ଶ୍ରୀବିଗ୍ରହଙ୍କୁ ଲାଗି ହେଲା ଚିତା

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ୍‌ ମିଳିଲା

ପୁରୀ : ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀବିଗ୍ରହଙ୍କର ଚିତାଲାଗି କରାଯାଇଛି। ସ୍ନାନପୂର୍ଣ୍ଣିମାର ବାହୁଡ଼ା ବିଜେ ପରେ ଅଣସରପିଣ୍ଡିରୁ ଶ୍ରୀବିଗ୍ରହମାନଙ୍କଠାରୁ ଉତୁରାଯାଇ ଭଣ୍ଡାର ଘରେ ରଖାଯାଇଥିବା ଚିତା ସୋମବାର ଦିନ ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି ତଥା ଶ୍ରାବଣୀ ଅମାବାସ୍ୟା ଅବସରରେ ଭଣ୍ଡାର ଘରୁ ଅଣାଯାଇଥିଲା। ସକାଳ ଧୂପ ପୂଜା ବସିଥିବା ବେଳେ ବେହରଣ ଦ୍ବାର ପରେ ଭଣ୍ଡାର ଘରୁ ଚିତାମାନ ଅଣାଯାଇ ସଫା କରିଥିଲେ। ବଡ଼ବାଡ଼ ମହାପ୍ରଭୁ ବଳଭଦ୍ରଙ୍କୁ ନୀଳଖଚିତ ସୁବର୍ଣ୍ଣ ଚିତ୍ରା, ମା’ ସୁଭଦ୍ରାଙ୍କୁ ମାଣିକ୍ୟ ଖଚିତ ସୁବର୍ଣ୍ଣ ଚିତା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରାଖଚିତ ସୁବର୍ଣ୍ଣ ଚିତା ଲାଗି ହୋଇଥିଲା।

ସକାଳ ଧୂପ ଶେଷ ପରେ ଅମାବାସ୍ୟା ଦିଅଁ ଭିତରକୁ ବିଜେ କରିଥିଲେ। ମଧ୍ୟାହ୍ନରେ ଆଜ୍ଞାମାଳ ପାଇ ଆମାବାସ୍ୟା ଦିଅଁ ପାଲିଙ୍କିକୁ ବିଜେ କରିଥିଲେ। ୨ଟା ୩୦ରେ ଅମାବାସ୍ୟା ଦିଅଁଙ୍କ ବାହୁଡ଼ା ବିଜେ ହୋଇଥିଲା। ଜୟ ବିଜୟ ଦ୍ବାର ବନ୍ଦ ପରେ ଚିତାଲାଗି କରିବା ପାଇଁ ଦଇତାପତି ପ୍ରବେଶ କରିଥିଲେ। ସକାଳ ଧୂପ ଓ ଭୋଗମଣ୍ଡପ ସରି ତିନିବାଡ଼ର ମଇଲମ ବଢ଼ି ଶ୍ରୀଅଙ୍ଗରୁ ଝୋବା କଣ୍ଠିମାଳ ଭଣ୍ଡାର ଘରକୁ ଯାଇଥିଲା। ଲକ୍ଷ୍ମୀ ଓ ସରସ୍ବତୀ ହାତରେ ବିଜେ ହୋଇ ଖଟଶେଯ ଘରେ ରହିଥିଲେ। ୩ଟା ୫ମିନିଟରେ ଜୟବିଜୟ ଦ୍ବାର ବନ୍ଦ ହୋଇଥିଲା। ୩ଟା ୨୫ରେ ଦଇତାପତିମାନେ ଚିତାଲାଗି ପାଇଁ ପ୍ରବେଶ କରିଥିଲେ। ପରେ ସେବକମାନେ ଚିତାମାନଙ୍କୁ ତିନି ବିଗ୍ରହଙ୍କ ଶ୍ରୀମୁଖରେ ଲାଗି କରିଥିଲେ। ପରେ ଅନ୍ୟ ସେବକଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ସେମାନେ ସନ୍ଧ୍ୟା ୬ଟାରେ ବାହାରକୁ ଆସିଥିଲେ। ପରେ ସିଂହାସନ ଧୁଆ ଓ ଯାତ୍ରାଙ୍ଗୀ ମହାସ୍ନାନ ପୂଜା ହୋଇ ଅନ୍ୟ ନୀତି ବଢ଼ିଥିଲା। ମଇଲମ ଲାଗି, ମାଳ ଲାଗି ଓ ବେଶ ଲାଗି ବଢ଼ିବାପରେ ୬ ମୂର୍ତ୍ତି ତଢ଼ାଉ ଲାଗି ହୋଇଥିଲେ। ଭୋଗ ବଢ଼ି ପାଣି ପଡ଼ିବା ପରେ ନିର୍ଦ୍ଦିଷ୍ଟ ସେବକଙ୍କ ଦ୍ବାରା ତିନିବାଡ଼ର ବନ୍ଦାପନା ନୀତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe