Image Courtesy of Mint
ଭୁବନେଶ୍ବର: ରାଜ୍ୟରେ ଏବେବି ଚାଲିଛି ଚିଟ୍ଫଣ୍ଡ କାରବାର। ଚିଟ୍ଫଣ୍ଡ ସଂସ୍ଥା ନାଁ ବଦଳାଇ ସେଇ ପୁରୁଣା ତରିକାରେ ଜମାକାରୀଙ୍କୁ ଠକୁଛନ୍ତି। ଏଭଳି ଏକ ମହାଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ସଫଳତା ମିଳିଛି। କ୍ରିପ୍ଟୋ କରେନ୍ସି ନାଁରେ ଓଡ଼ିଶାର ୬ଟି ଜିଲ୍ଲାରୁ ୫୦୦ରୁ ଊର୍ଦ୍ଧ୍ବ ଜମାକାରୀଙ୍କଠାରୁ ୧୫ କୋଟି ଟଙ୍କା ଚୂନ ଲଗାଇଥିବା ଦୁଇ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ଧରିଛି। ଇଓଡବ୍ଲୁ ଶାଖା ରାଜସ୍ଥାନ ଅନୁପଗଡ଼ରୁ ସଂସ୍ଥାର ଭାରତ ମୁଖ୍ୟ ବେଦପ୍ରକାଶ ଓ ସୁନ୍ଦରଗଡ଼ରୁ ଓଡ଼ିଶା ମୁଖ୍ୟ ସୁଧୀର ପଟେଲଙ୍କୁ ଗିରଫ କରିଛି। ଅଭିଯୁକ୍ତ ବେଦ ପ୍ରକାଶକୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଆଣିବା ପରେ ଉଭୟଙ୍କୁ କଟକସ୍ଥିତ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ଦଫା ୧୨୦ ବି, ୪୬୭, ୪୬୮ ସହ ଆଇଟି ଦଫା ୪, ୫, ୬ ଓ ଓପିଆଇଡି ଆଇନର ଦଫା ୬ରେ ମାମଲା ରୁଜୁ କରିଛି ଇଓଡବ୍ଲୁ।
ଭାରତ ମୁଖ୍ୟ ବେଦ ପ୍ରକାଶ ଯୁକ୍ତ ଦୁଇ ପାଠ ପଢ଼ିଥିବା ବେଳେ ରାଜସ୍ଥାନ ପୁଲିସରେ କନେଷ୍ଟବଳ ଭାବେ କାମ କରୁଥିଲା। ୫ ବର୍ଷ କାମ କରିବା ପରେ ଚାକିରିରୁ ବିତାଡ଼ିତ ହୋଇ ଓଡ଼ିଶାର ସୁଧୀର ପଟେଲ ସହ ମିଶି କ୍ରିପ୍ଟୋ କରେନ୍ସି ନାଁରେ ଟିଟ୍ଫଣ୍ଡ କାରବାର ଚଳାଇଥିଲା। ଜମାକାରୀ ପ୍ରେମସାଗର ଖମାରି ୪୮ ହଜାରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗ କରି ମାତ୍ର ୨୦ ହଜାର ଟଙ୍କା ଫେରିପାଇଥିଲେ। ଏହି ମହାଠକେଇର ଶିକାର ହୋଇ ସେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଏଥିସହ ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରୁ ଶତାଧିକ ଜମାକାରୀ ଠକେଇର ଶିକାର ହୋଇଛନ୍ତି। ଇଓଡବ୍ଲୁରେ ଅଭିଯୋଗ ପରଠାରୁ ଅଭିଯୁକ୍ତ ଦ୍ବୟ ଫେରାର ହୋଇଯାଇଥିଲେ।
କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏସ୍ପି ଦିଲ୍ଲୀପ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ଠକଦ୍ବୟ ୬ଟି ଜିଲ୍ଲାରୁ ପ୍ରାୟ ୧୫ କୋଟି ହଡ଼ପ କରିଥିବା ବେଳେ କେବଳ ପଶ୍ଚିମ ଓଡ଼ିଶାରୁ ସର୍ବାଧିକ ୧୪କୋଟି ଟଙ୍କା ଚୂନ ଲଗାଇଛନ୍ତି। କ୍ରିପ୍ଟୋ କରେନ୍ସିରେ ବିନିଯୋଗ ପାଇଁ ସେମାନେ ଜମାକାରୀଙ୍କୁ ପ୍ରବର୍ତ୍ତାଉ ଥିଲେ। ସେମାନେ କ୍ରିପ୍ଟୋ ନାଁରେ ଚିଟ୍ଫଣ୍ଡ ଚଳାଉଥିବାର ଟେର ପାଇନଥିଲେ ଜମାକାରୀ। ଅଭିଯୁକ୍ତମାନେ ଇଏନଜି କ୍ରିପ୍ଟୋ, ଏନଟାଇସ୍ କ୍ୟାପିଟାଲ ଯୁଏସଡିଟି କ୍ଲବ, ଏଡିଏସ ଏକ୍ସଚେଞ୍ଜ, କ୍ରିଟ ୧୧ ଆଦି ନାଁରେ ଜମା କରି ଟଙ୍କା ଦ୍ବିଗୁଣିତ କରିବାକୁ ପ୍ରଲୋଭନ ଦେଖାଉଥିଲେ। ଜମାକାରୀଙ୍କୁ ବିଶ୍ବାସ ଜିତିବା ପାଇଁ ପ୍ରଥମେ କିଛି ମାସ ଟଙ୍କା ଫେରସ୍ତ ଦେଉଥିଲେ। ଜମାକାରୀ ବିଶ୍ବାସ କରି ଅଧିକ ଟଙ୍କା ବିନିଯୋଗ କଲା ପରେ ସେମାନେ ସବୁ ଟଙ୍କା ଧରି ଫେରାର ହୋଇଯାଉଥିଲେ।
Follow Us