ଅଫେରା ରାଇଜରେ ସିନେ ଅଭିନେତା ବିରାଜ

Advertisment

‘ଗୋଲାମ ଗିରି’ରୁ ଆରମ୍ଭ, ‘ଅଜାତି’ରେ ଶେଷ, ଚଳଚ୍ଚିତ୍ର ସହ ଦୀର୍ଘ ତିନି ଦଶନ୍ଧିର ସମ୍ପର୍କ

‘ଗୋଲାମ ଗିରି’ରୁ ଆରମ୍ଭ, ‘ଅଜାତି’ରେ ଶେଷ, ଚଳଚ୍ଚିତ୍ର ସହ ଦୀର୍ଘ ତିନି ଦଶନ୍ଧିର ସମ୍ପର୍କ

ଅଫେରା ରାଇଜରେ ସିନେ ଅଭିନେତା ବିରାଜ

ଭୁବନେଶ୍ବର : ବରିଷ୍ଠ ସିନୋ ଅଭିନେତା ବିରାଜ ଦାଶଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। ୬ ମାସ ଧରି ସ‌େ ଦୁରାରୋଗ୍ୟ କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ଅବସ୍ଥା ସଂକଟାପନ୍ନ ହେବାରୁ ପରିବାରଲୋକ ତାଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ଆଜି ରାତି ୯ଟା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବିନିତା ତ୍ରିପାଠୀ, ବଡ଼ପୁଅ ଆରିୟା ଦାଶ, ସାନପୁଅ ଅର୍ଣ୍ଣବ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ତାଙ୍କୁ ନିଜ ଘର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନକୁ ନିଆଯିବ ଓ ଆସନ୍ତାକାଲି ସତ୍ୟନଗର ଶ୍ମଶାନରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ କରାଯିବ।

ସୂଚନାଯୋଗ୍ୟ, ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବିରାଜ ଓଡ଼ିଆ ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକୀୟ ଆଦୃତି ଲାଭ କରି ପାରିଥିଲେ। ଓଡ଼ିଆ ନାଟକ, ଧାରାବାହିକ, ଟେଲିଫିଲ୍ମ ଏବଂ ଚଳଚ୍ଚିତ୍ର ଜଗତରେ ସେ ଜଣେ ସ୍ବୟଂସମ୍ପୂର୍ଣ୍ଣ ଓ ବାସ୍ତବଧର୍ମୀ ଅଭିନେତା ଥିଲେ। ସେ କରିଥିବା ପ୍ରତିଟି ଚରିତ୍ର ଖୁବ୍‌ ଜୀବନ୍ତ ଅନୁଭବ ହେଉଥିଲା। ସେ ପ୍ରଥମେ ଦୂରଦର୍ଶନ ଏବଂ ମଞ୍ଚରେ ଅନେକ ନାଟକ କରିଛନ୍ତି। ଭାଗବତ ଟୁଙ୍ଗୀ ତାଙ୍କର ପ୍ରଥମ ନାଟକ। ଏହା ବ୍ୟତୀତ ନାଟକ ଦେଖ ବର୍ଷା ଆସୁଛି, ଝରା ବଉଳ, କପୋଟ ପାଶା, ବୋହୂ କଟକିଆଣି ଆଦି ଅନ୍ୟତମ। ସେହିଭଳି ଚଳଚ୍ଚିତ୍ର ମା’ ପରି କିଏ ହେବ, ଯା’ଦେବୀ ସର୍ବଭୂତେଷୁ’, ପ୍ରେମ ବନ୍ଧନ, ମୋ ଭାଇ ଜଗା, ପୁଅ ଭାଙ୍ଗିଦେଲା ସୁନା ସଂସାର, ଗୋଲାମ ଗିରି ଆଦି ଅନ୍ୟତମ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗୋଲାମ ଗିରି ଥିବା ବେଳେ ମୁକ୍ତିଲାଭ ଅପେକ୍ଷା ରହିଛି ‘ଅଜାତି’।

୧୯୫୯ ଜୁନ୍‌ ୧୫ରେ କଟକ ସହରରେ ଜନ୍ମିତ ବିରାଜ ସ୍କୁଲ୍‌ ଓ କଲେଜ୍‌ ଶିକ୍ଷା ଶେଷ କରିବା ପରେ ମ୍ୟାନେଜ୍‌ମେଣ୍ଟ୍‌ ପଢ଼ିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରୁ ଫେରିବା ପରେ ଅଭିନୟ କରିବା ସହ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରୁଥିଲେ। ୨୦୧୯ରେ ଅବସର ନେବା ପରେ ସଂପୂର୍ଣ୍ଣ ସମୟ ଅଭିନୟରେ ବି‌ନିଯୋଗ କରିବେ ବୋଲି ଆଶା କରିଥିଲେ। ହେଲେ କରୋନା ଯୋଗୁଁ ସେଥିରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ପରେ ସେ ବିଭିନ୍ନ ସିନେମାରେ ବ୍ୟସ୍ତ ଥିଲେ। ଏବେ ବି ତାଙ୍କର ଅନେକଗୁଡ଼ିଏ ସିନେମା ମୁକ୍ତିଲାଭ ଅପେକ୍ଷା ରହିଥିବା ଜଣାପଡ଼ିଛି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe