ଅନାଥ ବୋଲି ଅଲୋଡ଼ା! : ଶତାଧିକ ଶିଶୁଙ୍କୁ ମିଳୁନି ଜାତି ଓ ଜନ୍ମ ପ୍ରମାଣପତ୍ର, ସ୍କୁଲରେ ନାମ ‌ଲେଖାଇବେ କେମିତି?

Advertisment
ସବୁ ଜିଲ୍ଲାରେ ଶିଶୁଙ୍କ ପାଇଁ ଅସ୍ଥାୟୀ ବାସସ୍ଥଳୀ, ୨୪ ଘଣ୍ଟିଆ ହେଲ୍‌ପ୍‌ ଲାଇନ୍ ନମ୍ବର ଜାରି

PickPik

କୋରାପୁଟ, (ପତିତପାବନ ସାହୁ): ଛୋଟୁ ଜନ୍ମରୁ ଅନାଥ। ମା’ବାପାଙ୍କ ପରିଚୟ ଜଣା ନାହିଁ। ଜାତି, ଧର୍ମ ଓ ଠିକଣା ବି ଅଜଣା। ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ବଢ଼ୁଥିବା ଏହି ଛୋଟୁର ପାଠପଢ଼ା ବୟସ ହୋଇ ଯାଇଥିଲା ବେଳେ ଏବେ ସେ ପଢ଼ିବ କେଉଁଠି? ତାକୁ ନେଇ ସୃଷ୍ଟି ହୋଇଛି ବିରାଟ ସମସ୍ୟା। କାରଣ କୌଣସି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଦରକାର ଜନ୍ମ ପ୍ରମାଣପତ୍ର। ଏହି ପ୍ରମାଣପତ୍ର ଛୋଟୁ ପାଖରେ ନାହିଁ। ଜାତି ପ୍ରମାଣପତ୍ର ମଧ୍ୟ ମିଳିନାହିଁ। ତେଣୁ ଏକ ଭଲ ସରକାରୀ ବିଦ୍ୟ‌ାଳୟରେ ନାମ ଲେଖାଇବାରୁ ବଂଚିତ ହୋଇଛି ଛୋଟୁ।

କେବଳ ଛୋଟୁ ନୁହେଁ, ଶହ ଶହ ଅନାଥ ଶିଶୁଙ୍କ ସମାନ ଅବସ୍ଥା। ନିଜର କିଛି ଦୋଷ ନ ଥିବା ସତ୍ତ୍ବେ ସେମାନେ ଏବେ ଶାସ୍ତି ପାଉଛନ୍ତି। ଦଇବ ସେମାନଙ୍କ ଭାଗ୍ୟ ସହ ଖେଳିଥିଲା ବେଳେ ଏବେ ସରକାରୀ ବ୍ୟବସ୍ଥା ସେମାନଙ୍କୁ ଭବିଷ୍ୟତକୁ ଦଳି ଦେବା ପାଇଁ ବସିଛି। ଅନାଥଙ୍କ ପାଇଁ ଜନ୍ମ ପ୍ରମାଣପତ୍ର କିମ୍ବା ଜାତି ପ୍ରମାଣପତ୍ର ଯୋଗାଡ଼ ନେଇ କୌଣସି ସରକାରୀ ଆଇନ ନ ଥିବାରୁ ଏମିତି ସାଂଘାତିକ ସମସ୍ୟା ସୃଷ୍ଟି ହୋଇଛି।

କୋରାପୁଟ ଜିଲ୍ଲାରେ ଏବେ ବିଭିନ୍ନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଶହ ଶହ ଅନାଥ ଶିଶୁ ରହୁଛନ୍ତି। ସେଥିରୁ କିଛି ଶିଶୁଙ୍କର ବାପା, ମା’ଙ୍କ ପରିଚୟ ଜଣା‌ ନାହିଁ। କିଛି କୁମାରୀ ମାତୃତ୍ବ ପରେ ସନ୍ତାନକୁ ଛାଡ଼ି ଦେଇ ଯାଉଛନ୍ତି। ଆଉ କିଛି ଅଲୋଡ଼ା ହୋଇଥିବା ଶିଶୁ ଏଠାରେ ଆସି ରହୁଛନ୍ତି। କୌଣସି ସ୍ଥାନରୁ ଶିଶୁ ଉଦ୍ଧାର ହେବା ପରେ ସେମାନଙ୍କୁ ଶିଶୁ ମଙ୍ଗଳ କମିଟି ପାଖରେ ହାଜର କରାଯାଉଛି। ପରେ ସେମାନଙ୍କୁ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯାଉଛି। ଯେଉଁ ଶିଶୁର କେହି ଦାବିଦାର ନ ଥିବେ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସୁଯୋଗ ଦିଆଯାଉଛି। ତଥାପି କେହି ପୋଷ୍ୟ ଭାବେ ଗ୍ରହଣ ନ କଲେ ଆରମ୍ଭ ହେଉଛି ସମସ୍ୟା। ଶିଶୁର ପଢ଼ିବା ବୟସ ହେଲା ବେଳକୁ ତାକୁ କେଉଁଠି ପଢ଼ାଇବେ ତାହା ମୁଣ୍ଡବ୍ୟଥା ପାଲଟୁଛି। କୋରାପୁଟ‌ରେ ଥିବା ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଥିବା ୪ଜଣ ଅନାଥ ଶିଶୁ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ ଚାହିଁଥିଲେ। ହେଲେ ସମସ୍ୟା ହେଲା, ଜନ୍ମ ପ୍ରମାଣପତ୍ରକୁ ନେଇ। ସେହିପରି ବାପା, ମା’ଙ୍କ ନାମ ଜଣା ନ ଥିବାରୁ ସ୍କୁଲରେ ନାମ ଲେଖାଇବାରେ ଅସୁବିଧା ହେଲା। ତେଣୁ ନିରାଶ ‌େହାଇ ଶିଶୁମାନେ ସେଠାରୁ ଫେରି ଆସିଲେ।

କେବଳ ଏହି ଗୋଟିଏ ବିଦ୍ୟାଳୟ ନୁହେଁ, ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ ସମାନ ସମସ୍ୟା। ନାମଲେଖା ପାଇଁ ଜନ୍ମ ପ୍ରମାଣପତ୍ର ସହ ଜାତି ପ୍ରମାଣପତ୍ର ନିହାତି ଦରକାର ବୋଲି କର୍ତ୍ତୃପକ୍ଷ କହୁଛନ୍ତି। ବାପା, ମା’ଙ୍କ ନାମ ମଧ୍ୟ ଆବଶ୍ୟକ ପଡୁଛି। ତେଣୁ ପିଲାମାନେ ଭଲ ସରକାରୀ ସ୍କୁଲରେ ପଢ଼ି ନ ପାରି ଘରୋଇ ବିଦ୍ୟାଳୟରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। କୋରାପୁଟର ଆସ୍ଥା ଚିଲଡ୍ରେନ ହୋମକୁ ପରିଚାଳନା କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଶୋଭାର ସଂପାଦକ ସଂଜିତ ପଟ୍ଟନାୟକ କହିଛନ୍ତି ଯେ, ଜନ୍ମ ପ୍ରମାଣପତ୍ର ନ ଥିବାରୁ ୪ଜଣ ପିଲା କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇ ପାରିଲେ ନାହିଁ। ପ୍ରାୟ ପ୍ରତି ପିଲାଙ୍କ କ୍ଷେତ୍ରରେ ନାମଲେଖା ନେଇ ଏମିତି ସମସ୍ୟା ସୃଷ୍ଟି ହେଉଛି। ତେଣୁ ଅନାଥ ଶିଶୁଙ୍କ ପ୍ରତି ସ୍ବତନ୍ତ୍ର ସୁବିଧା କରିବାର ଆବଶ୍ୟକତା ରହିଛି। ସେମାନଙ୍କ ପାଇଁ ଅଲଗା ନିୟମ କରାଯାଇ ପଢ଼ିବାର ସୁଯୋଗ ‌ଦିଆଗଲେ ସେମାନେ ସାଧାରଣ ଲୋକଙ୍କ ପରି ଜୀବନ ଜିଇଁ ପାରିବେ ବୋଲି ସେ କହିଛନ୍ତି।

ଶିଶୁ ଅଧିକାର କର୍ମୀ ସାନ୍ତାକାର କହିଛନ୍ତି ଯେ, ଅନାଥ ଶିଶୁଙ୍କ ଜାତି ଜାଣିବା କଷ୍ଟକର। କିନ୍ତୁ ଜାତିକୁ ନେଇ ସନ୍ଦେହର ଫାଇଦା ଅନାଥ ଶିଶୁଙ୍କୁ ମିଳିବା ଦରକାର। କୋରାପୁଟ ଏକ ସିଡ୍ୟୁଲ ଅଂଚଳ ହୋଇଥିବାରୁ ସେମାନଙ୍କୁ ଆଦିବାସୀ ପ୍ରମାଣପତ୍ର ମିଳିଗଲେ ସେମାନେ ସରକାରୀ ସୁବିଧାର ଲାଭ ଉଠାଇପାରିବେ। ଏଥିପ୍ରତି ସରକାର ଓ ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବା ଦରକାର ବୋଲି ସାନ୍ତାକାର କହିଛନ୍ତି।

ଜନ୍ମ ଓ ଜାତି ପ୍ରମାଣ ପତ୍ର ନ ଥିବାରୁ କେବଳ ପାଠ ପଢିବାକୁ ନେଇ ଅନାଥ ଶିଶୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ନୁହେଁ, ସେମାନଙ୍କ ଭବିଷ୍ୟତ ଉପରେ ଏହା ଗଭୀର ପ୍ରଭାବ ପକାଉଛି। ପାଠ ପଢ଼ି ସାରିଲା ପରେ ବୃତ୍ତିଗତ ଜୀବନ ଆରମ୍ଭ କରିବା ପାଇଁ ଏହି ଦୁଇ ପ୍ରମାଣ ପତ୍ରର ଆବଶ୍ୟକତା ପଡୁଛି। ଏପରିକି ଆଦିବାସୀ ବୋଲି ଜାଣିଥିଲେ ମଧ୍ୟ ଅନାଥ ହୋଇଥିବାରୁ ସଂରକ୍ଷଣ ସୁବିଧାର ଫାଇଦା ନେଇ ପାରୁ ନାହାନ୍ତି। ସରକାରୀ ଆଇନ କାନୁନ ଭିତରେ ସେମାନଙ୍କ ଭାଗ୍ୟ, ଭବିଷ୍ୟତ ସବୁ ଚେପା ହୋଇ ଯାଉଛି। ତେଣୁ ସେମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରି ସାଧାରଣ ଲୋକ ଭାବେ ବଂଚିବାର ସୁଯୋଗ ଦେବାକୁ ସ୍ବତନ୍ତ୍ର ସରକାରୀ ନିୟମର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe