ଶ୍ରୀଜିଉଙ୍କୁ ଲାଗିହେଲା ସୁବର୍ଣ୍ଣ ଚିତା, ଅଣସର ପରଠାରୁ ଲାଗି ହେଉଥିଲା ସୋଲର ଚିତା

Advertisment
ଶ୍ରୀଜିଉଙ୍କୁ ଲାଗିହେଲା ସୁବର୍ଣ୍ଣ ଚିତା, ଅଣସର ପରଠାରୁ ଲାଗି ହେଉଥିଲା ସୋଲର ଚିତା

ପୁରୀ : ଶ୍ରୀମନ୍ଦିରରେ ଗୁରୁବାର ଦିନ ପବିତ୍ର ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ମଥାରେ ସୁବର୍ଣ୍ଣର ଚିତା ଲାଗି କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ମା’ ସୁଭଦ୍ରାଙ୍କୁ ମର୍କତ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଛି। ଏଥିସହ ମହାପ୍ରଭୁଙ୍କଠାରେ ପାରମ୍ପରିକ ଚିତଉ ପିଠା ବି ପ୍ରସାଦ ଭାବେ ଲାଗି କରାଯାଇଛି। ଅନ୍ୟପଟେ ଗୁରୁବାର ଦିନ ଅମାବାସ୍ୟା ତିଥିରେ ଅମାବାସ୍ୟା ଠାକୁର ପ୍ରଭୁ ନାରାୟଣ ଶ୍ରୀମନ୍ଦିରରୁ ପାଲିଙ୍କିରେ ମହୋଦଧି ବିଜେ କରିଛନ୍ତି। ମହୋଦଧି ସ୍ନାନ ସାରି ପୁନର୍ବାର ଶ୍ରୀମନ୍ଦିର ଫେରିଛନ୍ତି।

ପରମ୍ପରା ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ବରପୀଡ଼ିତ ଶ୍ରୀଜିଉଙ୍କ ଅଣସର ଘରେ ଗୋପନ ସେବା ଚାଲିବା ସମୟରେ ଦଇତାପତି ସେବକମାନେ ମଥାରେ ଲାଗିଥିବା ସୁବର୍ଣ୍ଣ ଚିତା ଓଲାଗି କରି ଭଣ୍ଡାର ମେକାପଙ୍କ ଜିମା ଦେଇଥିଲେ। ରଥାରୁଢ଼ ହେବାପରେ ଶ୍ରୀଜିଉଙ୍କୁ ସୋଲର ଚିତା ଲାଗି କରାଯାଇଥିଲା। ସେବେଠୁ ଶ୍ରୀଜିଉଙ୍କ ମସ୍ତକରେ ସୋଲର ଚିତା ଶୋଭା ପାଉଥିଲା। ଏହି ସୋଲର ଚିତା ଓଲାଗି ପରେ ଆଜି ସୁବର୍ଣ୍ଣର ଚିତା ଲାଗି କରାଯାଇଛି।
ଶ୍ରୀଜଗନ୍ନାଥଙ୍କ ମସ୍ତକରେ ପାନ ପତ୍ର ଆକାରର ୧୨୫ ଭରିର ହୀରା ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା। ଶ୍ରୀବଳଭଦ୍ରଙ୍କୁ ଆଖି ଆକୃତି ତଥା ଅର୍ଦ୍ଧାବୃତ୍ତାକାରର ୭୫ ଭରି ମର୍କତ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା। ମା’ସୁଭଦ୍ରାଙ୍କୁ ୩୩ ଭରିର ଠିକିରି ଆକୃତିର ମର୍କତ ଚିତା ଲାଗି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe