ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ଶିଶୁ ଚୋରି: ଚତୁରତାର ସହ ଗାଏବ କରିଦେଲେ ଅପରିଚିତା ମହିଳା

Advertisment

ସନ୍ଦେହରେ ଆଶାକର୍ମୀ ଅଟକ, ପୁଲିସର ପଚରାଉଚରା

ସନ୍ଦେହରେ ଆଶାକର୍ମୀ ଅଟକ, ପୁଲିସର ପଚରାଉଚରା

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ଶିଶୁ ଚୋରି: ଚତୁରତାର ସହ ଗାଏବ କରିଦେଲେ ଅପରିଚିତା ମହିଳା

ବାଲେଶ୍ୱର: ଡାକ୍ତରଖାନା ପରିସରରେ ମାଳମାଳ ସୁରକ୍ଷା କର୍ମୀ ଓ ସିସିଟିଭି ଥିବାସତ୍ତ୍ବେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ଜଣେ ନବଜାତ ଶିଶୁପୁତ୍ର ଗାଏବ ହୋଇଯାଇଛି। ୨ ମାସ ତଳେ ଡାକ୍ତରଖାନାର ମା’ ଓ ଶିଶୁ ୱାର୍ଡରୁ ଅନୁରୂପ ଭାବେ ଏକ ଶିଶୁପୁତ୍ରକୁ ଜଣେ ମହିଳା ଉଠାଇ ନେଇଥିଲେ। ଆଜି ସମାନ ଘଟଣାର ପୁନରାବୃତ୍ତି ହେବାପରେ ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି।

ବାଲିଆପାଳ ବ୍ଳକ୍‌ କୁଲ୍ଲାଚଡ଼ ଗାଁର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନୀତା ସନ୍ତାନ ପ୍ରସବ ପାଇଁ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମା’ ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସାଙ୍ଗରେ ଆସିଥିଲେ ଅନୀତାଙ୍କ ଶାଶୂ ଓ ସ୍ଥାନୀୟ ଆଶାକର୍ମୀ ସନ୍ଧ୍ୟାରାଣୀ ଜେନା। ରାତି ପାଖାପାଖି ୧୨ଟା ସମୟରେ ଅନୀତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ପୂର୍ବରୁ ତାଙ୍କର କନ୍ୟା ସନ୍ତାନଟିଏ ଥିବାରୁ ପୁଅ ଜନ୍ମ ନେଇ ପରିବାର ଲୋକ ବେଶ୍‌ ଖୁସି ହୋଇ ଯାଇଥିଲେ। ଆଜି ସକାଳେ ଅନୀତାଙ୍କ ବେଡ୍‌ ନିକଟରେ ଜଣେ ଅଜଣା ମହିଳା ଆସି ପହଞ୍ଚିଥିଲେ ଏବଂ ତାଙ୍କଠାରୁ ନବଜାତକକୁ ନେଇ ଗେଲ କରିଥିଲେ। ପରେ ସମ୍ପୃକ୍ତ ମହିଳାଜଣକ ଅନୀତାଙ୍କ ସାଙ୍ଗରେ ଆସିଥିବା ଆଶାକର୍ମୀଙ୍କ ସହ ଦୀର୍ଘସମୟ କଥାବାର୍ତ୍ତା ଓ ବୁଲାବୁଲି କରିଥିଲେ। ଏହା ଦେଖି ଅନୀତା ଓ ତାଙ୍କ ଶାଶୂ ସମ୍ପୃକ୍ତ ମହିଳାଙ୍କର ପରିଚୟ ଆଉ ପଚାରି ନଥିଲେ। କିଛିସମୟ ପରେ ଆଶାକର୍ମୀ ଓ ଅନୀତାଙ୍କ ଶାଶୂ ୱାର୍ଡରେ ନଥିବା ବେଳେ ସେହି ମହିଳାଜଣକ ଆସି ପୁଅକୁ ପୋଲିଓ ଦିଆଯିବ କହି ସେଠାରୁ ନେଇଥିଲେ। ପରେ ନବଜାତକକୁ ଆଣି ଅନୀତାଙ୍କ କୋଳରେ ରଖି ଦେଇଥିଲେ। ଏମିତି କିଛି ସମୟ ଅନିତା ଓ ତାଙ୍କ ଶାଶୂଙ୍କ ମନରେ ବିଶ୍ବାସ ଜନ୍ମାଇବା ପରେ ସଂପୃକ୍ତ ମହିଳା ଦେଖାଇଥିଲେ ଅସଲ ଖେଳ। ଗେଲ ବାହାନାରେ ଶିଶୁପୁତ୍ରକୁ ନେଇ ସେଠାରୁ ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ଏ ସବୁ ଅନୀତା ଜାଣିବା ବେଳକୁ ପାଖାପାଖି ଅଧଘଣ୍ଟା ବିଳମ୍ବ ହୋଇ ସାରିଥିଲା। ପୁଅକୁ ନ ପାଇ ସେ ରଡ଼ି ଛାଡ଼ିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଆରମ୍ଭ ହୋଇ ଯାଇଥିଲା ପାଟିତୁଣ୍ଡ ଓ ହୋହାଲ୍ଲା।

ଶିଶୁପୁତ୍ର ଚୋରି ସଂପର୍କରେ ଅନୀତାଙ୍କ ଶାଶୂ ଡାକ୍ତରଖାନା ଫାଣ୍ଡିରେ ଅଭିଯୋଗ କରିବା ପରେ ସେଠାରେ ଡ୍ୟୁଟି କରୁଥିବା ସୁରକ୍ଷାକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପଚରାଉଚରା କରି ସିସିଟିଭି କ୍ୟାମେରା ଯାଞ୍ଚ କରିଛି ପୁଲିସ। ସିସିଟିଭି ଫୁଟେଜ୍‌ରେ ସମ୍ପୃକ୍ତ ଅଜଣା ମହିଳା ଓ ଅନିତାଙ୍କ ସହ ଆସିଥିବା ଆଶାକର୍ମୀ ଏକାଧିକବାର ମିଳାମିଶା କରୁଥିବା ଏବଂ ମହିଳାଜଣକ ଶେଷରେ ପିଲାକୁ ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓ ଫୁଟେଜ୍ ଆଧାରରେ ଆଶାକର୍ମୀ ସନ୍ଧ୍ୟାରାଣୀ ଜେନାଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।
ଅନ୍ୟପକ୍ଷରେ ଘଟଣା ବାବଦରେ ବାଲେଶ୍ବର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅନୀତାଙ୍କ ପରିବାର। ଭାରପ୍ରାପ୍ତ ସିଡିଏମ୍‌ଓ ମୃତ୍ୟୁଞ୍ଜୟ ମିଶ୍ର ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରାଯାଇଥିବା କହିଛନ୍ତି। କେଉଁ ପରିସ୍ଥିତିରେ ଅଜଣା ମହିଳାଜଣକ ୱାର୍ଡରେ ପଶିଲେ ତାର ଅନୁଧ୍ୟାନ କରାଯିବ। ଡାକ୍ତରଖାନାର କେହି କର୍ମଚାରୀ ଯଦି ଏଥିରେ ସମ୍ପୃକ୍ତ ଥାଆନ୍ତି, ତା’ହେଲେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe