ଲକ୍‌ଡାଉନ୍‌ ବଢାଇଛି ବାଲ୍ୟ ବିବାହ ସୁଯୋଗ

ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ୬ ବିବାହ ବନ୍ଦ କରିଛନ୍ତି, ମାମଲା କରିବାକୁ ସିଡିପିଓଙ୍କ ପଛଘୁଞ୍ଚା

ଲକ୍‌ଡାଉନ୍‌ ବଢାଇଛି ବାଲ୍ୟ ବିବାହ ସୁଯୋଗ

New Indian Express

ନୟାଗଡ଼ : ମହାମାରୀ କରୋନା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ବାଲ୍ୟ ବିବାହ ଭଳି ଅପରାଧ କରିବାକୁ ସୁଯୋଗ ଆଣିଦେଇଛି। କଟକଣାର ଫାଇଦା ଉଠାଇବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଅଭିଭାବକ, ମନ୍ଦିର କର୍ତ୍ତୃପକ୍ଷ, ମଧ୍ୟସ୍ଥି ପ୍ରମୁଖ ଅଣ୍ଟା ଭିଡିଛନ୍ତି। ଲଜ୍ବାର ବିଷୟ ହେଲା ଏନେଇ ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ ନାହିଁ।

ମହାମାରୀ କରୋନା ସଂକ୍ରମଣକୁ ପ୍ରତିହିତ କରିବାକୁ ରାଜ୍ୟ ସରକାର ମେ ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌  କଟକଣା ଜାରି କରିଛନ୍ତି। ଏଭଳି ସ୍ଥିତିରେ ସାଧାରଣ ବିବାହ କରିବାକୁ ଲୋକ ଭୟ କରୁଛନ୍ତି, କାଳେ ସରକାର ଧାର୍ଯ୍ୟ କରିଥିବା ନିୟମର ଉଲ୍ଲଘଂନ ହୋଇଯିବ ବିବାହ କରିବାକୁ ପଛଘୁଞ୍ଚା ଦେଉଛନ୍ତି। କିନ୍ତୁ ବାଲ୍ୟ ବିବାହ ସଂପୂର୍ଣ୍ଣ ଭାବେ ବେଆଇନ ହୋଇଥିବା ବେଳେ, ଏଭଳି ବିବାହ ଆୟୋଜନ ନେଇ ଟିକିଏ ବି ଡର ଦେଖିବାକୁ ମିଳୁନି। କେବଳ ଲକ୍‌ଡାଉନ୍‌ ସମୟରେ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ୬ଟି ବିବାହ ବନ୍ଦ କରିଥିବା ସୂଚନା ମିଳିଛି।

ଲଜ୍ବାର ବିଷୟ ହେଲା ଚିରାଚରିତ ଢଙ୍ଗରେ ବାଲ୍ୟ ବିବାହ ନିଷେଧ ଅଧିକାରୀ(ସିଏମ୍‌ପିଓ) ବା ସିଡିପିଓ ମା‌ନେ ମାମଲା କରିବାକୁ ପଛଘୁଞ୍ଚା ଦେଇଛନ୍ତି। ଲକ୍‌ଡାଉନ୍‌ ଘୋଷଣାର ପ୍ରଥମ ଦିନ ଅର୍ଥାତ୍‌ ୫ ତାରିଖରେ ନୂଆଗାଁ ବ୍ଲକ ଅଞ୍ଚଳରେ ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ଗୋଟିଏ ବାଲ୍ୟ ବିବାହ ଯୋଜନାକୁ ପଣ୍ଡ କରିଦେଇଥିବା ବେଳେ, ୭ ତାରିଖରେ ରଣପୁର ଅଞ୍ଚଳରେ ୨ଟି ବାଲ୍ୟ ବିବାହ ଅଟକାଇଛନ୍ତି। ଏହା ମଧ୍ୟରେ ପୁଣି ଏକ ନାବାଳିକା ଓ ନାବାଳକର ବିବାହ ଆୟୋଜନ ନେଇ ପ୍ରସ୍ତୁତି ଚାଲିଥିଲା। ସେଇଭଳି ୭ ତାରିଖରେ ନୟାଗଡ଼ ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ନାବାଳିକା ବିବାହ ନେଇ ଆୟୋଜନକୁ ଚାଇଲ୍ଡ ଲାଇନ୍‌ ଅଟକାଇଛି। ୮ ତାରିଖରେ ନୟାଗଡ଼ ବ୍ଲକ ଓ ନୂଆଗାଁ ବ୍ଲକ ଅଞ୍ଚଳରେ ଗୋଟିଏ ଲେଖାଏଁ ବାଲ୍ୟ ବିବାହ ବନ୍ଦ କରାଯାଇଛି। ଲକ୍‌ଡାଉନ୍‌ର ମାତ୍ର ୪ ଦିନରେ ୬ ଟି ବାଲ୍ୟ ବିବାହ ବନ୍ଦ କରାଯିବା ଚିନ୍ତାର ବିଷୟ।

ଗତ ଫେବୃଆରି , ମାର୍ଚ୍ଚରେ ‘ସମ୍ବାଦ’ରେ ଲଗାତାର ଜିଲ୍ଲାରେ ବାଲ୍ୟ ବିବାହର ସ୍ଥିତି , ସଡିପିଓମାନଙ୍କ ସଂପୂର୍ଣ୍ଣ ନିଷ୍କ୍ରିୟତା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନୀରବତା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ଏପ୍ରିଲ ମାସରେ ବାଲ୍ୟ ବିବାହକୁ ଦମନ କରିବାକୁ ବୈଠକ କରିଥିବା ଜଣାପଡ଼ିଛି। ହେଲେ କାମ ବେଳକୁ ଏହି ବୈଠକ ଯେ ଡାହା ପ୍ରହସନ ଥିଲା, ତାହା ବୁଝାପଡ଼ୁଛି। ପୂର୍ବରୁ ଯେଭଳି ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ସିଡିପିଓମା‌ନେ ମାମଲା କରୁନଥିଲେ, ବର୍ତ୍ତମାନ ମଧ୍ୟ ସେଇ କଥା ଦେଖାଯାଇଛି। ଧର୍ମକୁ ଆଖି ଠାର ଭଳି ‌ବାଲ୍ୟ ବିବାହ ଆୟୋଜନ କରିଥିବା ଅଭିଭାବକଙ୍କୁ ତାଗିଦ୍‌ କରି ଛାଡ଼ି ଦିଆଯାଇଛି। ସାଧାରଣତଃ ଏଭଳି ବିବ‌ାହକୁ ନାବାଳିକାମାନେ ବିରୋଧ କରିଥା’ନ୍ତି। ଚାଇଲ୍ଡ ଲାଇନ୍‌ ସେମାନଙ୍କୁ ଉଦ୍ଧାର ପରେ ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥାଏ। ସେମାନେ ପରିବାରକୁ ଫେରିବାକୁ ଅରାଜି ଥିବାରୁ ସେମାନଙ୍କୁ ଷ୍ଟେ ହୋମ୍‌ରେ ରଖାଯାଇଥାଏ। କିନ୍ତୁ ବର୍ତ୍ତମାନ କରୋନା କଟକଣା ଚାଲିଥିବାରୁ ‌‌‌‌ଷ୍ଟ‌େ ହୋମ୍‌ ବଦଳରେ ସେମାନଙ୍କୁ ସେମାନଙ୍କ ପରିବାରସହିତ ପୁଣି ରହିବାକୁ ଛାଡ଼ିଦିଆଯାଇଛି। ଫଳରେ ଅଭିଭାବକମାନେ ଏହାରି ସୁଯୋଗରେ ଆସନ୍ତାକିଛି ଦିନ ମଧ୍ୟରେ ପୁଣି ବିବାହ କରିଦେବାର ଆଶଙ୍କା ମଧ୍ୟ ରହିଛି।

କରୋନା ବାଲ୍ୟ ବିବାହ ନେଇ ଏକରକମ ସୁଯୋଗ ଆଣି ଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଚିରାଚରିତ ଢଙ୍ଗରେ ଜିଲ୍ଲାପାଳ ଡ. ପୋମା ଟୁଡୁ ବାଲ୍ୟ ବିବାହ ଘଟଣା ନେଇ ଅନୁଧ୍ୟାନ କରିବେ ବୋଲି ପୂର୍ବରୁ ଉତ୍ତର ରଖିଥିବା ବେଳେ, ଘଟଣାବେଳକୁ କୌଣସି ଦୃଢ ପଦକ୍ଷେପ ନେଉନଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe