ଖଜୁରୀ ଗଛର କି ଗୁଣ ଗାଇବି...ଛୁଆଙ୍କ ଖାଦ୍ୟ ଖାଇଗଲେ

Advertisment
ଖଜୁରୀ ଗଛର କି ଗୁଣ ଗାଇବି...ଛୁଆଙ୍କ ଖାଦ୍ୟ ଖାଇଗଲେ

ବଲାଙ୍ଗୀର: ବିଭାଗର ନାଁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ। ନାଁକୁ ଦେଖିଲେ ଯେକେହି ବି କହିବ ବିଭାଗୀୟ ବାବୁ ସମାଜର ଗରିବଗୁରୁବାଙ୍କ ମଙ୍ଗଳ ପାଇଁ ଅହରହ କାର୍ଯ୍ୟରତ। କିନ୍ତୁ କାର୍ଯ୍ୟାଳୟର ନାଁ ସହିତ ମେଳ ଖାଉନି ବାବୁ ବାବୁଆଣୀଙ୍କ କାର୍ଯ୍ୟକଳାପ। କାହିଁ କେତେ ଦିନରୁ ଛୁଆଙ୍କ ଖାଦ୍ୟ ଖାଇଯାଉଥିଲେ। ହରିଲୁଟ କରୁଥିଲେ। କିନ୍ତୁ ଲକ୍‌ଡାଉନ୍‌ରେ ଧରାପଡ଼ିଲା ଲୁଟ। ଆଉ ଏବେ ଆଳୁ ଖୋଳୁଖୋଳୁ ମହାଦେବ ଭଳି ସାମ୍ନାକୁ ଆସୁଛି ବିଭାଗ ବିରୋଧରେ ସଂଗିନ ଅଭିଯୋଗ। କେମିତି ଟେଣ୍ଡର ପ୍ରକ୍ରିୟାରୁ ଚାଉଳ ଡେଲିଭରି ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ପାଦରେ ଜଗି ରଖି ଲୁଟ କରନ୍ତି। ଛୁଆଙ୍କ ଖାଦ୍ୟରୁ ଲୁଟି ନିଅନ୍ତି ଏଜେଣ୍ଟ ଓ ବାବୁ। ପୂରା ଦୁର୍ନୀତିର ଦଲିଲକୁ ଦେଖିଲେ ଯେକେହି ବି କହିବ ‘ଖଜୁରୀ ଗଛର କି ଗୁଣ ଗାଇବି...’।

ଅଙ୍ଗନବାଡ଼ି କେନ୍ଦ୍ର ସଂଖ୍ୟା ହଜାର ହଜାର। ୨୬୬୦ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସେଠିକାର ଛୁଆଙ୍କ ଉପସ୍ଥାନ ସଂଖ୍ୟା ବି ହଜାର ହଜାର। କୋଟି କୋଟି ଟଙ୍କା ବିଭାଗକୁ ଆସୁଛି। ସରକାରୀ ଯୋଜନାରେ ସବୁ କିଛି ଖର୍ଚ୍ଚ କରାଚାଲିଛି। ହେଲେ ସେହି ସବୁ ଯୋଜନାରୁ କାର୍ଯ୍ୟାଳୟର ବାବୁଆଣୀ ଓ ବାବୁଙ୍କ ଭାଗ। ଏପରିକି ଉପରୁ ତଳ ଯାଏ ଲମ୍ବିଛି ଦୁର୍ନୀତିର ଚେର। ଛୁଆଙ୍କ ଚାଉଳ ଦୁର୍ନୀତିର ଏବେ ଲମ୍ବା ତାଲିକା ସାମ୍ନାକୁ ଆସୁଛି। ଆରମ୍ଭରୁ ହିଁ ଟ୍ରାନ୍‌ସପୋର୍ଟିଂ ଏଜେଣ୍ଟ ସହ ଫିକ୍ସିଂ ହୋଇଥିବା ଜଣାପଡ଼ିଛି। କାରଣ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଥମ କରି ରାଜେଶ ରଂଜନ ପାତ୍ରଙ୍କୁ ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ନିଯୁକ୍ତ କରାଯାଇଥିଲା। ଏହାର ଅବଧି ସରିବା ପରେ ୨୦୨୦-୨୧ ଆର୍ଥିକ ବର୍ଷରେ ପୁଣି ଟେଣ୍ଡର ଆହ୍ୱାନ ହୋଇଥିଲା। କିନ୍ତୁ ସେଥିରେ କରାଯାଇଥିଲା ଫିକ୍ସିଂ।

ରାଜେଶ ରଂଜନ ପାତ୍ର ଓ ଅନ୍ୟ ଦୁଇଜଣ ଆବେଦନ କରିଥିଲେ। ଅନ୍ୟ ଦୁଇଜଣଙ୍କ ଭିତରୁ ରାଜେଶଙ୍କ ଜଣେ ସଂପର୍କୀୟ ସେଥିରେ ଥିଲେ। ସେହି ଦୁଇଜଣଙ୍କୁ ବାଦ୍‌ ଦେଇ ପୁଣି ରାଜେଶଙ୍କୁ ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ଦାୟିତ୍ୱ ଦିଆଯାଇଥିଲା। କୁଇଣ୍ଟାଲ ପ୍ରତି ୭୫ ଟଙ୍କା ଥିବା ବେଳେ ପରବର୍ତ୍ତୀ ସମୟରେ ତାହାର ଦର ବି ବୃଦ୍ଧି କରାଯାଇଥିଲା। ମୋଟାମୋଟି ଟ୍ରାନ୍ସପୋର୍ଟିଂ ଏଜେଣ୍ଟକୁ ଦାୟିତ୍ୱରେ ଥିବା ବିଭାଗୀୟ ବାବୁ ସବୁପ୍ରକାର ସହାୟତା କରି ଆସୁଥିଲେ। କାରଣ ଅବଧି ସରି ଯାଇଥିଲେ ବି ୨୦୨୧-୨୨ ଆର୍ଥିକ ବର୍ଷରେ ବିନା କୌଣସି ଆପ୍ରୁଭାଲରେ ବାବୁଆଣୀ ଓ ବାବୁ ମିଳିମିଶି ତାଙ୍କୁ ପ୍ରଥମ କ୍ୱାଟରଲି ଚାଉଳ ବଣ୍ଟନ କରିବାକୁ ଚିଠି କରିଥିଲେ।

ଅନ୍ୟପଟେ ୪ହଜାର ୨୫୩ କୁଇଣ୍ଟାଲ ଚାଉଳ ପାଇଁ ଯୋଗାଣ ନିଗମକୁ ବିଭାଗୀୟ ବାବୁଆଣୀ ଟଙ୍କା ପ୍ରଦାନ କରିଥିବା ବେଳେ ଅନ୍ୟପଟେ ୩ହଜାର ୫୩ କୁଇଣ୍ଟାଲ ଚାଉଳ ଅଙ୍ଗନବା‌ଡ଼ି କେନ୍ଦ୍ରମାନଙ୍କୁ ପହଞ୍ଚାଇବାକୁ ଟ୍ରାନ୍ସପୋର୍ଟିଂ ଏଜେଣ୍ଟଙ୍କୁ ଚିଠି କରିଥିଲେ। ୧୨୦୦ କୁଇଣ୍ଟାଲ ଚାଉଳ କେଉଁଠି ଟ୍ରାନ୍ସପୋର୍ଟିଂ ଏଜେଣ୍ଟ ଉଠାଇ ରଖିଥାନ୍ତା? ସେପଟେ ଯେଉଁ ଚାଉଳ ବି ଅଙ୍ଗନବାଡ଼ି କେନ୍ଦ୍ରକୁ ପହଞ୍ଚିଥିଲା ସେଥିରେ ବି ବସ୍ତାରୁ ହରିଲୁଟ। ମୋଟାମୋଟି ଦେଖିବାକୁ ଗଲେ ଅଙ୍ଗନବାଡ଼ି ଛୁଆଙ୍କ ଖାଦ୍ୟରେ ମୂଳରୁ ଶେଷ ଯାଏ ପ୍ରତ୍ୟେକ ପାହାଚରେ ଦୁର୍ନୀତି। ଆଉ ଏବେ ସବୁ କଥା ସାମ୍ନାକୁ ଆସିବା ପରେ ରଫାଦଫା କରିବାକୁ ଚାଲିଛି ପ୍ରୟାସ। ଆଉ କାର୍ଯ୍ୟାଳୟର ବାବୁ ଓ ବାବୁଆଣୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିଲେ ପ୍ରତିକ୍ରିୟା ଦୂରର କଥା ମୁହଁ ଲୁଚାଇବା ଆରମ୍ଭ କରିଛନ୍ତି। ଏ ଦିଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ବଡ଼ ଦୁର୍ନୀତିର ଗୁମର ଖୋଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe