହରୀଶ ଆଜି ସକାଳେ ଘର ପାଖରେ ଖେଳୁଥିଲା। କିଛି ସମୟ ପରେ ନିଆଁରେ ପୋଡ଼ି ହୋଇ ଚିତ୍କାର କରିଥିଲା। ପରିବାର ଲୋକ, ପଡୋଶୀ ପାଟି ଶୁଣି ପହଞ୍ଚିବାରୁ ହରୀଶ ନିଆଁରେ ପୋଡ଼ି ଯାଉଥିବା ଦେଖି ତାକୁ ଉଦ୍ଧାର କରିଥିଲେ। ତା’ ଶରୀରର ୭୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଛି। ଏ ନେଇ ଥାନାରେ କୌଣସି ରିପୋର୍ଟ ହୋଇ ନ ଥିଲେ ବି ଖବର ପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିବାର ଲୋକ ନ ଥିବାରୁ ପଡ଼ୋଶୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଷ୍ଟୋଭରୁ ନିଆଁ ଲାଗି ଏଭଳି ହୋଇଥିବା ଲୋକ କହିଥିଲେ ବୋଲି ବାଲିପାଟଣା ଥାନାର ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ପରିବାର ଲୋକଙ୍କ ସହ ପୁଲିସ କଥା ହୋଇ ନ ଥିବାରୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରି ନାହିଁ। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଘଟଣା ସମ୍ପର୍କରେ କେହି କିଛି ଅଭିଯୋଗ କରି ନ ଥିବାରୁ ଅନୁସନ୍ଧାନ ଆଗେଇ ପାରି ନାହିଁ। ଏପରି ଏକ ସମ୍ବେଦନଶୀଳ ଘଟଣାରେ ହରୀଶର ବୟାନ ମଧ୍ୟ ରେକର୍ଡ କରିନାହିଁ ପୁଲିସ। କେମିତି ନିଆଁ ଲାଗିଲା? କେଉଁ ପରିସ୍ଥିତିରେ ନଅ ବର୍ଷର ବାଳକ ହରୀଶ ପୋଡ଼ି ହୋଇଗଲା? ଯଦି ଷ୍ଟୋଭରୁ ନିଆଁ ଲାଗିଲା ତା’ହାଲେ ସେ କ’ଣ କରୁଥିଲା ଯେ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। କ’ଣ ପାଇଁ ପୁଲିସ ଅନୁସନ୍ଧାନ ଆଗକୁ ବଢାଇଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ପ୍ରାଥମିକ ବିଦ୍ୟାଳୟ ସଂଘ ସମ୍ପାଦକ ରଶ୍ମିରଞ୍ଜନ ପଣ୍ଡା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
Follow Us