ଭଲ ରାସ୍ତା ନାହିଁ, ଷ୍ଟ୍ରେଚର୍‌ରେ ବୋହିଲେ: ଜଙ୍ଗଲ ଭିତରେ ସନ୍ତାନ ପ୍ରସବ

Advertisment
ଭଲ ରାସ୍ତା ନାହିଁ, ଷ୍ଟ୍ରେଚର୍‌ରେ ବୋହିଲେ: ଜଙ୍ଗଲ ଭିତରେ ସନ୍ତାନ ପ୍ରସବ

କାମାକ୍ଷାନଗର : ଗାଁକୁ ଭଲ ରାସ୍ତା ନାହିଁ। ରବିବାର ଦିନ ଜଣେ ପ୍ରସୂତିଙ୍କୁ ଷ୍ଟ୍ରେଚର୍‌ରେ ବୋହି ଦେଢ଼ କିଲୋମିଟର ବିପଜ୍ଜନକ ଖାଲପଥର ରାସ୍ତାରେ ଅଣାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଜଙ୍ଗଲ ଭିତରେ ଥିବା ଏକ ନାଳ ନିକଟରେ ମହିଳା ଜଣକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ପାଖରେ ଅଟକିଥିବା ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ଅନ୍ତର୍ଗତ କାନ୍ତୋଲ ପଞ୍ଚାୟତର ଏକୁଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଏକୁଲ ଗ୍ରାମର ସୁମନ୍ତ ପଧାନଙ୍କ ପତ୍ନୀ ପିଙ୍କି ପଧାନ (୨୨)ଙ୍କର ରବିବାର ସକାଳେ ଗର୍ଭଯନ୍ତ୍ରଣା ହୋଇଥିଲା। ଏ ସଂପର୍କରେ ଆଶାଦିଦି ଝୁଲଣ ଦେହୁରୀଙ୍କୁ କହିବାରୁ ସେ ତୁରନ୍ତ ପାହାଡ଼ ଉପରକୁ ଯାଇ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କାରଣ, ଗାଁରେ କି ଆଖପାଖ ଅଞ୍ଚଳରେ ମୋବାଇଲ୍‌ ନେଟ୍‌ୱାର୍କ ନାହିଁ। ସେଠାରୁ ଫୋନ୍ କରିବାପରେ ଆମ୍ବୁଲାନ୍ସ ଆସିଲା ସତ, କିନ୍ତୁ ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଗ୍ରାମଠାରୁ ଦେଢ଼ କିଲୋମିଟର ଦୂରରେ ଅଟକି ରହିଥିଲା। ପରିବାର ଲୋକ ବାଧ୍ୟହୋଇ ପିଙ୍କିଙ୍କୁ ଏକ ଷ୍ଟ୍ରେଚର୍‌ରେ ବୋହି ଦେଢ଼ କିମି ଦୂର ଖାଲଖମା, ପଥୁରିଆ ରାସ୍ତାରେ ଆଣିଥିଲେ। ପରେ ପିଛୁଳି ନାଳ ପାଖରେ ପିଙ୍କି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ଉଭୟ ମା’ ଓ ଶିଶୁଙ୍କୁ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ଜଣାଯାଇଛି।

‌ତେବେ, ଏହି ଘଟଣା ଆଜି ପ୍ରଥମ ନୁହେଁ। ପୂର୍ବରୁ ଅନେକଥର ଗର୍ଭବତୀଙ୍କୁ ବିପଜ୍ଜନକ ଭାବରେ ଏହିଭଳି ଆସିବାକୁ ପଡ଼ିଥାଏ। ଏହାସତ୍ତ୍ବେ ଉକ୍ତ ଗ୍ରାମକୁ ପକ୍କା ରାସ୍ତା କିମ୍ବା ନାଳ ଉପରେ ପୋଲ ନିର୍ମାଣ ହୋଇପାରିଲା ନଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ସେମାନଙ୍କ କହିବାନୁସ‌ାରେ, ଗତ ୮ ତାରିଖ ଦିନ ଏହି ଅଞ୍ଚଳକୁ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଅନ୍ୟ ଅଧିକାରୀମାନେ ଯାଇଥିଲେ। ଦୁର୍ଗମ ଅଞ୍ଚଳର ବିକାଶ କରାଯିବ ଓ ନାଳ ଉପରେ ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବେ ଏହି ଗମନାଗମନ ସୁବିଧା ହେଉଛି ଏବଂ ଏହି ଅପହଞ୍ଚ ଇଲାକାର ଲୋକମାନଙ୍କର ଦୁଃଖ ଦୂର ହେଉଛି, ସେହି ସମୟକୁ ସେମ‌ାନେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe