ଚିଲିକା ବିଧାୟକ ଗାଡ଼ି ମଡ଼ାଇବା ଘଟଣା: ଏଫ୍ଆଇଆରରେ ଗାଡ଼ି ନମ୍ବର ଅଲଗା ହେଲା କେମିତି ? ଏହା ପଛ‌ର ରହସ୍ୟ କ’ଣ   

Advertisment
ଚିଲିକା ବିଧାୟକ ଗାଡ଼ି ମଡ଼ାଇବା ଘଟଣା: ଏଫ୍ଆଇଆରରେ ଗାଡ଼ି ନମ୍ବର ଅଲଗା ହେଲା କେମିତି ? ଏହା ପଛ‌ର ରହସ୍ୟ କ’ଣ   

ଖୋର୍ଦ୍ଧା: ଚଳିତ ମାସ ୧୨ ତାରିଖରେ ବାଣପୁର ତହସିଲ ଅଫିସ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜର କାର୍  ପ୍ରତିପକ୍ଷ ବିଜେପି ସମର୍ଥକ ଓ ପୁଲିସ ଉପରେ ଗାଡ଼ି ଚଢ଼ାଇଦେଇଥିଲେ । ଏହାପରେ ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଆହତ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବ ଆଜି ସୁସ୍ଥ ହୋଇ ହସ୍ପିଟାଲ୍ରୁ ବାହାରକୁ ବାହାରିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଛି । ତେବେ ଏହି ସମୟରେ ଯେଉଁ କାର୍ ଦ୍ବାରା ବିଧାୟକ ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ  ସେହି କାର ନମ୍ବର ଓ  ମଡେଲ୍କୁ ନେଇ ଏବେ ନୂଆ ବିବାଦ ଠିଆ ହୋଇଛି । ଗଣମାଧ୍ୟମରେ ପ୍ରସାରିତ ଘଟଣାର ଲାଇଭ୍ ଭିଡିଓରୁ ସ୍ପଷ୍ଟ ଭାବେ ଗାଡ଼ିର ନମ୍ବର ଦେଖାଯାଉଥିବା ବେଳେ ବର୍ତ୍ତମାନ ଏଫଆଇଆରରେ ଲେଖା ଥିବା ଗାଡ଼ିର ନମ୍ବର ଭିନ୍ନ ରହିଛି। ଏହାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘଟଣା ଦିନ ଏକ ଧଳା ରେଂଜ୍ ରୋଭର କାର୍‌କୁ ନିଜେ ଚଳାଇ ବିଧାୟକ ଜଗଦ୍ଦେବ ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ । ଉତ୍ତ୍ୟକ୍ତ ଲୋକମାନେ ସେତେବେଳେ ବିଧାୟକଙ୍କୁ ମାଡ଼ ମାରିବା ସହ କାରଟି ଭଙ୍ଗାରୁଜା କରିଥିଲେ । ଏହି ଗାଡ଼ିର ନମ୍ବର ଥିଲା ଓଡି ୦୨ ଏୱାଇ ୫୭୭୫। ଏହାକୁ ପୁଲିସ ଜବତ କରି ବାଣପୁର ଥାନାକୁ ଆଣିଥିଲା । ବର୍ତ୍ତମାନ ଥାନା ପରିସରରେ ଥିବା ଜବତ କାରର ମଡେଲ୍ ରେଂଜ୍ ରୋଭର ହିଁ ରହିଛି । କିନ୍ତୁ ଆର୍ଟିଓ ତଥ୍ୟରେ କାର୍ ନମ୍ବର ଓ ମଡେଲର କୌଣସି ମେଳ ଖାଉନାହିଁ । ତଥ୍ୟରେ ଉକ୍ତ ନମ୍ବରର କାରର ମଡେଲ୍ ହ୍ୟୁଣ୍ଡାଇ କ୍ରେଟା ବୋଲି ଦର୍ଶାଉଥିବା ବେଳେ ଏହା ଶିବାନୀ ଫୁଡ୍ ପ୍ରଡକ୍ଟସ ପ୍ରା ଲିଃ ନାମରେ ପଂଜୀକୃତ ହୋଇଛି । ତେବେ କାରଟି ଭଙ୍ଗାରୁଜା କରିବାର କିଛି ସମୟ ପୂର୍ବରୁ କାରର ନମ୍ବର ଓଡି ୨୫କେ ୫୭୭୫ ଥିବା ଭିଡ଼ିଓରେ ରେକର୍ଡ ହୋଇଥିଲା । ଆରଟିଓ ତଥ୍ୟରେ ଏହି କାରଟି ରେଂଜ୍ ରୋଭର ଡିସକଭରି ମଡେଲ୍ ଥିବା ଓ ଏହା କୁମାର ଦେବଦତ୍ତଙ୍କ ନାମରେ ପଂଜୀକୃତ ହୋଇଛି ।

publive-image

ବର୍ତ୍ତମାନ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବା ପୂର୍ବରୁ ପୁଲିସ ଏଭଳି ନମ୍ବର ପ୍ଲେଟ୍ ପରିବର୍ତନ କରିଦେଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ବାଣପୁର ଏସଡିପିଓ ମାନସ ରଂଜନ ବାରିକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମାମଲାକୁ ଚପାଇବାକୁ ପୁଲିସ ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିଥିବା ସଂପୂର୍ଣ୍ଣ ମିଛ । ଯଦିଓ ପୁଲିସ ଗାଡ଼ିଟିକୁ ଜବତ କରିବା ସମୟରେ ଗାଡ଼ିର ଯେଉଁ ନମ୍ବର ରହିଥିଲା ସେହି ନମ୍ବର (ଓଡ଼ି ୦୨ ଏୱାଇ ୫୭୭୫) ହିଁ ଏଫ୍ଆଇଆରରେ ଉଲ୍ଲେଖ ରହିଛି ।

ଏବେ ଅଭିଯୋଗ ଆସିବା ପରେ ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି ଯେ ଉକ୍ତ କାରରେ ଦୁଇଟି ନମ୍ବର ପ୍ଲେଟ୍ ବ୍ୟବହାର କରାଯାଉଥିଲା। ରେଂଜ ରୋଭରର ନମ୍ବର ପ୍ଲେଟ୍ ତଳେ ହ୍ୟୁଣ୍ଡାଇ କ୍ରେଟାର ନମ୍ବର ପ୍ଲେଟ୍ ଲଗାଯାଇଥିଲା । ଭଙ୍ଗାରୁଜା ସମୟରେ ରେଂଜ୍ ରୋଭର ନମ୍ବର ପ୍ଲେଟ୍ଟି ହଜି ଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଆରଟିଓକୁ ସୂଚିତ କରାଯାଇ ଗାଡ଼ିର ଚେସିସ୍ ନମ୍ବର ଓ ଇଂଜିନ୍ ନମ୍ବର ଯାଂଚ ପାଇଁ ପଠାଯାଇଛି । ଏପରିକି ରେଂଜ୍ ରୋଭର କମ୍ପାନି ସହ ମଧ୍ୟ ଯୋଗାଯୋଗ କରାଯାଇଛି । ଯେ କେହି ବି ନମ୍ବର ପ୍ଲେଟ୍‌ଟି ପରିବର୍ତ୍ତନ କରିପାରବ, କିନ୍ତୁ ଇଂଜିନ୍ ଓ ଚେସିନ୍ ନମ୍ବର ପରିବର୍ତ୍ତନ କରିପାରିବ ନାହିଁ । ଆରଟିଓ ଯାଂଚ ରିପୋର୍ଟ ଆସିବା ପରେ ସମସ୍ତ କଥା ସ୍ପଷ୍ଟ ହୋଇଯିବ । ଯଦି ଦୁଇଟି ନମ୍ବର ପ୍ଲେଟ୍ ବ୍ୟବହୃତ ହୋଇଥାଏ ତେବେ ଆଇନାନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ । ବିଧାୟକ ନିଜର ସତ୍ୟପାଠରେ ନିଜ ନାମରେ କୌଣସି ଗାଡ଼ି ନଥିବା ଓ ନିଜ ପତ୍ନୀଙ୍କ ନାମରେ କେବଳ ଟୋୟଟା ଇଟିଓସ୍ କାର୍ ଥିବା ଦର୍ଶାଇଛନ୍ତି । ଏଭଳି କ୍ଷେତ୍ରରେ ସେ ଯଦି ଦୁଇଟି ନମ୍ବର ଥିବା କାର ନେଇ ଏଭଳି ଘଟଣା ଘଟାଇଛନ୍ତି, ତେବେ ଏହା ଯୋଜନାବଦ୍ଧ ଆକ୍ରମଣ ଥିବା ସନ୍ଦେହ ଅଧିକ ଘନୀଭୂତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe