ସହରବାସୀ ଭୟ କରନ୍ତୁ ନାହିଁ: ଡିଜିପି

ସହରବାସୀ ଭୟ କରନ୍ତୁ ନାହିଁ: ଡିଜିପି

ସମ୍ବଲପୁର : ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ବ୍ୟାପକ ହିଂସାକାଣ୍ଡ ପରେ ସମ୍ବଲପୁରର ସ୍ଥିତି ସମ୍ବେଦନଶୀଳ ଥିବାରୁ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ସୁନୀଲ ବଂଶଲଙ୍କ ସମେତ ଆଇନଶଙ୍ଖଳା ଏଡିଜି ଆର୍. କେ ଶର୍ମା ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଶନିବାର ସମ୍ବଲପୁର ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି। ଏଥି ସହିତ ହିଂସାକାଣ୍ଡ ଘଟିଥିବା ସ୍ଥାନ ଏବଂ ‌କ୍ଷତିଗ୍ରସ୍ତ ଅଂଚଳ ମଧ୍ୟ ନିରୀକ୍ଷଣ କରିଛନ୍ତି।

ସ୍ଥିତି ସମୀକ୍ଷା ପରେ ଡିଜିପି ଶ୍ରୀ ବଂଶଲ କହିଛନ୍ତି, ଶୁକ୍ରବାର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତି କର୍ଫ୍ୟୁ ମଧ୍ୟ ଲଗାଗଲା। ସମ୍ବଲପୁରବାସୀଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ପ୍ରଶାସନକୁ ଖାଲି ସହଯୋଗ କରନ୍ତୁ, ବିପୁଳ ପରିମାଣର ପୁଲିସ ମୁତୟନ ରହିଛନ୍ତି। ଆଶା କରୁଛି ଦିନେ ଦୁଇଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହୋଇଯିବ। ଶ୍ରୀ ବଂଶଲ ଆହୁରି କହିଛନ୍ତି ଯେ ଉତ୍ତରାଞ୍ଚଳ ରେଞ୍ଜ୍ ଆଇଜି ଦୀପକ କୁମାର ଓ ଏସ୍‌ପି ସମ୍ବଲପୁର ବି. ଗଙ୍ଗାଧରଙ୍କ ସହ ବିସ୍ତୃତ ଭାବେ ସମୀକ୍ଷା କରିଛି। ଶୁକ୍ରବାର ଯେଉଁ ଅଘଟଣ ଘଟିଲା, ତାପରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ପର୍ଯ୍ୟାପ୍ତ ପୁଲିସ ଶୁକ୍ରବାର ଦିନ ଥିଲେ। ତା ପରେ ମଧ୍ୟ ଅତିରିକ୍ତ ଆଉ କିଛି ଫୋର୍ସ ଶନିବାର ସାମିଲ କରାଯାଇଛି। ଆମର ବିଶ୍ବସ ଅଛି, ଏବେ ଶାନ୍ତିଶୃଙ୍ଖଳା ବଜାୟ ରହିବ। କିନ୍ତୁ, ତା ପରେ ମଧ୍ୟ ପ୍ରାକ୍ ସାବଧାନତା ଦୃଷ୍ଟିରୁ କର୍ଫ୍ୟୁ ଜାରି ରହିବ। ଯେଉଁ ଲୋକମାନେ ଏହି ଗଣ୍ଡଗୋଳ ଭିଆଇଛନ୍ତି, ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି। ସେମାନଙ୍କ ବିରୋଧରେ ଯେଉଁ ପ୍ରମାଣ ମିଳିଛି ଏବଂ ଯାହା ମିଳିବ, ତା ଆଧାରରେ ଯେଉଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

କର୍ଫ୍ୟୁ ସମୟରେ ଲୋକଙ୍କୁ ଯେଉଁଭଳି ଭାବେ ଅସୁବିଧା ହେବ ନାହିଁ, ସେଥିପାଇଁ ସକାଳେ ଓ ସନ୍ଧ୍ୟାବେଳେ ୨ ଘଣ୍ଟା ଲେଖାଏଁ କୋହଳ କରାଯାଇଛି। ସମସ୍ତଙ୍କୁ ନିବେଦନ, ସେମାନେ ପୁଲିସ ଓ ପ୍ରଶାସନକୁ ସାହାଯ୍ୟ କରନ୍ତୁ। ଆଇନ ତା ବାଟରେ ଯାଇ କାର୍ଯ୍ୟ କରିବ। ଆସନ୍ତାକାଲି ଯେଉଁ ପରୀକ୍ଷା ରହିଛି, ପ୍ରାର୍ଥୀମାନଙ୍କର ଯେମିତି କିଛି ଅସୁବିଧା ନହେବ, ସେଥିପାଇଁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe