ଚୁଆ ପାଣିରେ ମେଣ୍ଟୁଛି ମାଲାନସୁଗା ଗ୍ରାମବାସୀଙ୍କ ଶୋଷ

Advertisment
ଚୁଆ ପାଣିରେ ମେଣ୍ଟୁଛି ମାଲାନସୁଗା ଗ୍ରାମବାସୀଙ୍କ ଶୋଷ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲାରେ ଆଜି ବି ବହୁ ଗାଁ ଅଛି ଯେଉଁଠି ଲୋକ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇ ପାରୁନାହାନ୍ତି। ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ପ୍ରକୃତରେ ଏହା ଗ୍ରାମାଞ୍ଚଳରେ ପହଞ୍ଚି ପାରୁନି । ଯୋଜନା ଯୋଜନାରେ ହିଁ ରହିଯାଉଛି। ଏବେ ବି ଲୋକଙ୍କ ପାଇଁ ବିଶୁଦ୍ଧ ପାଣି ଟିକିଏ ପାଇବା ସ୍ବପ୍ନ ପାଲଟିଛି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲାନସୁଗା ଗ୍ରାମବାସୀଙ୍କ ବି ସମଅବସ୍ଥା। ଗ୍ରାମବାସୀ ଏବେ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି। ୬୦ରୁ ଊର୍ଦ୍ଧ୍ବ ପରିବାରର ୨୮୦ରୁ ଅଧିକ ଜନସଂଖ୍ୟା ଗ୍ରାମରେ ପିଇବା ପାଣି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଗ୍ରାମରେ ଥିବା ଗୋଟିଏ ନଳକୂପ ଅନେକ ଦିନ ହେଲା ଅଚଳ ହୋଇପଡିଛି। ଗ୍ରାମବାସୀ ଅଭିଯୋଗ କରି କରି ହାଲିଆ ହେଲେ ବି କେହି ଶୁଣୁନାହାନ୍ତି।

ମାଲାନସୁଗା ଗ୍ରାମ ପାଇଁ ସମସ୍ୟା ହୋଇଛି ଏହି ଗାଁଟି ପୂର୍ବରୁ ଟିକାବାଲି ବ୍ଳକ ଅନ୍ତର୍ଗତ ପିକରଡି ପଞ୍ଚାୟତରେ ଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତରେ ମିଶ୍ରଣ ହୋଇଯାଇଛି। ଗ୍ରାମବାସୀଙ୍କ ପାଣି ସମସ୍ୟା ବର୍ତ୍ତମାନର ନୁହେଁ, ବହୁଦିନର। ଟୋପାଏ ପାଣି ପାଇଁ ଗାଁ ଠାରୁ ଦୂର ବାଟରେ ଥିବା ଏକ ଚୁଆ ଉପରେ ବର୍ଷ ତମାମ ନିର୍ଭର କରୁଛନ୍ତି। ସମସ୍ତ କାର୍ଯ୍ୟ ଏହି ଚୁଆ ପାଣିରେ ହୁଏ। ଗାଧୋଇବା, ଲୁଗାସଫା ଓ ବାସନମାଜିବା ଠାରୁ ଆରମ୍ଭ କରି ସବୁ କିଛି ଏହି ଚୁଆ ପାଣିରେ ହେଉଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe