ଅପପୁଷ୍ଟି ଶିଶୁଙ୍କର ହେବ ଯକ୍ଷ୍ମା ପରୀକ୍ଷା

Advertisment
ଅପପୁଷ୍ଟି ଶିଶୁଙ୍କର ହେବ ଯକ୍ଷ୍ମା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଥିବା ସିଭିଅର ଆକ୍ୟୁଟ୍ ମାଲନରିସ୍‌ଡ(ସାମ୍‌) ବା ଅତିଶୟ ଅପପୁଷ୍ଟି ଶିଶୁଙ୍କ ଯକ୍ଷ୍ମା ପରୀକ୍ଷା କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଗୁରୁତ୍ବ ଦିଆଯିବା ପରେ ରାଜ୍ୟରେ ମଧ୍ୟ ‘ସାମ୍’ ଶିଶୁଙ୍କ ଯକ୍ଷ୍ମା ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ରାଜ୍ୟର ଜନସଂଖ୍ୟାର ପ୍ରାୟ ୨.୬ ପ୍ରତିଶତ ହେଉଛନ୍ତି ‘ସାମ୍’ ଶିଶୁ। ଏପରିକି ରାଜଧାନୀର ବସ୍ତି ଗୁଡ଼ିକରେ ମଧ୍ୟ ପୁଳା ପୁଳା ଅପପୁଷ୍ଟିର ଶିକାର ହୋଇଥିବା ଶିଶୁ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ଓପିଡି ବା ବର୍ହିବିଭାଗରୁ ଏସବୁ ରୋଗୀଙ୍କୁ ପୁଷ୍ଟିସାଧନ କେନ୍ଦ୍ର ବା ଏନ୍‌ଆରସିକୁ ପଠାଯାଉଛି। ରାଜ୍ୟରେ ପ୍ରାୟ ୬୨ଟି ଏନ୍‌ଆରସି ଥିବା ବେଳେ ତହିଁରେ ୧୦ଟି ଲେଖାଏଁ ଶଯ୍ୟା ରହିଛି। ଅନ୍ୟ ସାଧାରଣ ଦିନଗୁଡ଼ିକରେ ଏହାର ୭୦ ପ୍ରତିଶତ ପର୍ଯ୍ୟନ୍ତ ଶଯ୍ୟାରେ ଅପପୁଷ୍ଟି ଶିଶୁ ଚିକିତ୍ସିତ ହେଉଛନ୍ତି। ମାତ୍ର ଏବେ କରୋନା ପାଇଁ ଏନ୍‌ଆରସିରେ ଚିକିତ୍ସିତ ଶିଶୁଙ୍କ ସଂଖ୍ୟା ହ୍ରାସ ପାଇଛି।

ଅପପୁଷ୍ଟିର ଶିକାର ହେବା କାରଣରୁ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳିଛି। ବିଶେଷକରି ସାମ୍ ଶିଶୁମାନେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ତେଣୁ ରାଜ୍ୟରେ ସାମ୍ ବା ମଡରେଟ୍‌ ଆକ୍ୟୁଟ୍‌ ମାଲନରିସ୍‌ଡ(ମାମ୍‌) ବା ମଧ୍ୟମ ଅପପୁଷ୍ଟିର ଶିକାର ଶିଶୁଙ୍କ ଯକ୍ଷ୍ମା ପରୀକ୍ଷା କରାଯିବ। ଆଗୁଆ ପରୀକ୍ଷଣ ହେବା ପରେ ଏହି ଶିଶୁମାନଙ୍କୁ ଯକ୍ଷ୍ମା କବଳରୁ ମୁକ୍ତ ରଖିବା ସହିତ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ହୋଇପାରିବ। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଯଦି କୌଣସି ସାମ୍‌ ଶିଶୁ ଯକ୍ଷ୍ମାରେ ପୀଡ଼ିତ ଥିବା ସନ୍ଦେହ ହେଉଥିଲା ସେମାନଙ୍କ ଯକ୍ଷ୍ମା ପରୀକ୍ଷା କରାଯାଉଥିଲା। ମାତ୍ର ଆଗକୁ ସାମ୍ ସହିତ ମାମ୍‌ ଶିଶୁଙ୍କ ବାଧ୍ୟତାମୂଳକ ଯକ୍ଷ୍ମା ପରୀକ୍ଷା କରାଯିବ। ଅଧିକାଂଶ ‘ମାମ୍‌’ ଶିଶୁ ଏନ୍‌ଆରସିକୁ ଆସି ନ ଥାନ୍ତି। ଯାହାଫଳରେ ସେମାନେ ଯକ୍ଷ୍ମା ପରୀକ୍ଷାରୁ ବଞ୍ଚିତ ହେଉଥିଲେ। ମାତ୍ର ଏବେ ବାଧ୍ୟତାମୂଳକ ପରୀକ୍ଷା କରାଯିବ। ତେବେ ଅଧିକାଂଶ ଅପପୁଷ୍ଟି ଶିଶୁଙ୍କ ମା’ମାନେ ଏନ୍‌ଆରସିରେ ରହିବାକୁ ଚାହୁଁ ନାହାନ୍ତି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏସବୁ ଶିଶୁଙ୍କ ଏନ୍‌ଆରସିକୁ ଆଣିବା ଲାଗି ପ୍ରଚେଷ୍ଟା କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe