ଚିଲିକା ଉପରେ ଫ୍ଲାଏଓଭରକୁ ବିରୋଧ କଲା ଚିଲିକା ସୁରକ୍ଷା ଅଭିଯାନ

ଭାରତମାଳା ଉପକୂଳ ଜାତୀୟ ରାଜପଥ ଗୋପାଳପୁର ଠାରୁ ପାଲୁର, କୃଷ୍ଣପ୍ରସାଦ ଦେଇ ଜହ୍ନିକୁଦାରୁ ମହିଷା ବ୍ରହ୍ମପୁର ଓ ସେଠାରୁ ସାତପଡ଼ାକୁ ଚିଲିକା ଉପରେ ଫ୍ଲାଏ ଓଭରବ୍ରିଜ୍ ଦ୍ୱାରା ସଂଯୋଗ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।

kkk22

ଭୁବନେଶ୍ବର: ଭାରତମାଳା ଉପକୂଳ ଜାତୀୟ ରାଜପଥ ଗୋପାଳପୁର ଠାରୁ ପାଲୁର, କୃଷ୍ଣପ୍ରସାଦ ଦେଇ ଜହ୍ନିକୁଦାରୁ ମହିଷା ବ୍ରହ୍ମପୁର ଓ ସେଠାରୁ ସାତପଡ଼ାକୁ ଚିଲିକା ଉପରେ ଫ୍ଲାଏ ଓଭରବ୍ରିଜ୍ ଦ୍ୱାରା ସଂଯୋଗ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହି ଫ୍ଲାଏଓଭରବ୍ରିଜ୍ ହେବା ଦ୍ବାରା ଚିଲିକାର ମୃତ୍ୟୁ ଘଟିବା ସହିତ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସଜୀବୀ ପରିବାରଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ ବୋଲି ଆଜି ଚିଲିକା ସୁରକ୍ଷା ଅଭିଯାନ ପକ୍ଷରୁ ନାଗଭୂଷଣ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି। 

ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହି ଯୋଜନାକୁ ପୂର୍ବରୁ ଓଡ଼ିଶାର ଜନଗଣ, ମତ୍ସ୍ୟଜୀବୀ ଓ ପରିବେଶବିତ୍‌ମାନେ ବିରୋଧ କରିବାରୁ ଏହା ଗୋପାଳପୁରରୁ ବାହାରି ବାଲୁଗାଁ, କାଳୁପଡ଼ା, ଭୂଷଣପୁର, ବଡ଼ଗୋଠ ଦେଇ ବ୍ରହ୍ମଗିରି ରାସ୍ତାକୁ ସଂଯୋଗ କରାଯିବାର ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଏହି ନିଷ୍ପତ୍ତି ଫଳରେ ଚିଲିକା ସହ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଭାଗ୍ୟ ଆହୁରି ବିପଦ ଭିତରକୁ ଠେଲି ହୋଇଯିବ। ବନ୍ୟା ବେଳେ ଚିଲିକାରେ ପଡ଼ିଥିବା ନଦୀ ନାଳର ଜଳ ସହ ପଟୁମାଟି ଓ ଦଳ ସମୁଦ୍ରକୁ ନଯାଇପାରି ଚିଲିକାକୁ ପୋତି ପକାଇବ। ବ୍ରିଜ୍‌ ଉପରେ ହଜାର ହଜାର ଗାଡ଼ି ଯାତାୟାତ କରିବା ଫଳରେ ଶବ୍ଦ, ବାୟୁ ଓ ଜଳ ପ୍ରଦୂଷଣ ବଢ଼ିବ। ଯାତ୍ରୀମାନଙ୍କର ବର୍ଜ୍ୟବସ୍ତୁ ଦ୍ବାରା ଚିଲିକା ପୋତି ହେବ। ଏବେ ସମୁଦ୍ରକୁ ଚିଲିକାର ମୁହାଣ ପୋତି ହୋଇଯିବା ଫଳରେ ଲୁଣିପାଣି ଚିଲିକାକୁ ନଆସି ପାରିବା ଯୋଗୁଁ ଜୈବ ବିବିଧତା ନଷ୍ଟ ହୋଇଛି। ଫଳରେ ଚିଲିକାର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଉତ୍ପାଦନ କମିଯାଇଛି।

ଏହା ଆହୁରି କମିଯିବ। ଗାଡ଼ି ମୋଟରର ବିକଟାଳ ଶବ୍ଦ ଯୋଗୁଁ ପକ୍ଷୀମାନେ ଚିଲିକାକୁ ଆସିବା ବନ୍ଦ କରିଦେବେ। ତେଣୁ ଚିଲିକା ଉପରେ ପ୍ଲାଏଓଭର ତୁରନ୍ତ ବନ୍ଦ ହେବା ଜରୁରୀ ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି। ଚିଲିକା ଉପରେ ବ୍ରିଜ୍ କରିବା ନିଷ୍ପତ୍ତି ଅତ୍ୟନ୍ତ ଭୁଲ ଓ ଅଦୂରଦର୍ଶୀ। ଏଥିରୁ ସରକାର ବିରତ ହୋଇ ଚିଲିକା ହ୍ରଦର ଉନ୍ନତି କରିବା ଆବଶ୍ୟକ। ନହେଲେ ଚିଲିକାର ମତ୍ସ୍ୟଜୀବୀମାନେ ୧୯୯୯ର ଚିଙ୍ଗୁଡ଼ି ଘେରିଭଙ୍ଗା ଆନ୍ଦୋଳନ ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଆବାହକ ଅନାଦି ବେହେରା, ମୁରଲୀଧର ବେହେରା, ହାଡ଼ିବନ୍ଧୁ ବେହେରା, ରାଜକିଶୋର ବେହେରା, ଜୟକୃଷ୍ଣ ବେହେରା, ପାଣ୍ଡବ ‌ବେହେରା, ସତ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe