ଅସହାୟ ମା’ ସହ ୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍‌ଡଲାଇନ୍‌

Advertisment
ଅସହାୟ ମା’ ସହ ୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍‌ଡଲାଇନ୍‌

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମହକୁମା ସାପ୍ତାହିକ ବଜାର ନିକଟରୁ ଶନିବାର ଅସହାୟ ଅବସ୍ଥାରେ ରହୁଥିବା ଜଣେ ମହିଳା ଓ ତାଙ୍କ ୩ ଶିଶୁଙ୍କୁ ଚାଇଲ୍‌ଡଲାଇନ୍ ଉଦ୍ଧାର କରିଛି। ସେମାନେ ହେଲେ ମା’ ମମତା ବେହେରା (୩୫) ଓ ୩ ଛୁଆ ମିକି (୮), ସୋନାଲି (୪) ଏବଂ ସାହିଲ (୩)।

ପ୍ରାପ୍ତ ସୂଚନାନୁସାରେ ଗତ କିଛି ଦିନ ହେଲା ମମତା ସ୍ବାମୀ ଅନିଲ ବେହେରାଙ୍କ ସହ ୩ ଛୁଆଙ୍କୁ ନେଇ ରିଆମାଳ ବସ୍‌ଷ୍ଟାଣ୍ଡରେ ରହିବା ସହ ସାହୁକାରଙ୍କ ପାଖରେ କାମ କରି ଚଳି ଆସୁଥିଲେ। ତେବେ ଗତ ମାସେ ହେଲା ଅନିଲ ସ୍ତ୍ରୀ ଓ ଛୁଆଙ୍କୁ ଛାଡ଼ି କେଉଁଆଡ଼େ ଚାଲି ଯାଇଛନ୍ତି। ଯଦ୍ବାରା ମମତା ଛୁଆମାନଙ୍କୁ ଧରି ବସ୍‌ଷ୍ଟାଣ୍ଡରୁ ସାପ୍ତାହିକ ବଜାର ନିକଟକୁ ଚାଲି ଆସି ରହୁଥିଲେ। ସାହା ଭରସା କିଛି ନଥିବାରୁ ଭିକ ମାଗି ଚଳୁଥିଲେ। ଯଦି କିଛି ମିଳୁଥିଲା ଖାଉଥିଲେ, ନଚେତ ଦିନ ଦିନ ଉପାସରେ କଟୁଥିଲା।

ରହିବାକୁ ଘର ନଥିଲା କି ପିନ୍ଧିବାକୁ ପୋଷକ ବି ନଥିଲା। ଏଭଳି ପରିତ୍ୟକ୍ତ ଓ ଅସହାୟ ଅବସ୍ଥାରେ ୪ ଜଣ ଦିନ କାଟୁଥିବା ବେଳେ ଖବରପାଇ ଶନିବାର ଚାଇଲ୍‌ଡଲାଇନ୍‌ ସଂସ୍ଥା ସେମାନଙ୍କ ପାଖରେ ପହଞ୍ଚିଥିଲା। ସଂସ୍ଥାର ରିଆମାଳ ସବ୍‌ସେଣ୍ଟର ସଦସ୍ୟ ରୋମାଞ୍ଚଳ ସାହୁ, ସରୋଜ ସାଗର ପ୍ରମୁଖ ମା’, ଛୁଆଙ୍କୁ ଉଦ୍ଧାର କରି ଦେବଗଡ଼ ସିଡବ୍ଲୁସି ନିକଟରେ ଉପସ୍ଥାପନ କରିଥିଲେ। ସେଠାରେ ମମତାଙ୍କୁ ଦେବଗଡ଼ ସ୍ଥିତ ଶ୍ରଦ୍ଧା ଓପନ୍‌ଷ୍ଟେପ୍‌ ସେଣ୍ଟର ଓ ଛୁଆମାନଙ୍କୁ ଶିଶୁ ସୁରକ୍ଷା ଗୃହରେ ରଖାଯାଇଛି। ଉଦ୍ଧାର ବେଳେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ମାମି ବେହେରା, ପିଏଲ୍‌ଭି ମନୋଜ ଦଣ୍ଡିଆ, ସମାଜସେବୀ ଅଶ୍ୱିନ ସାଗର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe