ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ନୀଳାମ୍ବୁ ଚିଲିକାର ରୂପ ବଦଳି ଯାଇଛି। ନଦୀନାଳରେ ଆସୁଥିବା ପଟୁମାଟି ଯୋଗୁଁ ଚିଲିକା ସଂକୁଚିତ ହୋଇଛି। ଚିଙ୍ଗୁଡ଼ି ଚାଷରେ ବ୍ୟବହୃତ ରାସାୟନିକ ପଦାର୍ଥରେ ଏହାର ଜଳ ପ୍ରଦୂଷିତ ହୋଇଛି। ପର୍ଯ୍ୟଟକଙ୍କ ବର୍ଜ୍ୟବସ୍ତୁ ଓ ଚିଙ୍ଗୁଡ଼ି ଘେରି ଜାଲ ଯୋଗୁଁ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ବଢ଼ିଛି। ନଦୀ ଓ ନାଳ ପାଣି ମିଶୁଥିବାରୁ ଚିଲିକା ପାଣିର ଲବଣତା ମାତ୍ରା କମିଛି। ଚିଲିକାରେ ଥିବା ବିଭିନ୍ନ ପ୍ରଜାତିର ମାଛ ଲୋକ ପାଉଥିବା ବେଳେ ପ୍ରାକୃତିକ ଭାବେ ବହୁଳ ମାତ୍ରାରେ ମିଳୁଥିବା କଙ୍କଡ଼ା ଆଗ ଭଳି ମିଳୁନାହିଁ। ପରିବେଶ ପରିବର୍ତ୍ତନ ଯୋଗୁଁ ୨ ଲକ୍ଷ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି କୁହାଯାଉଥିବା ଚିଲିକା ଆଜି ସଙ୍କଟରେ। ହେଲେ ଏସବୁ ସମସ୍ୟାର ସମାଧାନ ବାଟ ଆମ ପାଖରେ ରହିଛି। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ‘ସଙ୍କଟରେ ଚିଲିକା’ ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତ ପୋଷଣ କରିଛନ୍ତି ଉପସ୍ଥିତ ପରିବେଶବିତ୍।
ପୂର୍ବରୁ ଚିଲିକାର କ୍ଷେତ୍ରଫଳ ୧୧୬୫ ବର୍ଗ କିଲୋମିଟର ରହିଥିବା ଏବେ ଏହା ସଙ୍କୁଚିତ ହୋଇ ୯୦୬ ବର୍ଗ କିଲୋମିଟର ହୋଇଗଲାଣି। ଜଳବାୟୁ ପରିବର୍ତ୍ତନ ସହ ଚିଲିକାର ବି ପରିବର୍ତ୍ତନ ହୋଇଛି। ବଙ୍ଗୋସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଚିଲିକାରେ ଲ୍ୟାଣ୍ଡଫଲ୍ କରିବା ପରେ ଏହା ଉପରେ ବେଶ ପ୍ରଭାବ ପଡ଼ିଛି। ଉଭୟ ସମୁଦ୍ରର ଲୁଣି ପାଣି ଓ ନଦୀନାଳର ମଧୁରପାଣି ମିଶି ଚିଲିକା ପାଣିର ଲବଣତା ନିୟନ୍ତ୍ରଣ ହେଉଥିଲା। ଲବଣତା ନିୟନ୍ତ୍ରଣ ଯୋଗୁଁ ଚିଲିକାରେ ୩ଶହରୁ ଅଧିକ ପ୍ରଜାତିର ମାଛ ମିଳୁଥିଲା। ଏହା ଉପରେ ନିର୍ଭର କରି ୨ଲକ୍ଷ ମତ୍ସ୍ୟଜୀବୀ ଓ ଅଣ ମତ୍ସ୍ୟଜୀବୀ ପରିବାର ଜୀବିକା ନିର୍ବାହ କରୁଥିଲେ। ହେଲେ ଚିଲିକା ସଂକୁଚିତ ହେବା ଫଳରେ ୨ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକା ସଙ୍କଟରେ ପଡ଼ିଲାଣି।
ତଥାପି ଚଳିତବର୍ଷ ଚିଲିକାକୁ ୨୮ ଲକ୍ଷ ବିଦେଶାଗତ ପକ୍ଷୀ ଆସିଥିବା ବେଳେ ୧୫୯ ଡଲ୍ଫିନ୍ ଅଛନ୍ତି। ତେଣୁ ଚିଲିକାର ସୁରକ୍ଷା ପାଇଁ ଏବେଠୁ ମିଳିମିଶି ଉଦ୍ୟମ କଲେ ପୂର୍ବାବସ୍ଥା ବଜାୟ ରହିବ ବୋଲି ଆଲୋଚକ ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ସ୍ନାତକୋତ୍ତର ବିଭାଗର ମୁଖ୍ୟ ପ୍ରଫେସର ତମୋଘ୍ନ ଆଚାର୍ଯ୍ୟ, ଚିଲିକା ସୁରକ୍ଷା ଆନ୍ଦୋଳନର ବରିଷ୍ଠ ନେତ୍ରୀ ମୀନା କୁମାରୀ ଟହଲ, ବନ ବିଭାଗର ଉପନିର୍ଦ୍ଦେଶକ ସସ୍ମିତା ଲେଙ୍କା ଓ ସାମୁଦ୍ରିକ ଜୈବବିତ୍ ଶୁଭଶ୍ରୀ ସ୍ବାଗତିକା ମହାନ୍ତି ମତବ୍ୟକ୍ତ କରିଥିଲେ।
Follow Us