ଅଜଣାରୋଗରେ ଶିଶୁ ମୃତ୍ୟୁସଂଖ୍ୟା ୫ ହେଲା: ଥମୁନି ପ୍ରକୋପ

Advertisment

ମୁନୁଷପଦର ଗାଁରେ ଡାକ୍ତରୀ ଦଳ, ପ୍ରଶାସନ

ମୁନୁଷପଦର ଗାଁରେ ଡାକ୍ତରୀ ଦଳ, ପ୍ରଶାସନ

ଅଜଣାରୋଗରେ ଶିଶୁ ମୃତ୍ୟୁସଂଖ୍ୟା ୫ ହେଲା: ଥମୁନି ପ୍ରକୋପ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ମୁନୁଷପଦର ଗାଁରେ ଅଜଣା ରୋଗରେ ଶିଶୁଙ୍କ ମୃତ୍ୟୁ ଥମିବା ବଦଳରେ ବଢ଼ୁଛି। ଗତ ବୁଧବାର ସୁଦ୍ଧା ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଛି। ଏହା ଫଳରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏଣେ ଘଟଣାକୁ ନେଇ ବ୍ଲକ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଅଜଣା ରୋଗରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଥିଲା। ତେବେ ଗତକାଲି ଜଣେ ଶିଶୁର ଅବସ୍ଥା ସଂକଟାପନ୍ନ ହେବାରୁ ରାତିରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସା ଆରମ୍ଭ ହେବାର କିଛି ସମୟ ପରେ ଶିଶୁଟି ଆଖି ବୁଜିଥିଲା। ବ୍ୟବଚ୍ଛେଦ ପରେ ଆଜି ରାତି ସୁଦ୍ଧା ଶବ ଗ୍ରାମରେ ପହଞ୍ଚିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲର ଡାକ୍ତର ଶିବଶଙ୍କର ବାରିକ, ଏମ୍‌ ନାଗେଶ୍ୱର ଏବଂ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ମମତା ସାହୁ, କାଶୀପୁରର ଡାକ୍ତର ଏନ୍‌ଏନ୍‌ ନାୟକ, ଭୁବନେଶ୍ୱରରୁ ଆସିଥିବା ଡାକ୍ତର ଆଦିତ୍ୟ ମହାପାତ୍ର, ଡାକ୍ତର ତାପସ ପାତ୍ର ପ୍ରମୁଖଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଡାକ୍ତର ଟିମ୍‌ ପ୍ରଭାବିତ ମୁନୁଷପଦର ଗାଁକୁ ଯାଇ ଅନ୍ୟ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରିବା ସହ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି। ପ୍ରଶାସନ ପକ୍ଷରୁ କାଶୀପୁର ଏବିଡିଓ ପଦ୍ମିନୀ କହଁର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗତ ବୁଧବାର ରାୟଗଡ଼ା ଏଡିଏମ୍‌ଓଙ୍କ ନେତୃତ୍ୱରେ କାଶୀପୁର ସିଏଚ୍‌ସି ଇନ୍‌ଚାର୍ଜ ଡାକ୍ତର ଏନ୍‌ଏନ୍‌ ନାୟକଙ୍କ ସହ ଗୋଟିଏ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ସମସ୍ତଙ୍କୁ ପ୍ରତିଷେଧକମୂଳକ ଚିକିତ୍ସା କରିଥିଲେ। ଏଥିସହ ଆକ୍ରାନ୍ତଙ୍କ ରକ୍ତ ନମୁନା ସହ ପିଇବା ପାଣି, ଖାଦ୍ୟକୁ ପରୀକ୍ଷା ପାଇଁ ସଂଗ୍ରହ କରିଥିଲେ। ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନର ଜିଲ୍ଲା ଯୁଗ୍ମ ସମ୍ପାଦକ ସଦନ ମାଝୀ ମଧ୍ୟ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ଲୋକଙ୍କୁ ତୁରନ୍ତ ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe