ମହୋଦଧିରେ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜିତ

Advertisment
ମହୋଦଧିରେ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜିତ

ପୁରୀ : ସତ୍‌ସଙ୍ଗର ପୂର୍ବତନ ଆଚାର୍ଯ୍ୟ ଦେବ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ ପର୍ବ ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତୀଙ୍କ ଦ୍ବାରା ଶାସ୍ତ୍ରୀୟ ବିଧିବିଧାନ ମୁତାବକ ସମ୍ପନ୍ନ ହୋଇଛି। ଏହି ଅବସରରେ ପୁରୀ ସତ୍‌ସଙ୍ଗସ୍ଥିତ ଠାକୁରବାଡ଼ିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ହଜାର ହଜାର ଅନୁଗାମୀ ଓ ସତ୍‌ସଙ୍ଗୀ ସମବେତ ହୋଇଥିଲେ। ଆଜିର କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏଡିଏମ୍ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

publive-image

ରବିବାର ସକାଳେ ପୁରୀ ସତ୍‌ସଙ୍ଗ ଠାକୁରବାଡ଼ିରେ ଅନିନ୍ଦ୍ୟଦ୍ୟୁତି ଓ ତାଙ୍କର ପୁତ୍ର ଅରଣୀ ସହସ୍ରାଧିକ ଭକ୍ତଙ୍କ ଗହଣରେ ଚିତାଭସ୍ମ କଳସକୁ ସ୍ବତନ୍ତ୍ର ଶ୍ରାଦ୍ଧବେଦିରେ ଅବସ୍ଥାପିତ କରିଥିଲେ। ବୈଦିକ ମନ୍ତ୍ରୋଚ୍ଚାରଣ ପୂର୍ବକ ଶ୍ରାଦ୍ଧକର୍ମ ସଂପନ୍ନ ହୋଇଥିଲା। ପରେ ବନ୍ଦେ ପୁରୁଷୋତ୍ତମ ଧ୍ବନି ମଧ୍ୟରେ ପୁଷ୍ପଗୁଚ୍ଛ ଦ୍ବାରା ସୁସଜ୍ଜିତ ଚିତାଭସ୍ମ କଳସକୁ ମହୋଦଧି ଅଭିମୁଖେ ନିଆଯାଇଥିଲା। ମହୋଦଧି କୂଳରେ ହଜାର ହଜାର ଅନୁରାଗୀ ଶିଷ୍ୟଙ୍କ ଉପସ୍ଥିତିରେ ଚିତାଭସ୍ମ ବିସର୍ଜନ ହୋଇଥିଲା। ବିସର୍ଜନ ପରେ ବହୁ ଭକ୍ତ-ଶିଷ୍ୟ ମହୋଦଧିରେ ବୁଡ଼ ପକାଇଥିଲେ। ଦେଓଘର ସତ୍‌ସଙ୍ଗ ଆଶ୍ରମରକର୍ମୀ ବିଶ୍ବଜିତ ଚୌଧୁରୀ ଓ ଗୌରକୃଷ୍ଣ ନାୟକ ଏହି କାର୍ଯ୍ୟ ପରିଚାଳନା କରିଥିଲେ।

ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ ଅବସରରେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବାର୍ତ୍ତା ଜାରି କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସତ୍‌ସଙ୍ଗର ସହ ସଂପାଦକ ଡା.ବିନାୟକ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ସହଯୋଗ କରିଥିଲେ। ଆସନ୍ତା ୧୩ ତାରିଖରେ ଲେହଠାରେ ସିନ୍ଧୁନଦୀରେ, ୧୬ ତାରିଖରେ ଗୌହାଟିଠାରେ ବ୍ରହ୍ମପୁତ୍ର ନଦୀରେ, ୧୮ରେ ବାଂଲାଦେଶରେ ପଦ୍ମାନଦୀରେ ଏବଂ ୨୧ ତାରିଖରେ ପଶ୍ଚିମବଙ୍ଗର ପାଣିହାଟିଠାରେ ଗଙ୍ଗାରେ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ କରାଯାଇ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ। ଏହାପୂର୍ବରୁ ମଧ୍ୟ ଶ୍ରୀଶ୍ରୀଦାଦାଙ୍କର ଚିତାଭସ୍ମ ଉତ୍ତର ଓ ଦକ୍ଷିଣଭାରତର ବିଭିନ୍ନ ପବିତ୍ର ସ୍ଥଳୀରେ ବିସର୍ଜନ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe