ଖୋର୍ଦ୍ଧା : ଚଳିତ ମାସ ୧୨ ତାରିଖରେ ବାଣପୁର ତହସିଲ କାର୍ଯ୍ୟାଳୟ ନିକଟରେ ବିଜେପି ସମର୍ଥକଙ୍କୁ କାର ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇ ବର୍ତ୍ତମାନ ବିଚାରବିଭାଗୀୟ ହାଜତରେ ଅଛନ୍ତି। କିନ୍ତୁ ମାମଲାକୁ ନେଇ ଜଟିଳତା ଶେଷ ହେବାର ନାମ ନେଉନାହିଁ। ଗତକାଲି ବିଧାୟକ ଜଗଦ୍ଦେବଙ୍କ ଉକ୍ତ କାର ନମ୍ବର ଜାଲି ଥିବା ଜଣାପଡ଼ିବା ପରେ ବୁଧବାର ଦିନ ସମାନ ନମ୍ବର ଗାଡ଼ି ନୟାଗଡ଼ର ସୁନାଖଳାର ଶିବାନୀ ଫୁଡ୍ସ ପ୍ରା ଲିଃ ମାଲିକଙ୍କ ଘରେ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ରେଞ୍ଜ୍ ରୋଭର୍ ଡିସ୍କଭରି ବ୍ୟବହାର କରିଥିଲେ ସେଥିରେ ଦୁଇଟି ନମ୍ବର ବ୍ୟବହାର ହେଉଥିଲା। ଗୋଟିଏ ଓଡି ୦୨ ଏୱାଇ ୫୭୭୫ ଓ ଅନ୍ୟଟି ଓଡ଼ି ୨୫ କେ ୫୭୭୫। ଆର୍ଟିଓ ତଥ୍ୟାନୁସାରେ ପ୍ରଥମ ନମ୍ବରଟି ଏକ ହ୍ୟୁଣ୍ତାଇ କ୍ରେଟା କାରର୍ ଓ ଦ୍ବିତୀୟ ନମ୍ବରଟି ନୟାଗଡ଼ର କୁମାର ଦେବଦତ୍ତଙ୍କ ନାମରେ ଥିବା ରେଞ୍ଜ୍ ରୋଭର୍ର। ବର୍ତ୍ତମାନ ଯେଉଁ କାର୍ଟି ବାଣପୁର ଥାନାରେ ଜବତ ହୋଇ ରହିଛି ତାହା କ୍ରେଟା କାର୍ର ନମ୍ବର ଅଟେ। କିନ୍ତୁ ଉକ୍ତ ନମ୍ବର ଥିବା ଆଉ ଏକ କ୍ରେଟା କାର୍ ଶିବାନୀ ଫୁଡ୍ସର ମାଲିକଙ୍କ ସୁନାଖଳା ଘରେ ରହିଛି। ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ କାର୍ରେ ଯେଉଁ ନମ୍ବର ବ୍ୟବହାର କରୁଥିଲେ ତାହା ସମ୍ପୃକ୍ତ ମାଲିକଙ୍କ ଜ୍ଞାତସାରରେ ପରିବର୍ତ୍ତନ ହୋଇଥିଲା ନା ଏହା ପଛରେ ଅନ୍ୟ କିଛି ଷଡ୍ଯନ୍ତ୍ର ରହିଛି। ଯଦି ଦୁଇଟି ନମ୍ବର ବ୍ୟବହାର ହେଉଥିଲା, ତେବେ କାହିଁକି ହେଉଥିଲା। ଶିବାନୀ ଫୁଡ୍ସ ମାଲିକଙ୍କ ସହ ପ୍ରଶାନ୍ତ ଜଗଦ୍ଦେବଙ୍କ କ’ଣ ସମ୍ପର୍କ? ଏସବୁ ପ୍ରସଙ୍ଗ ଉପରେ ବର୍ତ୍ତମାନ ପୁଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ବାଣପୁର ଏସ୍ଡିପିଓ ମାନସ ରଂଜନ ବାରିକ କହିଛନ୍ତି ଯେ, ‘ଗାଡ଼ିରେ ଜାଲ ନମ୍ବର ବ୍ୟବହାର କରିବା ନେଇ ନୂତନ ମାମଲା ରୁଜ୍ଜୁ ହୋଇନାହିଁ। କିନ୍ତୁ ଏହି ପ୍ରସଙ୍ଗକୁ ୧୨ ତାରିଖ ମାମଲାରେ ସମ୍ପୃକ୍ତ କରାଯାଇଛି। ଆର୍ଟିଓରୁ ତଥ୍ୟ ଆସିନାହିଁ। ତଥ୍ୟ ଆସିବାପରେ ସମସ୍ତ ଗାଡ଼ିର ମାଲିକଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ।’
ସୂଚନାଯୋଗ୍ୟ, ଶିବାନୀ ଫୁଡ୍ସ ମାଲିକ ତଥା ଓଡି ୦୨ ଏୱାଇ ୫୭୭୫ ନମ୍ବର କ୍ରେଟା ଗାଡ଼ିର ମାଲିକ ରବୀନ୍ଦ୍ରନାଥ ସୁବୁଦ୍ଧି ନୟାଗଡ଼ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ସଭାପତି ଅଟନ୍ତି। ଏହାସହ ତାଙ୍କ ପରିବାର ଏକାଧିକଥର ନିର୍ବାଚିତ ପ୍ରତିନିଧି ଭାବେ ବିଭିନ୍ନ ପଦପଦବିରେ ରହିଛନ୍ତି। ଏପରିସ୍ଥଳେ, କାର୍ରେ ଜାଲି ନମ୍ବର ବ୍ୟବହାର ଓ ପୁଲିସର ପରବର୍ତ୍ତୀ ପଦକ୍ଷେପ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଠିକାଦାର ଲାଞ୍ଚ ଦେଇଥିବା ଅଭିଯୋଗ ଆଣିଲା କଂଗ୍ରେସ
ନୟାଗଡ଼ : ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ରେଞ୍ଜ୍ରୋଭର୍ ଗାଡ଼ି(ଓଡି୨୫ କେ ୫୭୭୫)ର ନୟାଗଡ଼ ଲିଙ୍କ୍ ରହିଛି। ଏହି ଗାଡ଼ି ନୟାଗଡ଼ ଓଡ଼ଗାଁ ବ୍ଲକର ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ଏହି ଠିକାଦାର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କର ନିକଟତର ବୋଲି ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।ଶ୍ରୀ ଦାଶ ଅଭିଯୋଗ କରିଛି ଯେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ପ୍ରାୟ ୧ କୋଟି ଟଙ୍କାର ଗାଡ଼ି ଦେବାରେ ମନ୍ତ୍ରୀ ମଧ୍ୟସ୍ଥତା କରିଥିଲେ। ଯେଉଁ କାରଣରୁ ବାଣପୁର ପୁଲିସ ଦୁର୍ଘଟଣା ଘଟାଇଥିବା ରେଞ୍ଜରୋଭର୍ ଗାଡ଼ି ବଦଳରେ ଏକ ହ୍ୟୁଣ୍ଡାଇ କ୍ରେଟା ଗାଡ଼ି ( ଓଡି ୦୨ ଏୱାଇ ୫୭୭୫) ନାମରେ ମାମଲା ରୁଜୁ କରିଛି। ଏହି କ୍ରେଟା ଗାଡ଼ି ମଧ୍ୟ ନୟାଗଡ଼ ରାଜସୁନାଖଳା ଅଞ୍ଚଳର ଜଣେ ବିଜେଡି ନେତା ତଥା ବ୍ୟବସାୟୀଙ୍କର ବୋଲି ସେ କହିଛନ୍ତି।
Follow Us